Odisha Cyclone: ରାଜ୍ୟରେ ୧୨ ସାଇକ୍ଲୋନିକ୍ ଷ୍ଟର୍ମ, କ୍ଷୟକ୍ଷତି ପାଇଁ ୨୬୧.୩୭ କୋଟି ଆବଣ୍ଟନ
୨୮ ଜିଲ୍ଲାରେ ବନ୍ୟା-ବାତ୍ୟାର ପ୍ରଭାବ; କ୍ଷୟକ୍ଷତି ଭରଣା ପାଇଁ ୨୬୧.୩୭ କୋଟି ଟଙ୍କା ଆବଣ୍ଟନ କରାଯାଇଛି | ଏହା ସହିତ ଦୁର୍ଗାପୂଜା ପୂର୍ବରୁ ବକେୟା କ୍ଷୟକ୍ଷତି ଆକଳନ ଶେଷ ସହ ପ୍ରଭାବିତଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ଦେଇଛନ୍ତି | ମହାନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉପସ୍ଥିତିରେ ଓଡ଼ିଶା-ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବୈଠକ ହେବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି ।
ରାଜ୍ୟରେ ଚଳିତ ବର୍ଷ ଏଯାଏଁ ୧୨ଟି ସାଇକ୍ଲୋନିକ୍ ଷ୍ଟର୍ମ ଆସିଥିବା ବେଳେ, ସେଥିରୁ ୫ଟି ଅବପାତରେ ପରିଣତ ହୋଇଛି | ଏହାର ପ୍ରଭାବରେ ରାଜ୍ୟର ୨୮ଟି ଜିଲ୍ଲା କମ୍ବେଶି ପ୍ରଭାବିତ ହୋଇଛି | କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଆକଳନ ପୂର୍ବରୁ ରାଜସ୍ୱ ବିଭାଗ ପକ୍ଷରୁ ଏଯାଏଁ "୨୬୧.୩୭ କୋଟି ଟଙ୍କା" ଆବଣ୍ଟନ କରାଯାଇଛି | ଏଥିରୁ ପୂର୍ବରୁ ୨୪୧.୩୭ କୋଟି ଏବଂ ଗତକାଲି ଏସ୍ଆର୍ସିଙ୍କ ପକ୍ଷରୁ ଆଉ ୨୦ କୋଟି ଟଙ୍କା ମଞ୍ଜୁର ହୋଇଛି | ଦକ୍ଷିଣ ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରି ସମେତ ଗଞ୍ଜାମ ଓ ଗଜପତି ପ୍ରଭାବିତ ହୋଇଛି | ଉତ୍ତର ଓଡ଼ିଶାର ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ମଧ୍ୟ ବନ୍ୟା ପ୍ରଭାବ ରହିଛି | ବିଭିନ୍ନ ଜିଲ୍ଲାରେ କ୍ଷୟକ୍ଷତି ଅନୁପାତରେ ଆବଣ୍ଟନ କରାଯାଇ, ଅର୍ଥରାଶି ପ୍ରଦାନ କରାଯାଇଛି | ଏହାଭିତରେ ,କେନ୍ଦ୍ରାପଡ଼ା ଜିଲ୍ଲାକୁ ୧୬.୪୦ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ, ଜିଲ୍ଲା ପକ୍ଷରୁ ଏପର୍ଯ୍ୟନ୍ତ ୧୧.୨୧ କୋଟି ଟଙ୍କା ଆବଣ୍ଟନ କରାଯାଇ ଖର୍ଚ୍ଚ ହୋଇଛି | ସେହିପରି ଯାଜପୁର ଜିଲ୍ଲାକୁ ୫୨.୦୪ କୋଟି ଟଙ୍କା ବିଭିନ୍ନ ହେଡ୍ରେ କ୍ଷତିପୂରଣ ବାବଦରେ ପ୍ରଦାନ କରାଯାଇଛି | ବାଲେଶ୍ୱର ଜିଲ୍ଲାକୁ ମାତ୍ର ୫.୫ କୋଟି ଟଙ୍କା ବଣ୍ଟାଯାଇଛି | ବର୍ତ୍ତମାନ ପାଣି ନିଷ୍କାସନ ଜାରି ରହିଥିବା ବେଳେ ସମ୍ପୂର୍ଣ୍ଣ ନିଷ୍କାସନ ପାଇଁ ଆହୁରି ୬ରୁ ୭ ଦିନ ଲାଗିପାରେ | ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, 'ଦୁର୍ଗାପୂଜା ପୂର୍ବରୁ ବକେୟା କ୍ଷୟକ୍ଷତି ଆକଳନ ଶେଷ କରି କ୍ଷତିପୂରଣ ପ୍ରଦାନ କରାଯିବ |' ମହାନଦୀ ଜଳ ବିବାଦର ସମାଧାନ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉପସ୍ଥିତିରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବୈଠକ ହେବ | ଏହି ବୈଠକରୁ ବିବାଦର ସମାଧାନର ରାସ୍ତା ବାହାରିବ ବୋଲି ସୁରେଶ ପୂଜାରୀ ଆଶା ପ୍ରକାଶ କରିଛନ୍ତି |
