ମନ୍ଦିର ସଭାମଣ୍ଡପ ଛାତ ଭୁଶୁଡ଼ି ୭ ମୃତ, ୩୦ରୁ ଅଧିକ ଆହତ
ମହାରାଷ୍ଟ୍ରର ପରଭଣୀ ଜିଲ୍ଲା ମାନବତ ତହସିଲ ଅନ୍ତର୍ଗତ ଯଶୱାଡି ଗ୍ରାମର ପ୍ରସିଦ୍ଧ ହନୁମାନ ମନ୍ଦିର ପରିସରରେ ଭୟାବହ ଅଘଟଣ । ଘଟଣାରେ ୭ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ।

ପରଭଣୀ: ମନ୍ଦିର ସଭାମଣ୍ଡପ ଛାତ ଭୁଶୁଡ଼ି ୭ ମୃତ, ୩୦ରୁ ଅଧିକ ଆହତ । ମହାରାଷ୍ଟ୍ରର ପରଭଣୀ ଜିଲ୍ଲା ଯଶବନ୍ତୱାଡ଼ି ଗ୍ରାମର ପ୍ରସିଦ୍ଧ ହନୁମାନ ମନ୍ଦିର ପରିସରରେ ଏକ ଭୟାବହ ଅଘଟଣ । ମନ୍ଦିର ସମ୍ମୁଖରେ ନିର୍ମାଣାଧୀନ ସଭାମଣ୍ଡପର ଛାତ ହଠାତ୍ ଭୁଶୁଡ଼ି ପଡ଼ିବାରୁ ଭକ୍ତମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପ୍ରାଥମିକ ସୂଚନା ଅନୁସାରେ, ଘଟଣାରେ ୭ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଅନେକ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତକ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଶନିବାର ହେତୁ ମନ୍ଦିରରେ ଦର୍ଶନ, କୀର୍ତ୍ତନ ଓ ମହାପ୍ରସାଦ ପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମିଥିଲା। ଏଠାରେ ଥିବା ହନୁମାନ ମନ୍ଦିର ପରିସରରେ ଗତ କିଛି ଦିନ ହେବ ନିର୍ମାଣ କାର୍ଯ୍ୟ ଚାଲିଥିଲା। । ଶନିବାର ହୋଇଥିବାରୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଅଧିକ ଥିଲା, ଭିଡ଼କୁ ଦେଖି ସେହି ଦିନ ନିର୍ମାଣ କାର୍ଯ୍ୟ ବନ୍ଦ ସୁଦ୍ଧା ଲୋକମାନେ ପରିସରରେ ଉପସ୍ଥିତ ଥିଲେ। ଏହି ସମୟରେ ନିର୍ମାଣାଧୀନ ସଭାମଣ୍ଡପର ଏକ ପିଲର ଭାଙ୍ଗିଯିବା ସହ ଛାତର ବଡ଼ ଅଂଶ ତଳକୁ ଖସି ପଡ଼ିଥିଲା। ଫଳରେ ଅନେକ ଭକ୍ତ ଧ୍ୱଂସାବଶେଷ ତଳେ ଚାପି ହୋଇଯାଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ପ୍ରାୟ ୧୫ ଫୁଟ ଲମ୍ବ ଓ ୧୫ ଫୁଟ ଓସାରର ଏକ ସ୍ଲାବ୍ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ସ୍ଲାବ୍ଟି ପଡ଼ିବା ମାତ୍ରେ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଧାଁ ଦୌଡ଼ ଆରମ୍ଭ ହୋଇଯାଇଥିଲା। ଅନେକ ଲୋକ ଭଗ୍ନାବଶ ତଳେ ଚାପି ହୋଇଛନ୍ତି । ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ, ଜିଲ୍ଲା ପ୍ରଶାସନ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇ ଧ୍ୱଂସାବଶେଷ ତଳେ ଫସିଥିବା ଲୋକଙ୍କୁ ବାହାର କରାଯାଉଛି। ଆହତମାନଙ୍କୁ ପରଭଣୀ ଜିଲ୍ଲା ହସ୍ପିଟାଲ ସମେତ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଥିବା ବେଳେ ଉଚ୍ଚପଦସ୍ଥ ଅଧିକାରୀମାନେ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ସଭାମଣ୍ଡପ ନିର୍ମାଣର ଗୁଣବତ୍ତା ଏବଂ ସୁରକ୍ଷା ନିୟମ ପାଳନ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।
