ସୁବାଷ ଚନ୍ଦ୍ରାଙ୍କୁ ଝଟକା- ରିପେମେଣ୍ଟ ପ୍ଲାନରେ ଲାଗିଲା ରୋକ୍
ପୂର୍ବର ଆଦେଶ ଉପରେ ରହିତାଦେଶ ଲଗାଇଦେଲେ। ସମସ୍ତ ପକ୍ଷକୁ ନୋଟିସ ଜାରି କରିଛନ୍ତି ଏନସିଏଲଟି। ଏନସିଏଲଟି କହିଛନ୍ତି, ଗ୍ୟାରେଣ୍ଟର ନିଜ ସମ୍ପତ୍ତି ବିକିବେନି। ଏହାର ପୂର୍ବ ଆଦେଶରେ କରଜଦାତାଙ୍କୁ ମାତ୍ର ୬.୫ କୋଟି ଟଙ୍କା ଦେଇ ସେଟଲମେଣ୍ଟ କରିବାକୁ ସୁବାଷ ଚନ୍ଦ୍ରାଙ୍କୁ ମଞ୍ଜୁରୀ ଦେଇଥିଲା ଏନସିଏଲଟି। ଯେବେକି ବ୍ୟକ୍ତିଗତ ଗ୍ୟାରେଣ୍ଟି ଆଧାରରେ ଋଣ ଭାର ୨୨ହଜାର କୋଟି ଟଙ୍କାର ଥିଲା।

ସୁବାଷ ଚନ୍ଦ୍ରାଙ୍କୁ ବଡ଼ ଝଟକା। ୨୨ହଜାର କୋଟି ଟଙ୍କାର କରଜର ରିପେମେଣ୍ଟ ପ୍ଲାନକୁ ରୋକ୍ ଲଗାଇଛି ଏନସିଏଲଟି । ଏନସିଏଲଟିର ୫ ସଦସ୍ୟ ବିଶିଷ୍ଟ ଖଣ୍ଡପୀଠର ବଡ଼ ନିଷ୍ପତ୍ତି। ପୂର୍ବର ଆଦେଶ ଉପରେ ରହିତାଦେଶ ଲଗାଇଦେଲେ। ସମସ୍ତ ପକ୍ଷକୁ ନୋଟିସ ଜାରି କରିଛନ୍ତି ଏନସିଏଲଟି। ଏନସିଏଲଟି କହିଛନ୍ତି, ଗ୍ୟାରେଣ୍ଟର ନିଜ ସମ୍ପତ୍ତି ବିକିବେନି। ଏହାର ପୂର୍ବ ଆଦେଶରେ କରଜଦାତାଙ୍କୁ ମାତ୍ର ୬.୫ କୋଟି ଟଙ୍କା ଦେଇ ସେଟଲମେଣ୍ଟ କରିବାକୁ ସୁବାଷ ଚନ୍ଦ୍ରାଙ୍କୁ ମଞ୍ଜୁରୀ ଦେଇଥିଲା ଏନସିଏଲଟି। ଯେବେକି ବ୍ୟକ୍ତିଗତ ଗ୍ୟାରେଣ୍ଟି ଆଧାରରେ ଋଣ ଭାର ୨୨ହଜାର କୋଟି ଟଙ୍କାର ଥିଲା। ଏଭଳି ଆଦେଶକୁ ନେଇ ସବୁଠି ହଇଚଇ ସୃଷ୍ଟି ହୋଇଥିଲା। ଯଦିଓ ସୁବାଷ ଚନ୍ଦ୍ରାଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଭାରତୀୟ ବ୍ୟାଙ୍କର କ୍ଲେମ୍ ମାତ୍ର ୫ହଜାର୩୧୧କୋଟି ଟଙ୍କାର। ଆଉ ତାଙ୍କର ଆଶା ଅଛି ଯେ, ମୁଖ୍ୟ କରଜଦାତା ଓ ଉଧାର ଦେଇଥିବା ସମସ୍ତ ଟଙ୍କା ସେ ପରିଶୋଧ କରିଦେବେ। ୨୨ହଜାର କୋଟି ଟଙ୍କା ଋଣକୁ ନେଇ ଭ୍ରମିତ କରାଯାଉଛି। ତାଙ୍କର ବ୍ୟକ୍ତିଗତ ଋଣ ଶୂନ୍। ସୋମବାର ସୋସିଆଲ ମିଡିଆରେ ଲାଇଭରେ ଆସି ୩ ପୃଷ୍ଠାର ଡକ୍ୟୁମେଣ୍ଟ ଦେଖାଇଥିଲେ ସୁବାଷ ଚନ୍ଦ୍ରା। ଦସ୍ତାବିଜ ଦେଖାଇ କହିଥିଲେ ଯେ, ୨୨ହଜାର କୋଟି