ଦୁବାଇରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଦୁବାଇରେ ପହଞ୍ଚିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୟୁଏଇରେ ନିବେଶକ ଓ ଶିଳ୍ପ ପ୍ରତିନିଧିଙ୍କ ସହ ଆଜିଠୁ ଉଚ୍ଚସ୍ତରୀୟ ଆଲୋଚନା।

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ରାତିରେ ଦୁବାଇରେ ପହଞ୍ଚିଛନ୍ତି। ଦୁବାଇରେ ପହଞ୍ଚିବା ପରେ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ସମେତ ସେଠାରେ ବସବାସ କରୁଥିବା ଓଡ଼ିଆ ସମ୍ପ୍ରଦାୟର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ। ଆଜିଠାରୁ ଦୁବାଇରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ନିବେଶକ ଓ ଶିଳ୍ପ ପ୍ରତିନିଧିମାନଙ୍କ ସହ ବିଭିନ୍ନ ଉଚ୍ଚସ୍ତରୀୟ ଆଲୋଚନା ଆରମ୍ଭ ହେବ। ଏହି ଅବସରରେ ଓଡ଼ିଶାରେ ଉପଲବ୍ଧ ନିବେଶ ସୁଯୋଗ, ଶିଳ୍ପ ସମ୍ଭାବନା ଓ ବ୍ୟବସାୟିକ ସୁଯୋଗ ସମ୍ପର୍କରେ ବିଶ୍ୱ ନିବେଶକଙ୍କୁ ଅବଗତ କରାଯିବ। ଦୁବାଇ ଗସ୍ତ ସମୟରେ ବିଭିନ୍ନ ଶିଳ୍ପ ସଂସ୍ଥା ଓ ନିବେଶକଙ୍କ ସହ ଆଲୋଚନା ମାଧ୍ୟମରେ ଓଡ଼ିଶାରେ ନୂଆ ନିବେଶ ଆକର୍ଷଣ ଏବଂ ଶିଳ୍ପ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ରହିବ। ଏହି ଗସ୍ତ ମାଧ୍ୟମରେ ଓଡ଼ିଶାର ଶିଳ୍ପ ଓ ନିବେଶ ସମ୍ଭାବନାକୁ ୟୁଏଇ ସମେତ ବିଶ୍ୱ ନିବେଶକଙ୍କ ସମ୍ମୁଖରେ ପ୍ରଦର୍ଶନ କରିବା ସହ ରାଜ୍ୟରେ ଅଧିକ ପୁଞ୍ଜିନିବେଶ ଓ ଶିଳ୍ପ ବିକାଶର ନୂଆ ସୁଯୋଗ ସୃଷ୍ଟି ଲକ୍ଷ୍ୟ ରହିଛି।
