ବୈତରଣୀରେ ତୃତୀୟ ବନ୍ୟା: ଜଳାର୍ଣ୍ଣବ ଭଣ୍ଡାରିପୋଖରୀର ୭ ପଞ୍ଚାୟତ
ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀରେ ତୃତୀୟ ବନ୍ୟା। ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ, ଜଳାର୍ଣ୍ଣବ ଭଣ୍ଡାରିପୋଖରୀର ୭ ପଞ୍ଚାୟତ ।
ଭଣ୍ଡାରିପୋଖରୀ: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀରେ ଆସିଛି ତୃତୀୟ ବନ୍ୟା। ଭଦ୍ରକ ଜିଲ୍ଲାର ଆଖୁଆପଦା ଠାରେ ବୈତରଣୀ ନଦୀର ବିପଦ ସଂକେତ ୧୮.୩୩ ମିଟର ଥିବା ବେଳେ ବର୍ତ୍ତମାନ ୧୯.୩୧ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଗତକାଲି ମଧ୍ୟରାତ୍ରିରୁ ନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ବନ୍ୟାଜଳ ଯୋଗୁଁ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଛି। କଣ୍ଟି ଏସ୍କେପ୍ ଉପରେ ପ୍ରାୟ ୪ ଫୁଟ ଏବଂ ବାଲିପୋଖରୀ ଏସ୍କେପ୍ ଉପରେ ପ୍ରାୟ ୨ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ଭଣ୍ଡାରିପୋଖରୀ ବ୍ଲକର ମାଳଦା, ଷୋଳମପୁର, ଝୁଣ୍ଟୁନା, ବନ୍ଦାଳ-ମଢ଼ିଆଳି, ନପଙ୍କ, ରହଣିଆ ଓ ବାଲିପୋଖରୀ ଆଦି ୭ଟି ପଞ୍ଚାୟତ ଜଳାର୍ଣ୍ଣବ ହୋଇପଡ଼ିଛି। ବିଭିନ୍ନ ଗାଁ ମଧ୍ୟକୁ ବନ୍ୟାଜଳ ପ୍ରବେଶ କରୁଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ବଢ଼ିଛି। ଅନ୍ୟପଟେ, ବନ୍ୟା ପରିସ୍ଥିତିକୁ ନଜରରେ ରଖି ଗତକାଲି ମଧ୍ୟରାତ୍ରିରେ ଧାମନଗର ବ୍ଲକର ତଳିଆ ଅଞ୍ଚଳଗୁଡ଼ିକରେ ବ୍ଲକ ପ୍ରଶାସନ ପକ୍ଷରୁ ମାଇକ୍ ଯୋଗେ ସତର୍କ ସୂଚନା ଦିଆଯାଇଛି। ବନ୍ୟାଜଳ ରାସ୍ତା ଉପରେ ପ୍ରବାହିତ ହେବାରୁ ଭଣ୍ଡାରିପୋଖରୀ-ଯାଜପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି। ଷୋଳମପୁର ଅଞ୍ଚଳରେ ମଧ୍ୟ ରାସ୍ତା ଉପରେ ବନ୍ୟାଜଳ ଚାଲୁଥିବାରୁ ଯାତାୟାତ ପ୍ରଭାବିତ ହୋଇଛି। ବନ୍ୟାଜଳ ଯୋଗୁଁ ଚାଷଜମି ଜଳମଗ୍ନ ହେବା ସହ ଚାଷବାସରେ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ଦେଖାଦେଇଛି। ଜଳସ୍ତର ଆହୁରି ବଢ଼ିଲେ ପରିସ୍ଥିତି ଗମ୍ଭୀର ହେବାର ଆଶଙ୍କା ରହିଛି। ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ଆବଶ୍ୟକ ସ୍ଥଳେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି।