ଟଙ୍କାର ବ୍ୟକ୍ତିଗତ ଗ୍ୟାରେଣ୍ଟିରୁ କେବଳ ୪,୮୦୦ କୋଟିର ଗ୍ୟାରେଣ୍ଟି କରଜ ନେବା ବେଳେ କମ୍ପାନୀ ଦେଇଥିଲା। ବାକି ଗ୍ୟାରେଣ୍ଟି ଡିଫଲ୍ଟ ପରେ ଦିଆଯାଇଥିଲା। ୪ହଜାର୮ଶହ କୋଟିରୁ ୩,୮୦୩ କୋଟି ଟଙ୍କା ସୁଝିଦିଆଯାଇଛି। ତେବେ ଲାଇଭରେ କହୁଥିବା ବେଳେ କମେଣ୍ଟ ସେକ୍ସନକୁ ଲକ୍ ରଖିଥିଲେ ସୁବାଷ। ଯାହା ଫଳରେ କେବଳ ଏକତରଫା କଥା ସାମ୍ନାକୁ ଆସିଥିଲା। ଅସଲରେ ଏ ବିବାଦ ସେତେବେଳେ ଗମ୍ଭୀର ହୋଇଥିଲା, ଯେତେବେଳେ ପଲାତକ ବିଜୟ ମାଲ୍ୟା ଏକ୍ସ-ରେ ପୋଷ୍ଟ କରି ଏନସିଏଲଟିର ନିଷ୍ପତ୍ତିକୁ ଭାରତୀୟ ନ୍ୟାୟକୁ ଅସଲ ଉପହାସ ବୋଲି କହିଥିଲେ। ଆଉ ଆରୋପ ଲଦିଥିଲେ, ୨୨ହଜାର କୋଟି ଟଙ୍କାର କରଜକୁ ମାତ୍ର କିଛି କୋଟି ଟଙ୍କାରେ ସେଟଲ କରିଦିଆଗଲା। ଏନସିଏଲଟିର ରିପେଣ୍ଟ ପ୍ଲାନ ମଞ୍ଜୁରୀକୁ ଚ୍ୟାଲେଞ୍ଜ କରିଥିଲା ଏଲଆଇସି ହାଉସିଂ ଫାଇନାନ୍ସ ଓ ୟୁନିଅନ ବ୍ୟାଙ୍କ୍। ସେମାନେ ନାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲରର ରାୟକୁ ନାସନାଲ କମ୍ପାନୀ ଲ ଆପିଲିଏଟ ଟ୍ରବ୍ୟୁନାଲ ବା ଏନସିଏଲଟିରେ ଅପିଲ୍ କରିବାକୁ ଯୋଜନା କରିଥିଲେ। ୨୨୦୦୬.୫୭ କୋଟିରୁ ମାତ୍ର ୬.୫ କୋଟି ସୁଝିବାକୁ ମଞ୍ଜୁରୀ ଦେଇଥିଲା ଏନସିଏଲଟି। ଅର୍ଥାତ୍ ଋଣଦାତାଙ୍କୁ ୯୯.୯୭ ପ୍ରତିଶତ କ୍ଲେମ୍ ମିଳିବନି। ଏହାକୁ ହେୟାରକଟ କୁହାଯାଏ। କେବଳ ୦.୦୩ ପ୍ରତିଶତ ରିକଭରି ହୋଇଥାଆନ୍ତା। ତେବେ ଏନସିଏଲଟି କେମିତି ତୁଟାଇଥିଲା ଏ ବିବାଦ। ଏନସିଏଲଟିର ଦୁଇ ସଦସ୍ୟ ବିଶିଷ୍ଟ ଖଣ୍ଡପୀଠରେ ବିଭାଜିତ ରାୟ ଆସିଥିଲା। ଏହା ପରେ ଏନସିଏଲଟି ଅଧ୍ୟକ୍ଷ ତୃତୀୟ ସଦସ୍ୟ ଭାବେ ଜୁଡିସିଆଲ ମେମ୍ୱର ନୀଲେଶ ଶର୍ମାଙ୍କୁ ନିଯୁକ୍ତ କରିଥିଲେ। ନୀଲେଶ ଶର୍ମା ବହୁମତ ଆଧାରରେ ୧୪୪ ପୃଷ୍ଠାର ଆଦେଶରେ ରିପେମେଣ୍ଟ ପ୍ଲାନକୁ ମଞ୍ଜୁରୀ ଦେଇଦେଲେ। ଏତେ ବଡ଼ ଅର୍ଥ ସୁବାଷ ଚନ୍ଦ୍ରାଙ୍କ ଦ୍ୱାରା ପର୍ସନାଲ ଗ୍ୟାରେଣ୍ଟି ସହ ଜଡ଼ିତ। ଏସେଲ ଗ୍ରୁପ କମ୍ପାନୀ ପାଇଁ ନିଆଯାଇଥିବା ଲୋନ୍ ପାଇଁ ସୁବାଷ ଚନ୍ଦ୍ରା ବ୍ୟକ୍ତିଗତ ଗ୍ୟାରେଣ୍ଟର ପଡ଼ିଥିଲେ। କମ୍ପାନୀ ଖିଲାଫି କରିବାରୁ ଏହି ଋଣ ସୁଝିବା ଦାବି ସୁବାଷଙ୍କ ଉପରେ ପଡ଼ିଥିଲା। ଏହାର ଅର୍ଥ ନୁହେଁ ଯେ, ସେ ସବୁତକ ଟଙ୍କା ନିଜେ ଧାର ନେଇଥିଲେ। ଏ ପୁରା ମାମଲା ୨୦୧୬ରେ ଆରମ୍ଭ ହୋଇଥିଲା। ଯେବେ ଇଣ୍ଡିଆବୁଲ୍ସ ହାଉସିଂ ଫାଇନାନ୍ସ (IHF) କିଛି କମ୍ପାନୀକୁ ୭୨୬ କୋଟି ଟଙ୍କାର କରଜ ଦେଇଥିଲା। ୨୦୧୮ରେ ସୁବାଷ ଚନ୍ଦ୍ରା ଏହି ଋଣର ବ୍ୟକ୍ତିଗତ ଗ୍ୟାରେଣ୍ଟର ସାଜିଥିଲେ। ଅର୍ଥାତ୍ ବାକି କମ୍ପାନୀ ଟଙ୍କା ନ ସୁଝିଲେ, ସୁବାଷ ଚନ୍ଦ୍ରା ହିଁ ଏହାକୁ ଭରଣା କରିବେ। ଯେବେ କମ୍ପାନୀଗୁଡ଼ିକ ଋଣ ସୁଝିବାରେ ଖିଲାଫି ହେଲେ, ଇଣ୍ଡିଆବୁଲ୍ସ ୨୦୨୨ରେ ସୁବାଷ ଚନ୍ଦ୍ରାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲା। ୨୦୨୪ରେ ଏନସିଏଲଟି ଏହି କେସକୁ ଆଗକୁ ବଢ଼ାଇଥିଲା। ତେବେ ପ୍ରଶ୍ନ ଉଠୁଛି। ମାମଲା ୧୭୮ କୋଟିର ନୋଟିସରୁ ବଢ଼ି କେମିତି ୨୨ହଜାର କୋଟି ହୋଇଗଲା। ନିୟମ ଅନୁସାରେ, ଯଦି କୌଣସି ବ୍ୟକ୍ତି ବିରୁଦ୍ଧରେ ଦେବାଳିଆ ପ୍ରକ୍ରିୟା ଆରମ୍ଭ ହୁଏ। ତାହେଲେ ତାଙ୍କୁ କରଜ ଦେଇଥିବା ସମସ୍ତେ ନିଜ ନିଜ ବାକି ଟଙ୍କା ମାଗିବାକୁ ଆସନ୍ତି। ଏସେଲ ଗ୍ରୁପର ଅଲଗା କମ୍ପାନୀ କରଜ ପାଇ ଏଚଡିଏଫସି, ଆକ୍ସିସ, କାନାଡ଼ା ଓ ଆରବିଏଲ ଭଳି ବ୍ୟାଙ୍କର ପର୍ସନାଲ ଗ୍ୟାରେଣ୍ଟି ନେଇଥିଲେ ସୁବାଷ ଚନ୍ଦ୍ରା। ଏ ସମସ୍ତ ବ୍ୟାଙ୍କର ପୁରୁଣା କରଜ, ବର୍ଷ ବର୍ଷ ଧରି ସୁଧ ଓ ଜରିମାନାକୁ ମିଶାଇଦେଲେ ମୋଟ୍ ୨୨ହଜାର୬କୋଟି୫୭ଲକ୍ଷ ଟଙ୍କା ହୋଇଯାଇଥିଲା। ଆଉ ଏବେ୨୨ହଜାର କୋଟି ବଦଳରେ ମାତ୍ର ୬.୫ କୋଟି ରିପେଣ୍ଟ ପ୍ଲାନକୁ ମଞ୍ଜୁରୀ ଦେଇଥିଲା ଏନସିଏଲଟି। ତେବେ ଏଲଆଇସି ହାଉସିଂ ଫାଇନାନ୍ସ ଭଳି କିଛି ଋଣଦାତା ଏହି ରିପେମେଣ୍ଟ ବା ପରିଶୋଧ ପ୍ଲାନକୁ ନେଇ ଆପତ୍ତି ଉଠାଇଥିଲେ। ଏହାକୁ ଅବ୍ୟବହାରିକ ଓ ବେଆଇନ ବୋଲି କହିଥିଲା ଏଲଆଇସି। ଏଲଆଇସି ହାଉସିଂ କହିଥିଲା, ସେମାନେ ୧୩୨୨କୋଟି ୩୯ଲକ୍ଷ ଟଙ୍କା ପାଇବା ବଦଳରେ ଦିଆଯାଉଛି ମାତ୍ର ୩୮.