ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ: ୨.୮୮ ଲକ୍ଷ SHGଙ୍କୁ ୧୪୭ କୋଟି ସୁଧ ଫେରସ୍ତ
ମିଶନ ଶକ୍ତି ବିଭାଗ ପକ୍ଷରୁ ଭୁବନେଶ୍ୱର ସ୍ଥିତ ମିଶନ ଶକ୍ତି ଭବନରେ ରାଜ୍ୟସ୍ତରୀୟ ‘ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ’ ଆୟୋଜିତ ହୋଇଛି। ସମ୍ମିଳନୀରେ ୨.୮୮ ଲକ୍ଷ SHGଙ୍କୁ ୧୪୭.୭୬ କୋଟି ସୁଧ ଫେରସ୍ତ, ୨୬ ଲକ୍ଷ ଅତିକ୍ରମ କଲା ‘ଲକ୍ଷପତି ଦିଦି’ ସଂଖ୍ୟା ।

ଭୁବନେଶ୍ୱର: ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ୨.୮୮ ଲକ୍ଷ SHGଙ୍କୁ ୧୪୭.୭୬ କୋଟି ସୁଧ ଫେରସ୍ତ, ୨୬ ଲକ୍ଷ ଅତିକ୍ରମ କଲା ‘ଲକ୍ଷପତି ଦିଦି’ ସଂଖ୍ୟା । ମିଶନ ଶକ୍ତି ବିଭାଗ ପକ୍ଷରୁ ଭୁବନେଶ୍ୱର ସ୍ଥିତ ମିଶନ ଶକ୍ତି ଭବନରେ ରାଜ୍ୟସ୍ତରୀୟ ‘ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ’ ଆୟୋଜିତ ହୋଇଛି। ଏଥିରେ ରାଜ୍ୟର ୩୦ ଜିଲ୍ଲାରୁ ପ୍ରାୟ ୩୩୦ ଜଣ ଜିଲ୍ଲାସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ ସଦସ୍ୟା ଅଂଶଗ୍ରହଣ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ୨,୮୮,୧୯୮ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୪୭.୭୬ କୋଟି ଟଙ୍କାର ସୁଧ ଫେରସ୍ତ କରାଯାଇଛି। ସମ୍ମିଳନୀରେ ୨୩,୫୩୬ଟି SHGକୁ ୪୫.୭୧ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି, ୬୨୪ଟି GPLFକୁ ୧୮୯.୫୭ କୋଟି ଟଙ୍କାର ଗୋଷ୍ଠୀ ବିନିଯୋଗ ପାଣ୍ଠି ଏବଂ ୬୫୬ଟି ALFକୁ ୯.୬୪ କୋଟି ଟଙ୍କାର ନିରାପତ୍ତା ପାଣ୍ଠି ପ୍ରଦାନ କରାଯାଇଥିଲା। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନିର୍ଦ୍ଧାରିତ ସମୟର ଏକ ବର୍ଷ ପୂର୍ବରୁ ଓଡ଼ିଶା ୨୫ ଲକ୍ଷ ‘ଲକ୍ଷପତି ଦିଦି’ ଲକ୍ଷ୍ୟ ହାସଲ କରିଛି। ବର୍ତ୍ତମାନ ରାଜ୍ୟରେ ‘ଲକ୍ଷପତି ଦିଦି’ଙ୍କ ସଂଖ୍ୟା ୨୬,୩୯,୯୦୯ରେ ପହଞ୍ଚିଛି। ସେ କହିଥିଲେ, ୨୦୩୬ ସୁଦ୍ଧା ଓଡ଼ିଶାକୁ ସମୃଦ୍ଧ ଓ ବିକଶିତ ଅର୍ଥନୀତିରେ ପରିଣତ କରିବାରେ ମହିଳାମାନେ ପ୍ରମୁଖ ଭୂମିକା ନେବେ। ପ୍ରତ୍ୟେକ SHG ସଦସ୍ୟାଙ୍କୁ ଆତ୍ମନିର୍ଭରଶୀଳ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ସରକାରଙ୍କ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଥିଲେ। ସମ୍ମିଳନୀରେ ମହିଳା-ନେତୃତ୍ୱାଧୀନ ଉଦ୍ୟୋଗ, ବଜାର ସଂଯୋଗ, ଆର୍ଥିକ ସହାୟତା, ପ୍ରଡ୍ୟୁସର ଗ୍ରୁପ୍ ଓ ପ୍ରଡ୍ୟୁସର କମ୍ପାନୀର ବିକାଶ ସହିତ ‘ଓଡ଼ିଶା ଭିଜନ-୨୦୩୬’ରେ ମହିଳାଙ୍କ ଭୂମିକା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିରେ ମିଶନ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ, ବ୍ୟାଙ୍କ ପ୍ରତିନିଧି ଏବଂ ବିଭିନ୍ନ ସହଯୋଗୀ ସଂସ୍ଥାର ସଦସ୍ୟମାନେ ଉପସ୍ଥିତ ଥିଲେ।
