ବିଦ୍ୟାଳୟରେ ଶିକ୍ଷକଙ୍କୁ ମାଡ଼ ଘଟଣା: ୬ ଘଣ୍ଟା ହାଇଡ୍ରାମା ପରେ ଅଭିଯୁକ୍ତ ଗିରଫ
ବିଦ୍ୟାଳୟରେ ଶିକ୍ଷକଙ୍କୁ ମାଡ଼ ଘଟଣା । ଫେରାର୍ ହୋଇଥିବା ଚତୁର୍ଥ ଅଭିଯୁକ୍ତ ଗଛ ଚଢି ଆରମ୍ଭ କରିଥିଲ। ରିଅଲ୍ ଲାଇଫ୍ ହାଇଡ୍ରାମା । ଦୀର୍ଘ ୬ ଘଣ୍ଟା ପରେ ଅଭିଯୁକ୍ତକୁ କାବୁ କଲା ଅସ୍ତରଙ୍ଗ ପୋଲିସ ।
କାକଟପୁର: ବିଦ୍ୟାଳୟରେ ଶିକ୍ଷକଙ୍କୁ ମାଡ଼ ଘଟଣା । ଫେରାର୍ ହୋଇଥିବା ଚତୁର୍ଥ ଅଭିଯୁକ୍ତ ଗଛ ଚଢିବା ପରେ ଆରମ୍ଭ ହୋଇଥିଲା ରିଅଲ୍ ଲାଇଫ୍ ହାଇଡ୍ରାମା । ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ରାଇବେରୁଆ ଗାଁରେ ଏଭଳି ଘଟଣା ଘଟିଛି । ଗିରଫ ଭୟରେ ଘଣ୍ଟା ଘଣ୍ଟା ଧରି ଉଚ୍ଚ ଗଛ ଉପରେ ବସିଛି ଅଭିଯୁକ୍ତ ଲିପୁ ବିଶ୍ୱାଳ। ତଳେ ଜାଲ ପକାଇ ସିଡ଼ି ଲଗାଇ ନାକେଦମ ପୋଲିସ ଓ ଅଗ୍ନିଶମ ବାହିନୀ । ଅଭିଯୁକ୍ତକୁ ତଳକୁ ଆସିବାକୁ ବୁଝାସୁଝା କଲେ, ଡାକ ପକାଇଲେ – ହେଲେ ଲିପୁ ତଳକୁ ଓହ୍ଲାଇବାକୁ ନାରାଜ । ରାତି ତମାମ ଗଛ ଉପରେ ଅଭିଯୁକ୍ତ, ତଳେ ଜଗି ରହିଲେ ପୋଲିସ-ଅଗ୍ନିଶମ। ତଥାପି ସେ ଘଣ୍ଟା ଘଣ୍ଟା ଧରି ଗଛ ଉପରେ ରହିଥିଲା। ଦୀର୍ଘ ୬ ଘଣ୍ଟା ପରେ ଅଭିଯୁକ୍ତକୁ କାବୁ କଲା ଅସ୍ତରଙ୍ଗ ପୋଲିସ । ଅଭିଯୁକ୍ତକୁ ଗିରଫ ପରେ କୋର୍ଟରେ ହାଜର କରାଯାଇଛି ।ସୂଚନା ଅନୁଯାୟୀ, ଗୁରୁବାର ଦିନ ୪ ଜଣ ଦୁର୍ବୃତ୍ତ ଅସ୍ତରଙ୍ଗ ବ୍ଲକ ସରିପୁର ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅକ୍ଷୟ ବିଶ୍ବାଳଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଆହତ ଶିକ୍ଷକଙ୍କୁ ଭୁବନେଶ୍ୱରରେ ଚିକିତ୍ସା ଚାଲିଛି। ପତ୍ନୀ କାମିନୀ ବିଶ୍ୱାଳଙ୍କ ଏତଲା ପରେ ଅସ୍ତରଙ୍ଗ ପୋଲିସ ୩ ଅଭିଯୁକ୍ତକୁ କାବୁ କରିଥିବାବେଳେ ଲିପୁ ବିଶ୍ୱାଳ ଫେରାର ହୋଇଯାଇଥିଲା। ଲିପୁ ବିଶ୍ୱାଳ ପୋଲିସକୁ ଦେଖି ବାଇକ୍ ଧରି ରାଇବେରୁଆଁ ଜଙ୍ଗଲକୁ ଖସିଯାଇ ସିଧା ଚଢିଗଲା ଉଚ୍ଚ ଗଛ ଉପରକୁ। ଏହି ଦୃଶ୍ୟ ଦେଖିବାକୁ ଶହ ଶହ ଲୋକ ଭିଡ଼ ଜମିଥିଲା । ଅଞ୍ଚଳରେ ଶିକ୍ଷକଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ସାରା ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଲୋକେ କହୁଛନ୍ତି – "ଗୁରୁଙ୍କୁ ମାଡ଼ ମାରି ଗଛ ଚଢିଲେ ବଞ୍ଚିଯିବ କି?"ଅସ୍ତରଙ୍ଗ ପୋଲିସ କହିଛି, ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।
