ବଡଦାଣ୍ଡରେ ଗଡିବ ତିନି ରଥ । ‘ଛେରାପହଁରା’ ନୀତି ସମ୍ପନ୍ନ
ରଥପଥ ପ୍ରସ୍ତୁତ। ବଡଦାଣ୍ଡରେ ଗଡିବ ତିନି ରଥ। ଗଜପତି ମହାରାଜାଙ୍କ ଦ୍ୱାରା ସମ୍ପନ୍ନ ହେଲା ‘ଛେରାପହଁରା’ ନୀତି।

ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ମହାପ୍ରଭୁଙ୍କ ରଥଯାତ୍ରା। ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ଶ୍ରୀକ୍ଷେତ୍ର। ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଜନସମୁଦ୍ର ପାଲଟିଛି ପୁରୀ ବଡଦାଣ୍ଡ। ରଥରେ ଗଜପତି ମହାରାଜାଙ୍କ ଦ୍ୱାରା ସମ୍ପନ୍ନ ହୋଇଛି ପବିତ୍ର ‘ଛେରାପହଁରା’ ନୀତି। ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ ପରମ୍ପରା ଅନୁଯାୟୀ ଏହି ନୀତି ପାଳନ କରିଛନ୍ତି। ଶ୍ରୀଗୁଣ୍ଡିଚା ଯାତ୍ରାର ଅନ୍ୟତମ ମୂଖ୍ୟ ଆକର୍ଷଣ ହେଉଛି ପୁରୀ ଗଜପତି ମହାରାଜାଙ୍କ ତିନି ରଥ ଉପରେ ଛେରାପହଁରା ସେବା । ପରମ୍ପରା ଅନୁଯାୟୀ, ଶ୍ରୀନଅରରୁ ତାମଜାନରେ ଶୋଭାଯାତ୍ରା କରି ଗଜପତି ମହାରାଜା ରଥ ନିକଟରେ ପହଞ୍ଚିଥିଲେ। ପ୍ରଥମେ ତିନି ରଥରେ ସୁବାସିତ ଜଳ ସିଞ୍ଚନ କରିଥିଲେ। ପରେ ବଡ଼ଠାକୁର ବଳଭଦ୍ରଙ୍କ ରଥ ‘ତାଳଧ୍ୱଜ’, ହଳଦୀ ମୁହିଁ ମା ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନନ୍ଦିଘୋଷରେ ସୁବର୍ଣ୍ଣ ଝାଡୁରେ ରଥର ଚାରିପାଖେ ଛେରାପହଁରା ନୀତି ସମ୍ପନ୍ନ କରିଛନ୍ତି । ଏହି ଛେରାପହଁରା ନୀତିକୁ ଦେଖି ଭାବବିହ୍ବଳ ହୋଇଛନ୍ତି ସିଂହଦ୍ୱାରରେ ଥିବା ଲକ୍ଷାଧିକ ଭକ୍ତ। ସେପଟେ ଛେରାପହଁରା ନୀତି ସମାପ୍ତ ହୋଇଥିବା ବେଳେ ଏବେ ଆରମ୍ଭ ହେବ ରଥଟଣା। ପଥ ପ୍ରସ୍ତୁତ ହୋଇଥିବାବେଳେ ରଥାରୂଢ଼ ଦିଅଁଙ୍କୁ ଦେଖି ଭକ୍ତ କୃତ୍ୟ କୃତ୍ୟ।
