ବ୍ୟାଗ ଭିତରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର
ରାୟଗଡ଼ା: ଜେକେପୁର–୩୨୬ ନମ୍ବର ଜାତୀୟ ରାଜପଥର ଖଲିଗୁଡ଼ା ନିକଟରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି।
ରାୟଗଡ଼ା: ବ୍ୟାଗ ଭିତରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର । ଜେକେପୁର–୩୨୬ ନମ୍ବର ଜାତୀୟ ରାଜପଥର ଖଲିଗୁଡ଼ା ନିକଟରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଆଜି ସକାଳେ ଏକ ବ୍ୟାଗ ଭିତରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆଲୋଡ଼ନ ସୃଷ୍ଟି ହୋଇଛି। ସୂଚନା ଅନୁସାରେ, ଖଲିଗୁଡ଼ା ନିକଟ ରାସ୍ତା କଡ଼ରେ ପଡ଼ିଥିବା ଏକ ସନ୍ଦିଗ୍ଧ ବ୍ୟାଗ ଭିତରୁ ମହିଳାଙ୍କ ମୃତଦେହ ମିଳିଥିଲା। ମୃତ ମହିଳାଙ୍କ ବୟସ ପ୍ରାୟ ୩୫ ବର୍ଷ ବୋଲି ପୋଲିସ ଅନୁମାନ କରୁଛି। ମହିଳାଙ୍କ ଶରୀରରେ କିଛି ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି | ଘଟଣାସ୍ଥଳରେ ଆସିଷ୍ଟାଣ୍ଟ କଲେକ୍ଟର ଶୁଭେନ୍ଦୁ ସାହୁଙ୍କ ଉପସ୍ଥିତିରେ ବ୍ୟାଗ ଖୋଲି ମୃତଦେହ ବାହାର କରାଯାଇଥିଲା। ବ୍ୟାଗ ଭିତରେ ମହିଳାଙ୍କ ଦୁଇ ଗୋଡ ବନ୍ଧା ହୋଇଥିବା ଅବସ୍ଥାରେ ମୃତଦେହ ମିଳିଥିବା ବେଳେ ମୁହଁ ଚିହ୍ନଟ ହୋଇପାରୁନାହିଁ । ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ହୋଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ମୃତ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ୪ ରୁ ୫ଦିନ ତଳେ ଏହି ବ୍ୟାଗଟିକୁ ଫୋପାଡ଼ି ଦିଆଯାଇଥିବା ପୋଲିସ ଅନୁମାନ କରିଛି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଛି। ପୋଷ୍ଟମର୍ଟମ ପରେ ମୃତ୍ୟୁର ସଠିକ୍ କାରଣ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି। ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି ।
