ସିକ୍କିମରେ ଟନେଲ ଟ୍ରାଜେଡି: ୨୦ ଶ୍ରମିକଙ୍କ ମୃତ୍ୟୁ
ସିକ୍କିମରେ ଟନେଲ ଟ୍ରାଜେଡି। ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି। ଆହୁରି ୫ ଭିତରେ ଫସିଥିବା ଆଶଙ୍କା। ନାମଚି ଜିଲ୍ଲାରେ ନିର୍ମାଣଧୀନ NHPC ତିସ୍ତା ଷ୍ଟେଜ-୬ ପ୍ରକଳ୍ପର ସୁଡ଼ଙ୍ଗରେ ଭୂସ୍ଖଳନ। ଉଦ୍ଧାର କାର୍ଯ୍ୟ ଜାରି ।
ସିକ୍କିମ: ମିଥେନ୍ ଗ୍ୟାସ ବିସ୍ଫୋରଣରେ ସିକ୍କିମରେ ବଡ଼ ଅଘଟଣ । ସିକ୍କିମର ନାମଚି ଜିଲ୍ଲାରେ ହଠାତ୍ ନିର୍ମାଣଧୀନ ଟନେଲ ଭୁଶୁଡି ୨୦ ମୃତ । ଏବେବି ଫସିଛନ୍ତି ୫ ଜଣ। ଉଦ୍ଧାର କାର୍ଯ୍ୟ ରହିଛି ଜାରି। ସୂଚନା ଅନୁସାରେ, ସିକ୍କିମର ନାମଚି ଜିଲ୍ଲାର ସମାରଦୁଙ୍ଗସ୍ଥିତ NHPC ତିସ୍ତା ଷ୍ଟେଜ-୬ ପ୍ରକଳ୍ପର ନିର୍ମାଣଧୀନ ଟନେଲରେ ମିଥେନ୍ ଗ୍ୟାସ ବିସ୍ଫୋରଣ ପରେ ଟନେଲ ଧସିଯିବାରୁ ୨୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଆହୁରି ୫ ଜଣ ଶ୍ରମିକ ସୁଡ଼ଙ୍ଗ ଭିତରେ ଫସି ରହିଥିବାରୁ ସେମାନଙ୍କୁ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଅଭିଯାନ ଜାରି ରହିଛି। ପୋଲିସ ସୂଚନା ଅନୁଯାୟୀ, ଫସିଥିବା ୨୫ ଜଣଙ୍କ ମଧ୍ୟରୁ ୨୦ ଜଣଙ୍କ ମୃତ୍ୟୁ ହୋଇଛି। ୧୨ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସେଥିମଧ୍ୟରୁ ୧୧ ଜଣ ପଶ୍ଚିମବଙ୍ଗର ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଏନଏଚପିସି ପକ୍ଷରୁ କୁହାଯାଇଛି ଯେ, ପଥର ଭିତରେ ସଞ୍ଚିତ ମିଥେନ୍ ଗ୍ୟାସର ହଠାତ୍ ବିସ୍ଫୋରଣ ଫଳରେ ଘନ ଧୂଆଁ ଓ ବିଷାକ୍ତ ଗ୍ୟାସ ସୃଷ୍ଟି ହୋଇ ସୁଡ଼ଙ୍ଗ ଭୂସ୍ଖଳନ ହୋଇଥିଲା।

ଏହି ଘଟଣାକୁ ନେଇ ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତାମାଙ୍ଗ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏହାସହ ଟନେଲ ଭୁଶୁଡିବା କାରଣ ଜାଣିବାକୁ ତଦନ୍ତ ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯିବ ବୋଲି ମଧ୍ୟ କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଓ ଆହତମାନଙ୍କୁ ୫୦ ହଜାର ଟଙ୍କା ଘୋଷଣା କରିବା ସହ ରାଜ୍ୟ ସରକାରଙ୍କୁ କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାର ପ୍ରତିଶ୍ରୁତି ଦେଇଛନ୍ତି।
