ପୁଣି ସ୍ୱାଭାବିକ ହେଲା ଟେଲିଗ୍ରାମ ସେବା, VPN ବିନା ଚାଲିବ ଆପ୍
ଭାରତର କୋଟି କୋଟି ଟେଲିଗ୍ରାମ ୟୁଜର୍ସଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର। ସାରା ଦେଶରେ ଟେଲିଗ୍ରାମ ସେବା ପୁଣିଥରେ ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ । ଏବେ ବ୍ୟବହାରକାରୀ କୌଣସି VPN ବିନା ସହଜରେ ଟେଲିଗ୍ରାମ ଆପ୍ ବ୍ୟବହାର କରିପାରିବେ।

ନୂଆଦିଲ୍ଲୀ: ଭାରତର କୋଟି କୋଟି ଟେଲିଗ୍ରାମ ୟୁଜର୍ସଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର। ସାରା ଦେଶରେ ଟେଲିଗ୍ରାମ ସେବା ପୁଣିଥରେ ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ ହୋଇଛି। ଏବେ ବ୍ୟବହାରକାରୀ କୌଣସି VPN ବିନା ସହଜରେ ଟେଲିଗ୍ରାମ ଆପ୍ ବ୍ୟବହାର କରିପାରିବେ। NEET-UG 2026 ପୁନଃପରୀକ୍ଷା ପୂର୍ବରୁ ନକଲି ପ୍ରଶ୍ନପତ୍ର ଓ ଭ୍ରାନ୍ତିକର ସୂଚନା ପ୍ରସାର ହେଉଥିବା ଅଭିଯୋଗରେ ସରକାର ପକ୍ଷରୁ ଗତ ଜୁନ୍ ୧୬ ରୁ ଜୁନ୍ ୨୨ ପର୍ଯ୍ୟନ୍ତ ଟେଲିଗ୍ରାମ ଉପରେ ଅସ୍ଥାୟୀ କଟକଣା ଲାଗୁ କରାଯାଇଥିଲା। ଏହି ଅବଧି ଶେଷ ହେବା ପରେ ଆପ୍ ପୁଣିଥରେ ଗୁଗୁଲ୍ ପ୍ଲେ ଷ୍ଟୋରରେ ଉପଲବ୍ଧ ହୋଇଛି। ସରକାରୀ ନିଷ୍ପତ୍ତି ଅନୁସାରେ ଟେଲିଗ୍ରାମର ୱେବ୍ ଭର୍ସନ ଓ ଅନ୍ୟାନ୍ୟ ସେବା ଉପରେ ମଧ୍ୟ ପୂର୍ବରୁ ସୀମାବଦ୍ଧତା ଥିଲା। ତେବେ ସେଗୁଡ଼ିକୁ ଏବେ ଉଠାଇ ଦିଆଯାଇଛି। ଏହି ସମୟରେ ଟେଲିଗ୍ରାମ ପକ୍ଷରୁ ଶତାଧିକ ବେଆଇନ ଓ ପରୀକ୍ଷା ସମ୍ବନ୍ଧୀୟ ଆପତ୍ତିଜନକ ଚ୍ୟାନେଲ ହଟାଇ ଦିଆଯାଇଛି । କମ୍ପାନୀ କହିଛି ଯେ ଅପବ୍ୟବହାରକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ତେବେ ଟେଲିଗ୍ରାମରେ ଏକ ପରିବର୍ତ୍ତନ ଏପର୍ଯ୍ୟନ୍ତ ରହିବ। ସରକାରୀ ନିର୍ଦ୍ଦେଶ ଅନୁସାରେ ‘ମେସେଜ୍ ଏଡିଟିଂ’ ସୁବିଧା ଜୁନ୍ ୩୦ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସୂଚନା ମିଳିଛି। ଏହା ମାଧ୍ୟମରେ ଭୁଲ ତଥ୍ୟ ଓ ନକଲି ସ୍କ୍ରିନସଟ୍ ପ୍ରସାରକୁ ରୋକିବା ଉଦ୍ଦେଶ୍ୟ ରହିଛି। ଟେଲିଗ୍ରାମର ପ୍ରତିଷ୍ଠାତା ଓ ସିଇଓ ପାଭେଲ ଡୁରୋଭ ପୂର୍ବରୁ ଏହି କଟକଣାକୁ ସମାଲୋଚନା କରି କହିଥିଲେ ଯେ ଏହାର ପ୍ରଭାବରେ ଭାରତର ୧୫ କୋଟିରୁ ଅଧିକ ସାଧାରଣ ବ୍ୟବହାରକାରୀଙ୍କ ଉପରେ ପଡ଼ିଛି। ଟେଲିଗ୍ରାମ ଉପରେ ଲାଗିଥିବା ଏହି ଅସ୍ଥାୟୀ କଟକଣା ଡିଜିଟାଲ ଅଧିକାର, ସୋସିଆଲ ମିଡିଆ ଦାୟିତ୍ୱବୋଧ ଏବଂ ପରୀକ୍ଷା ସୁରକ୍ଷାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଛି।
