ଟ୍ରକ ଚଢ଼ି ମହିଳା ଫରେଷ୍ଟ ଗାର୍ଡ ଗୁରୁତର
ମାଲକାନଗିରି ସଦର ମହକୁମାର ଡିଏନକେ ଛକରେ ଠାରେ ସଡ଼କ ଦୁର୍ଘଟଣା | ମହିଳା ଫରେଷ୍ଟ ଗାର୍ଡ ରଶ୍ମିତା ସୁବୁଦ୍ଧି ଗୁରୁତର ଭାବେ ଆହତ ହୋଇଛନ୍ତି।
ମାଲକାନଗିରି ସଦର ମହକୁମାର ଡିଏନକେ ଛକରେ ଠାରେ ସଡ଼କ ଦୁର୍ଘଟଣା | ମହିଳା ଫରେଷ୍ଟ ଗାର୍ଡ ରଶ୍ମିତା ସୁବୁଦ୍ଧି ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ରଶ୍ମିତା ସ୍କୁଟି ଯୋଗେ ଯାଉଥିବା ବେଳେ ଟ୍ରାଫିକ ସିଗ୍ନାଲର ନାଲି ବତି ଜଳିବାରୁ ଅଟକି ରହିଥିଲେ। ସିଗ୍ନାଲ ସବୁଜ ହେବା ପରେ ସେ ଆଗକୁ ବଢ଼ିଥିବା ସମୟରେ ପଛପଟୁ ଆସୁଥିବା ଏକ ନଳକୂପ ନିର୍ମାଣ କାମରେ ନିୟୋଜିତ ହେବାକୁ ଯାଉଥିବା ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଧକ୍କାରେ ରଶ୍ମିତା ରାସ୍ତା ଉପରେ ପଡ଼ିଯାଇଥିବା ବେଳେ ଟ୍ରକ୍ର ପଛ ଚକ ତାଙ୍କ ବାମ ହାତ ଉପରେ ଚଢ଼ିଯାଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକ ଓ ପୋଲିସଙ୍କ ସହଯୋଗରେ ତାଙ୍କୁ ତୁରନ୍ତ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ କହିବା ଅନୁଯାୟୀ ରଶ୍ମିତାଙ୍କ ଅବସ୍ଥା ଗୁରୁତର ରହିଛି। ତେଣୁ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ବାହାରକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି। ଘଟଣା ସମ୍ପର୍କରେ ଖବର ପାଇବା ପରେ ମାଲକାନଗିରି ଡିଏଫଓ ସାଇ କିରଣଙ୍କ ସମେତ ବନ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ। ଆବଶ୍ୟକ ଚିକିତ୍ସା ସେବା ଯୋଗାଇବା ସହ ଉନ୍ନତ ଚିକିତ୍ସା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ରଶ୍ମିତାଙ୍କ ଘର ଖୋର୍ଦ୍ଧା ଜିଲ୍ଲାର ବାଣପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି । ଘଟଣାକୁ ନେଇ ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ମହଳରେ ଚିନ୍ତା ପ୍ରକାଶ ପାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

