୫୫ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଡିଜିପି ଡିସ୍କ ସମ୍ମାନ
ପୋଲିସ ଭବନରେ ସ୍ୱତନ୍ତ୍ର ସମାରୋହ: କର୍ତ୍ତବ୍ୟନିଷ୍ଠା ପାଇଁ ୫୫ ପୋଲିସ କର୍ମଚାରୀଙ୍କୁ ଡିଜିପି ଡିସ୍କ।

ଭୁବନେଶ୍ୱର: କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସେବା, କର୍ତ୍ତବ୍ୟନିଷ୍ଠା ଓ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ ୫୫ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଡିଜିପି ଡିସ୍କରେ ସମ୍ମାନିତ କରାଯାଇଛି। ଭୁବନେଶ୍ୱରସ୍ଥିତ ପୋଲିସ ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ସମ୍ମାନିତ ଅଧିକାରୀ ଓ କର୍ମଚାରୀଙ୍କୁ ପଦକ ଏବଂ ମାନପତ୍ର ପ୍ରଦାନ କରିଥିଲେ। ଡିଜିପି ଡିସ୍କ ପ୍ରାପ୍ତମାନଙ୍କ ମଧ୍ୟରେ ନିର୍ଦ୍ଦେଶକ (ଏସସିଆରବି) ଶ୍ରୀ ଅବିନାଶ କୁମାର, ଡିଆଇଜି (କ୍ରାଇମବ୍ରାଞ୍ଚ) ଶ୍ରୀ ବି. ଗଙ୍ଗାଧର, ବ୍ରହ୍ମପୁର ଏସପି ଡ. ଶ୍ରବଣ ବିବେକ ଏମ୍, ଅନୁଗୋଳ ଏସପି ଶ୍ରୀ ରାହୁଲ ଜୈନ, ନୟାଗଡ଼ ଏସପି ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର, ଗଞ୍ଜାମ ଏସପି ଶ୍ରୀ ହରିଶ ବି. ସି., ଜଗତସିଂହପୁର ଏସପି ଶ୍ରୀ ଅଙ୍କିତ କୁମାର ବର୍ମା, ନବରଙ୍ଗପୁର ଏସପି ଶ୍ରୀ କାଶ୍ୟପ ପାର୍ଥ ଜଗଦୀଶ, ବୌଦ୍ଧ ଏସପି ଶ୍ରୀ କୁଳଦୀପ ମୀନା ଏବଂ ଆର୍. ଉଦୟଗିରି, ଗଜପତିର ଏସଡିପିଓ ଶ୍ରୀ ରାକେଶ କୁମାର ସାହୁ ପ୍ରମୁଖ ରହିଛନ୍ତି। ଏହାସହ ୩ ଜଣ ଅତିରିକ୍ତ ଏସ୍ପି, ୨ ଜଣ ଡେପୁଟି କମାଣ୍ଡାଣ୍ଟ, ୩ ଜଣ ଡିଏସ୍ପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୮ ଜଣ ଇନ୍ସପେକ୍ଟର, ୪ ଜଣ ସବ୍-ଇନ୍ସପେକ୍ଟର, ୪ ଜଣ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର, ୫ ଜଣ ହାବିଲଦାର, ଜଣେ ଡ୍ରାଇଭର ଏବଂ ୧୩ ଜଣ କନଷ୍ଟେବଳ/ଓଏପିଏଫ/ସିପାହୀଙ୍କୁ ମଧ୍ୟ ଡିଜିପି ଡିସ୍କ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ୯୧ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଏହି ଅଧିକାରୀ ଓ କର୍ମଚାରୀଙ୍କ ନାମ ଡିଜିପି ଡିସ୍କ ପାଇଁ ଘୋଷଣା କରାଯାଇଥିଲା। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଥିଲା। ସମାରୋହରେ ରାଜ୍ୟ ପୋଲିସ ମୁଖ୍ୟାଳୟର ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହି ଡିଜିପି ଡିସ୍କ ପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ।
