PMAY ଆବାସ ଯୋଜନା: ୩୧ ଲକ୍ଷ ହିତାଧିକାରୀ ତାଲିକା ଚୂଡ଼ାନ୍ତ, ଅଗଷ୍ଟ ୨୭ ସୁଦ୍ଧା ଯାଞ୍ଚ ଶେଷ
ଆବାସ ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ସରକାର। PMAY ଅଧୀନରେ ହିତାଧିକାରୀ ଚୟନ ଓ ଯାଞ୍ଚ ପ୍ରକ୍ରିୟା ଚାଲିଥିବା ବେଳେ ଏପର୍ଯ୍ୟନ୍ତ ୩୧ ଲକ୍ଷ ହିତାଧିକାରୀଙ୍କ ତାଲିକା ଚୂଡ଼ାନ୍ତ ହୋଇଥିବା ସୂଚନା । ଆସନ୍ତା ଅଗଷ୍ଟ ୨୭ ତାରିଖ ସୁଦ୍ଧା ଯାଞ୍ଚ ପ୍ରକ୍ରିୟା ଶେଷ କରାଯିବ।

ଭୁବନେଶ୍ୱର: ରାଜ୍ୟରେ ଆବାସ ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ସରକାର। PMAY ଅଧୀନରେ ହିତାଧିକାରୀ ଚୟନ ଓ ଯାଞ୍ଚ ପ୍ରକ୍ରିୟା ଜୋରଦାର ଭାବେ ଚାଲିଥିବା ବେଳେ ଏପର୍ଯ୍ୟନ୍ତ ୩୧ ଲକ୍ଷ ହିତାଧିକାରୀଙ୍କ ତାଲିକା ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି। ଆସନ୍ତା ଅଗଷ୍ଟ ୨୭ ତାରିଖ ସୁଦ୍ଧା ଯାଞ୍ଚ ପ୍ରକ୍ରିୟା ଶେଷ କରାଯିବ। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, PMAY ଯୋଜନାରେ ରାଜ୍ୟରେ ପ୍ରାୟ ୩୮ ଲକ୍ଷ ପଞ୍ଜୀକରଣ ହୋଇଛି। ଯୋଗ୍ୟ ଓ ଗରିବ ହିତାଧିକାରୀଙ୍କୁ ନିରପେକ୍ଷ ଭାବେ ଘର ଯୋଗାଇଦେବା ଉପରେ ସରକାର ଗୁରୁତ୍ୱ ଦେଉଥିବା କୁହାଯାଇଛି।
ଏହାସହ ସେପ୍ଟେମ୍ବର ମାସରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ଓଡ଼ିଶା ଆସି ହିତାଧିକାରୀଙ୍କୁ ଆବାସ ବଣ୍ଟନ କରିବେ ବୋଲି ସୂଚନା ଦିଆଯାଇଛି। ଅନ୍ତ୍ୟୋଦୟ ଗୃହ ଯୋଜନାରେ ଇତିମଧ୍ୟରେ ୨ ଲକ୍ଷ ୬୦ ହଜାର ଘର ଦିଆସରିଥିବା ବେଳେ ଆହୁରି ୧ ଲକ୍ଷ ଘର ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ସେହିପରି VB-GRAM ଅଧୀନରେ ଅଧିକ କାମ ଯୋଡ଼ିବା ସହ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଆହୁରି ରାସ୍ତା ନିର୍ମାଣ ନେଇ ମଧ୍ୟ ଆଲୋଚନା ହୋଇଥିବା କୁହାଯାଇଛି।
ସରକାରୀ ଯୋଜନା ଓ ବିଭାଗୀୟ ଖର୍ଚ୍ଚକୁ ନେଇ ମଧ୍ୟ ସରକାର ନିଜର ରିପୋର୍ଟ କାର୍ଡ ଦେଇଥିବା ଦାବି କରିଛନ୍ତି। ପୂର୍ବ ସରକାର ତୁଳନାରେ ବର୍ତ୍ତମାନ ସରକାର ଅଧିକ ଖର୍ଚ୍ଚ କରି ବିକାଶମୂଳକ କାର୍ଯ୍ୟ କରୁଛି ବୋଲି କୁହାଯାଇଛି। ଅନ୍ୟପଟେ, ପୂର୍ବ ସରକାର କେନ୍ଦ୍ରୀୟ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କୁ ଠିକ୍ ଭାବେ ଚିହ୍ନଟ କରିନଥିବା ଏବଂ ଆବାସ-୨ର ତାଲିକା ସମୟରେ ଦିଆଯାଇନଥିବା ଅଭିଯୋଗ ହୋଇଛି। ଏହାର ପ୍ରଭାବରେ ବର୍ତ୍ତମାନ ବନ୍ୟାରେ ଅଧିକ ଘର ଭାଙ୍ଗିଥିବା ରିପୋର୍ଟ ଆସୁଥିବା କୁହାଯାଇଛି।