୦୯ଲକ୍ଷ ଟଙ୍କା। ଅସହମତି ବା ଆପତ୍ତି ଜାହିର କରିଥିବା କରଜଦାତାଙ୍କ ଦାବିକୁ ଖାରଜ କରିଦେଇଥିଲା ଏନସିଏଲଟି। ଏନସିଏଲଟିର କହିବା କଥା, ବିରୋଧ କରୁଥିବା କରଜଦାତାଙ୍କ ପାଖରେ ୨୦ ପ୍ରତିଶତରୁ କମ୍ ଭୋଟିଂ ସେୟାର ଥିଲେ। ରିପେମେଣ୍ଟ ପ୍ଲାନକୁ ୮୦.୮୧ ପ୍ରତିଶତ ଭୋଟିଂ ସେୟାର ଥିବା କରଜଦାତାଙ୍କଠୁ ଜରୁରୀ ମଞ୍ଜୁରୀ ମିଳିସାରିଛି। ଆଇନ ମୁତାବକ, ବହୁମତ ମଞ୍ଜୁରୀ କାରଣରୁ ଟ୍ରିବ୍ୟୁନାଲ ଏ ସବୁ ଆପତ୍ତି ଓ ଅସହମତି ଦାବିକୁ ଖାରଜ କରିଦେଇଛନ୍ତି। ଆଉ ଏଭଳି ରିପେମେଣ୍ଟ ପ୍ଲାନ ଠିକ୍ ବୋଲି କହିଥିଲେ ଏନସିଏଲଟି। ଟ୍ରିବ୍ୟୁନାଲ କହିଥିଲେ ଯେ, ରିଜୋଲୁସନ ପ୍ରଫେସନାଲ ଅନୁସାରେ ସୁବାଷ ଚନ୍ଦ୍ରାଙ୍କ ବ୍ୟକ୍ତିଗତ ସମ୍ପତ୍ତିର ମୂଲ୍ୟ ପ୍ଲାନରେ ଦିଆଯାଇଥିବା ଅର୍ଥରାଶିରୁ ବି କମ୍। ଯଦି ଏହି ପ୍ଲାନ୍ ଖାରଜ ହୋଇଥାଆନ୍ତା, ତାହେଲେ ଚନ୍ଦ୍ରା ଦେବାଳିଆ ଘୋଷିତ ହୋଇଥାଆନ୍ତେ। କରଜଦାତାଙ୍କୁ ଏହାଠୁ ବି କମ୍ ରାଶି ମିଳିଥାଆନ୍ତା। ପ୍ଲାନ୍ ମଞ୍ଜୁରୀ ହେଲେ ଚନ୍ଦ୍ରା ପୁଣି ଥରେ ଅଣ୍ଟା ସଳଖିପାରିବେ ଓ ମୂଳ କରଜଦାତା ଭବିଷ୍ୟତରେ ତାଙ୍କଠୁ ଅସୁଲି କରିବାର ସମ୍ଭାବନା ରହିବ। ଏନସିଏଲଟି ଏହା ବି ସ୍ପଷ୍ଟ କରିଛନ୍ତି ଯେ, କରଜଦାତାଙ୍କ ପାଖରେ ମୂଳ ଋଣ ନେଇଥିବା ବ୍ୟକ୍ତି ବା କମ୍ପାନୀଠୁ ବକେୟା ଅସୁଲିର ଅଧିକାର ବଳବତ୍ତର ରହିବ। ତେବେ ଏ ମାମଲା ଭବିଷ୍ୟତରେ ଭାରତୀୟ ବ୍ୟାକିଂ ଓ କର୍ପୋରେଟ ସେକ୍ଟର ଉପରେ ବଡ଼ ପ୍ରଭାବ ପକାଇବ। ଯଦି ୭୫ ପ୍ରତିଶତରୁ ଅଧିକ ଋଣ ଦେଇଥିବେ। ବ୍ୟାଙ୍କ ବା ବ୍ୟକ୍ତି କୌଣସି ରିପେମେଣ୍ଟ ପ୍ଲାନ ଉପରେ ରାଜି ହୁଅନ୍ତି। ତାହେଲେ ଅଦାଲତ ଏହି କାରବାର ବା ବୁଝାମଣାକୁ ଅନ୍ତିମ ଫୈସଲା ମାନିବେ ବୋଲି ଚର୍ଚ୍ଚା ହେଉଥିଲା।
