ରାମମନ୍ଦିରର ଦାନ ଟଙ୍କା ଖାଇଲା କିଏ?
ରାମମନ୍ଦିର ପାଇଁ ୫ଶହ ବର୍ଷ ଅପେକ୍ଷା କଲେ। ଏବେ ୧୫ଦିନ ଅପେକ୍ଷା କରନ୍ତୁ ବୋଲି କହିଥିଲେ ଯୋଗୀ। ଶିବସେନା(ୟୁବିଟି) ନିଜ ମୁଖପତ୍ର ସାମ୍ନାର ସମ୍ପାଦକୀୟରେ ରାମମନ୍ଦିରକୁ ବିଜେପି ଲୁଟିଲା ବୋଲି ଲେଖିଥିଲା। ଆଜି ସରକାରଙ୍କୁ ଏସଆଇଟି ଦେଲା ତଦନ୍ତ ରିପୋର୍ଟ।

ରାମ ମନ୍ଦିରର ଚାନ୍ଦା ଚୋରି। ଦାନ ଅର୍ଥକୁ କିଏ ହଡ଼ପ କଲା। ୨ଶହ କୋଟିରୁ ଅଧିକ ଧନରାଶି, ଦାମୀ ଆଭୂଷଣ କିଏ କଲା ଚୋରି। ରାମମନ୍ଦିର ଦାନପାତ୍ରରୁ କଥିତ ଗଡ଼ବଡ଼ି ଓ ହେରାଫେରିର ମାମଲା ସାମ୍ନାକୁ ଆସିବା ପରେ ସବୁଠି ହଇଚଇ। ଏ ସମ୍ପର୍କରେ ଏସଆଇଟି ନିଜର ପ୍ରାରମ୍ଭିକ ରିପୋର୍ଟ ୟୁପି ସରକାରଙ୍କୁ ଦେଇସାରିଛି। ରିପୋର୍ଟରେ ବିଭିନ୍ନ ପ୍ରକ୍ରିୟାଗତ ତ୍ରୁଟି, ଆର୍ଥିକ ଅନିୟମିତତା ଓ ଆଗାମୀ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୁପାରିଶ ଥିବା ଜଣାପଡ଼ିଛି। ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ ଶାସନାତ୍ମକ ଓ ଆଇନଗତ ପଦକ୍ଷେପ ନିଆଯାଇପାରେ। ମାମଲାକୁ ନେଇ ଲକ୍ଷ୍ନୌ ହାଇକୋର୍ଟରେ ପିଆଇଏଲ ଦାୟର ହୋଇଥିଲା। ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଏହି ପୁରା ମାମଲାର ନ୍ୟାୟିକ ତଦନ୍ତ ଦାବି କରାଯାଇଛି। ତେବେ ତଦନ୍ତରେ ଏସଆଇଟି ଲାଗି ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା ସିସିଟିଭି ଫୁଟେଜର ସୀମିତ ବ୍ୟାକଅପ୍। କାରଣ ମନ୍ଦିର ପରିସରର ସିସିଟିଭିର ବ୍ୟାକଅପ କେବଳ ୪୫ ଦିନ ଯାଏ ଉପଲବ୍ଧ ରହିଛି। ଅଯୋଧ୍ୟା ରାମ ମନ୍ଦିରରେ ଭକ୍ତଙ୍କ ଦ୍ୱାରା ଦିଆଯାଉଥିବା ଦାନ ରାଶି ଏବଂ ମୂଲ୍ୟବାନ ସାମଗ୍ରୀର ହିସାବରେ ଅନିୟମିତତା ଓ ଚୋରି ହୋଇଥିବା ଅଭିଯୋଗକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି। ମନ୍ଦିରର ଦାନପାତ୍ର ଏବଂ ସିଧାସଳଖ ଭାବେ ଭକ୍ତମାନେ ଦେଉଥିବା ନଗଦ ଅର୍ଥ, ସୁନା, ରୂପା ଓ ଅନ୍ୟାନ୍ୟ ମୂଲ୍ୟବାନ ଉପହାରର ହିସାବରେ ଗଡ଼ବଡ଼ି ହୋଇଥିବା ଅଭିଯୋଗ ଉପରେ ତଦନ୍ତ ଚାଲିଛି। ପ୍ରତିଦିନ ଲକ୍ଷାଧିକ ଭକ୍ତଙ୍କ ଆଗମନ ହେଉଥିବାରୁ ମନ୍ଦିରକୁ ବହୁ ପରିମାଣରେ ଦାନ ଆସୁଛି, ଯାହାର ପରିଚାଳନା ଅତ୍ୟନ୍ତ ସମ୍ୱେଦନଶୀଳ ବିଷୟ। ଦାନ ପେଟି ଖୋଲିବା, ଟଙ୍କା ଗଣନା, ମୂଲ୍ୟବାନ ସାମଗ୍ରୀର ରେକର୍ଡ ସଂରକ୍ଷଣ ଏବଂ ବ୍ୟାଙ୍କରେ ଜମା ପ୍ରକ୍ରିୟାକୁ ତଦନ୍ତ ପରିସରଭୁକ୍ତ କରିଛି ଏସଆଇଟି। CCTV ଫୁଟେଜ୍, ଆର୍ଥିକ ରେକର୍ଡ, ଉପସ୍ଥିତି ଖାତା ଏବଂ ସମ୍ପୃକ୍ତ କର୍ମଚାରୀଙ୍କ ବୟାନକୁ ମଧ୍ୟ ଯାଞ୍ଚ କରାଯାଇଛି। ତଦନ୍ତ ସମୟରେ କେତେକ ସମ୍ୱେଦନଶୀଳ ସ୍ଥାନର CCTV ଫୁଟେଜ୍ ହଟାଯାଇଥିବା କିମ୍ୱା ନଷ୍ଟ କରାଯାଇଥିବା ସନ୍ଦେହ ସାମ୍ନାକୁ ଆସିଛି। ଏହା ମାମଲାକୁ ଆହୁରି ଗୁରୁତର କରିଛି। ପ୍ରମାଣ ଲୁଚାଇବା ପାଇଁ ଏପରି କାର୍ଯ୍ୟ ହୋଇଥାଇପାରେ ବୋଲି ତଦନ୍ତକାରୀ ସନ୍ଦେହ କରୁଛନ୍ତି। ମନ୍ଦିରର କେତେକ କର୍ମଚାରୀ, ସୁରକ୍ଷାକର୍ମୀ ଓ ଦାନ ଗଣନା କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିମାନେ ତଦନ୍ତର ପରିସରକୁ ଆସିଛନ୍ତି। ଖବର ଅନୁଯାୟୀ, SIT ପ୍ରାୟ ୧୫୦ ଜଣ ବ୍ୟକ୍ତିଙ୍କ ଭୂମିକା ଉପରେ ଯାଞ୍ଚ କରିଛି। ସେମାନଙ୍କ ମଧ୍ୟରୁ କେତେକଙ୍କ ବିରୋଧରେ ଅଧିକ ପ୍ରମାଣ ମିଳିଥିବା ଜଣାପଡ଼ିଛି। କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତା ଘଟିଥିବା ସନ୍ଦେହ ଉପରେ ମଧ୍ୟ ତଦନ୍ତ ଚାଲିଛି।ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ବିରୋଧୀ ଦଳମାନେ ଦାନ ପରିଚାଳନାରେ ସ୍ୱଚ୍ଛତା ଆଣିବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅନ୍ୟପକ୍ଷରେ ମନ୍ଦିର ପ୍ରଶାସନ ତଦନ୍ତରେ ପୂର୍ଣ୍ଣ ସହଯୋଗ କରୁଥିବା ଓ ସତ୍ୟ ଶୀଘ୍ର ସାମ୍ନାକୁ ଆସିବ ବୋଲି କହିଛି। ଅଯୋଧ୍ୟା ରାମମନ୍ଦିରର କୋଟି କୋଟି ଟଙ୍କାର ଦାନର ଦୁରୁପଯୋଗ ମାମଲା ପୁରା ୟୁପିକୁ ହଲଚଲ କରିଦେଇଛି। ତେବେ ଏ ମାମଲା ସାମ୍ନାକୁ ଆସିଲା କେମିତି। ସପାର ପୂର୍ବତନ ବିଧାୟକ ପଓ୍ୱନ ପାଣ୍ଡେ ଆରୋପ ଲଗାଇଥିଲେ ଯେ, ରାମମନ୍ଦିରକୁ ଦିଆଯାଇଥିବା ଦାନରୁ ୭କୋଟିରୁ ସାଢ଼େ ୭କୋଟି ଟଙ୍କା ଚୋରି ବା ହେରାଫେରି କରି ଲୁଟ୍ କରାଯାଇଛି। ମନ୍ଦିର ପ୍ରଶାସନର ପାରଦର୍ଶିତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ। ହେଲେ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା। ଟ୍ରଷ୍ଟର