ବିଦ୍ୟୁତ ଆଘାତରେ ଦୁଇ ଯାଆଙ୍କ ମୃତ୍ୟୁ
ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ ରଞ୍ଜାଗୋଳ ଗାଁରେ ଏକ ହୃଦୟବିଦାରକ ଘଟଣା ଘଟିଛି। ବିଦ୍ୟୁତ ଆଘାତରେ ଦୁଇ ଯାଆଙ୍କ ମୃତ୍ୟୁ ଘଟିଥିବାରୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
B
By BHAKTILATA BARALPublished: Jun 17, 2026, 12:14 PM •1 min read •7 Views
ଢେଙ୍କାନାଳ: ବିଦ୍ୟୁତ ଆଘାତରେ ଦୁଇ ଯାଆଙ୍କ ମୃତ୍ୟୁ, ଗାଁରେ ଶୋକର ଛାୟା । ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ ରଞ୍ଜାଗୋଳ ଗାଁରେ ଏକ ହୃଦୟବିଦାରକ ଘଟଣା ଘଟିଛି। ବିଦ୍ୟୁତ ଆଘାତରେ ଦୁଇ ଯାଆଙ୍କ ମୃତ୍ୟୁ ଘଟିଥିବାରୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତକ ଦୁଇଜଣ ହେଲେ ମନୀଷା ଦେହୁରୀ ଏବଂ ରଞ୍ଜୁ ଦେହୁରୀ। ସୂଚନା ଅନୁସାରେ, ସକାଳ ସମୟରେ ମନୀଷା ଦେହୁରୀ ବାଡ଼ି ପଟକୁ ଯାଉଥିବା ବେଳେ ଅସାବଧାନତାବଶତଃ ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ସେ ଗୁରୁତର ଭାବେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ମନୀଷାଙ୍କୁ ବିପଦରେ ଦେଖି ତାଙ୍କ ଯାଆ ରଞ୍ଜୁ ଦେହୁରୀ ତାଙ୍କୁ ବଞ୍ଚାଇବା ପାଇଁ ଦୌଡ଼ି ଆସିଥିଲେ। କିନ୍ତୁ ସେ ମଧ୍ୟ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ଉଭୟ ଗୁରୁତର ଭାବେ ଆହତ ହୋଇଥିଲେ। ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦାମାନେ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଅଘଟଣ ପରେ ପରିବାରରେ କାନ୍ଦବୋବାଳି ପଡ଼ିଥିବା ବେଳେ ସମଗ୍ର ରଞ୍ଜାଗୋଳ ଗାଁ ଶୋକରେ ଡୁବିଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ବାଲିମି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିଦ୍ୟୁତ ତାର କିପରି ସେଠାରେ ପଡ଼ିଥିଲା ଏବଂ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା, ସେନେଇ ତଦନ୍ତ ଚାଲିଛି।
B
BHAKTILATA BARALContent Writer
Comments0
Leave a Reply
Loading comments...
