ଭତ୍ତା ଦାବିରେ ରାସ୍ତାକୁ ଓହ୍ଲାଇଲେ ୯ ପଞ୍ଚାୟତର ସରପଞ୍ଚ ଓ ଜନସାଧାରଣ
ଭତ୍ତା ବଣ୍ଟନରେ ଅନିୟମିତତା ଅଭିଯୋଗ, ଶରତ ବଜାରରେ ୯ ପଞ୍ଚାୟତର ସରପଞ୍ଚ ଓ ଜନସାଧାରଣଙ୍କ ରାସ୍ତାରୋକ ଓ ବିକ୍ଷୋଭ ପ୍ରଦର୍ଶନ।

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅନ୍ତର୍ଗତ ଶରତ ବଜାରଠାରେ ବିଭିନ୍ନ ଭତ୍ତା ପ୍ରଦାନରେ ଅନିୟମିତତା ଅଭିଯୋଗ ଏବଂ ବିଭିନ୍ନ ଦାବି ନେଇ ୯ଟି ଗ୍ରାମପଞ୍ଚାୟତର ସରପଞ୍ଚ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ବ୍ୟାପକ ରାସ୍ତାରୋକ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୂଚନା ଅନୁଯାୟୀ, ଆନ୍ଦୋଳନକାରୀମାନେ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ। ଭତ୍ତା ପ୍ରଦାନ ପ୍ରକ୍ରିୟା ଏବଂ ପ୍ରଶାସନର କାର୍ଯ୍ୟାନୁଷ୍ଠାନରେ ଅସନ୍ତୋଷ ପ୍ରକାଶ କରି ଆନ୍ଦୋଳନକାରୀମାନେ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ବାର୍ଦ୍ଧକ୍ୟ, ବିଧବା ଓ ବିକଳାଙ୍ଗ ଭତ୍ତା ହିତାଧିକାରୀଙ୍କୁ ପୂର୍ବଭଳି ପଞ୍ଚାୟତରେ ନଗଦ ଆକାରରେ ଭତ୍ତା ଟଙ୍କା ପ୍ରଦାନ, ଦୀର୍ଘ ୨ ବର୍ଷ ଧରି ନୂଆ ଭତ୍ତା ପାଇଁ ଆବେଦନ କରିଥିବା ହିତାଧିକାରୀଙ୍କ ଆବେଦନକୁ ତୁରନ୍ତ ମଞ୍ଜୁର କରିବା ଏବଂ ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଭତ୍ତା ହିତାଧିକାରୀଙ୍କୁ ବ୍ୟାଙ୍କ୍ ଜରିଆରେ ଟଙ୍କା ପ୍ରଦାନ ପ୍ରକ୍ରିୟା ବନ୍ଦ କରିବା ସହ ସମସ୍ତ ଭତ୍ତା ହିତାଧିକାରୀଙ୍କୁ ମାସିକ ୩,୦୦୦ ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରାଯିବା ନେଇ ଦାବି କରାଯାଇଛି।
ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ସଂଖ୍ୟକ ଜନସାଧାରଣଙ୍କ ସହ ୯ଟି ପଞ୍ଚାୟତର ସରପଞ୍ଚ ଯୋଗଦେଇଥିଲେ। ଭତ୍ତା ପ୍ରଦାନ ବ୍ୟବସ୍ଥାରେ ରହିଥିବା ସମସ୍ୟାର ତୁରନ୍ତ ସମାଧାନ ସହ ଦାବିଗୁଡ଼ିକ ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଥିବା ଜଣାପଡ଼ିଛି।