ସଦସ୍ୟ ମହନ୍ତ ଦିନେନ୍ଦ୍ର ଦାସ ମହାରାଜ କହିଥିଲେ, ସମସ୍ତ ଲେନଦେନ ବିଧିବ୍ୟବସ୍ଥାରେ ହୋଇଛି। ଟ୍ରଷ୍ଟର ମହାସଚିବ ଚମ୍ପତ ରାଏ ବି କୌଣସି ପ୍ରକାର ହେରାଫେରି ହୋଇନି ବୋଲି କହିଥିଲେ। ତେବେ ଏ ବିବାଦ ତୁରନ୍ତ ଅଦଲତ ଯାଏଁ ପହଞ୍ଚିଯାଇଥିଲା। ଜୁନ୍ ୧୨ରେ ଓକିଲ ମୋହିତ ଅଶୋକ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ। ଏହା ପୂର୍ବରୁ ଜୁନ୍ ୮ରେ ସେ ୟୁପିର ମୁଖ୍ୟ ସଚିବ, ରାମମନ୍ଦିର ଟ୍ରଷ୍ଟ, ସିବିଆଇ ଓ ଅନ୍ୟ ଅଧିକାରୀଙ୍କୁ ଅଭିଯୋଗପତ୍ର ପଠାଇଥିଲେ। ଜୁନ୍ ୧୪ରେ ସରକାର ୩ଜଣିଆ ଏସଆଇଟି ଗଠନ କଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଅଯୋଧ୍ୟା ଧାମକୁ ଅପମାନିତ କରିବାକୁ ଚକ୍ରାନ୍ତ ହେଉଛି। ତଥ୍ୟ, ପ୍ରମାଣ ବା କୌଣସି ଦସ୍ତାବିଜ ଥିଲେ, ଏସଆଇଟିକୁ ଦେବାକୁ ଅପିଲ୍ କରିଥିଲେ ଯୋଗୀ। ତଦନ୍ତ ସମାପ୍ତ ଯାଏ କୌଣସି ନିରାଧାର ବୟାନ ଦେବାରୁ ନିବୃତ୍ତ ରହିବାକୁ ବିରୋଧୀଙ୍କୁ ଅପିଲ୍ କରିଥିଲେ ଯୋଗୀ। ରାମମନ୍ଦିର ପାଇଁ ୫ଶହ ବର୍ଷ ଅପେକ୍ଷା କଲେ। ଏବେ ୧୫ଦିନ ଅପେକ୍ଷା କରନ୍ତୁ ବୋଲି କହିଥିଲେ ଯୋଗୀ। ଶିବସେନା(ୟୁବିଟି) ନିଜ ମୁଖପତ୍ର ସାମ୍ନାର ସମ୍ପାଦକୀୟରେ ରାମମନ୍ଦିରକୁ ବିଜେପି ଲୁଟିଲା ବୋଲି ଲେଖିଥିଲା। ସମ୍ପାଦକୀୟରେ ଅମିତ ଶାହାଙ୍କୁ ବି ଟାର୍ଗେଟ କରାଯାଇଥିଲା। ଦେଶର ମନ୍ଦିରକୁ ଲୁଟ୍ କରିଥିବା ବ୍ୟକ୍ତି ଶାହଙ୍କ କୋଳରେ ବସିଛନ୍ତି। ଆମ୍ ଆଦମୀ ଦଳର ପ୍ରମୁଖ କେଜରିଓ୍ୱାଲ୍ ବି କହିଥିଲେ, ଲାଗୁଛି ପ୍ରାୟ ୨ଶହ କୋଟିର ନଗଦ, ଗହଣା ଓ ହୀରୋ ଚୋରି ହୋଇଛି। ପୁଲିସ, ଇଡି ଓ ସିବିଆଇ ଭଳି ଏଜେନ୍ସି କାହିଁକି ମାମଲା କରିବାକୁ ବିଳମ୍ୱ କରୁଛି। କାଉଣ୍ଟରରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ କହିଥିଲେ, ଏହି ମୁଦ୍ଦାରେ ରାଜନୀତି କରି ବିରୋଧୀ କଅଣ ପାଉଛନ୍ତି। ଯେପର୍ଯ୍ୟନ୍ତ ଯୋଗୀ ସତ୍ତାରେ ଅଛନ୍ତି, ଅପରାଧୀଙ୍କୁ ନିସ୍ତାର ନାହିଁ। ଏବେ ସମସ୍ତଙ୍କ ନଜର ଏସଆଇଟି ରିପୋର୍ଟରେ କଅଣ ରହିଛି। ଏହା ଉପରେ ସରକାର କି ଆକ୍ସନ ନେଉଛନ୍ତି। ଦାନ ଚୋରି ମାମଲା ସତ ନା ଗୁଜବ।
