ବନସ୍ତେ ଡାକିଲା ଗଜ… ଆସିଛି ରଜ, ହେବା ସଜବାଜ..
ଆସିଛି ରଜ। ବାର ମାସ ତେର ପର୍ବ ଭିତରୁ ରଜ ପର୍ବର ସ୍ଥାନ ସ୍ବତନ୍ତ୍ର। ପୋଡ ପିଠା ବାସ୍ନାରେ ମହକେ ପୁରା ପରିବେଶ। ଦୋଳି ଖେଳି ମଉଜ କରନ୍ତି ଛୋଟ ଠୁ ବଡ..

ଭୁବନେଶ୍ୱର : ବନସ୍ତେ ଡାକିଲା ଗଜ… ବରଷକେ ଥରେ ଆସିଛି ରଜ... ଓଡିଶାର ଘରେ ଘରେ ଏବେ ରଜର ମହକ। ବାର ମାସ ତେର ପର୍ବ ଭିତରୁ ରଜ ପର୍ବର ସ୍ଥାନ ସ୍ବତନ୍ତ୍ର। ଓଡିଶା ଏକ କୃଷି ଭିତ୍ତିକ ରାଜ୍ୟ ହୋଇଥିବା ବେଳେ ରଜ ହେଉଛି କୃଷି ଭିତ୍ତିକ ପର୍ବ। ପ୍ରକୃତିକୁ ସମ୍ମାନ ଦେବା ସହ ନାରୀଙ୍କୁ ସମ୍ମାନ ଦେବାର ଏକ ସୁକ୍ଷ୍ମ ପରମ୍ପରାକୁ ପ୍ରଚଳିତ। ସାଧାରଣତଃ ରଜ ୩ ଦିନ ଧରି ପାଳନ କରାଯାଏ, ତେବେ ଓଡିଶାର ଭିନ୍ନ ଭିନ୍ନ ସ୍ଥାନରେ ରଜକୁ କେଉଁଠି ୩ ଦିନ, ୪ ଦିନ ଓ ପାଞ୍ଚ ଦିନ ଭାବେ ମଧ୍ୟ ପାଳନ କରାଯାଏ। ପ୍ରଥମ ଆସେ ସଜବାଜ, ପରେ ପହିଲି ରଜ, ରଜ ସଂକ୍ରାନ୍ତି ଏବଂ ଭୂ-ଦହନ, ଶେଷରେ ବସୁମତୀ ସ୍ନାନ। ରଜ ପର୍ବରେ ରଜବତୀ ହୁଅନ୍ତି ଧରଣୀ ମା। କୁହାଯାଏ, ରଜ ହେଉଛି କୁଆଁରୀ ମାନଙ୍କ ପର୍ବ। ଏହି ଦିନ ମାନଙ୍କରେ ଚାଷ କାମ ବନ୍ଦ ରହିଥାଏ। କାରଣ, ମାଟି ମା ବିଶ୍ରାମ ନେବା ସହ ଏହି ପର୍ବରେ ଝିଅ ମାନଙ୍କୁ କାମ ନକରିବା ସହ ଖାଲି ପାଦରେ ନଚାଲିବା ପାଇଁ କୁହାଯାଏ।
ପୁରପଲ୍ଲୀରୁ ନେଇ ସହର ସବୁଠି ରଜ ପାଳନକୁ ନେଇ ଦେଖିବାକୁ ମିଳେ ଆନନ୍ଦ ଓ ଉଲ୍ଲାସ। ଘରେ ଘରେ ଜମେ ବନ୍ଧୁବାନ୍ଧବ ମାନଙ୍କ ଆସର। ଏହି ପର୍ବରେ ପୋଡ ପିଠା ସାଙ୍ଗକୁ ଆହୁରି କେତେ ରକମର ପିଠାପଣାର ବାସ୍ନାରେ ମହକେ ପୁରା ପରିବେଶ। କୁମାରୀ ମାନେ ନୂଆ ପୋଷାକ ପରିଧାନ କରିବା ସହ ପାଦରେ ଅଳତା ଲଗାଇ ସଜବାଜ ହୋଇ ଦୋଳି ଖେଳି ମଉଜ କରନ୍ତି। ତେବେ ଏହି ପର୍ବରେ ମିଳିଥାଏ ସ୍ପେଶାଲ ରଜ ପାନ, ଯାହାକୁ ପିଲାଠୁ ବଡ ସମସ୍ତେ ଖାଇଥାନ୍ତି।
ସେହିପରି ରଜରେ ଦୋଳି ଖେଳିବାର ପରମ୍ପରା ନିଆରା। ଏହା ରଜପର୍ବର ମୁଖ୍ୟ ଆକର୍ଷଣ। ଦୋଳି ଖେଳ ବିନା ରଜ ଯେମିତି ଅଧୁରା ଲାଗେ। ଗାଁର ବାଡିବଗିଚା, ଆମ୍ୱ ତୋଟା ଓ ନଦୀପଠା ସହ ସହରର ବିଭିନ୍ନ ପଡିଆ ଏବଂ ପାର୍କ ମାନଙ୍କରେ ରଜ ଗୀତ ବୋଲି ଦୋଳି ଖେଳନ୍ତି ଝିଅବୋହୁ ମାନେ। ଏହାସହ ଅନ୍ୟାନ୍ୟ ଖେଳ ପୁଚି, ତାସ୍, ଲୁଡୁ, ଆଦି ଖେଳ ମଧ୍ୟ ଖେଳିଥାନ୍ତି।
ଓଡିଆ ଘରର ବଡ ପର୍ବ ହେଉଛି ରଜ। ରଜ ଆସିବା ସହ ଓଡିଶାକୁ ମୌସୁମୀର ଆଗମନ ହୁଏ। ଏହି ପର୍ବରେ ବର୍ଷା ଋତୁ ଆରମ୍ଭ ପ୍ରକୃତିର ନବଜୀବନ ଓ ଉର୍ବରତାର ପ୍ରତୀକ ହୋଇଉଠେ । ଚଷା ଘରେ ଖୁସିର ଲହରୀ ଖେଳିଥାଏ।
ତେବେ ସମୟ ବଦଳିବା ସହ ଆଧୁନିକତାର ସ୍ପର୍ଶରେ ଓଡିଆ ସଂସ୍କୃତି ଓ ପରମ୍ପରାର ଛାପ ଧିରେ ଧିରେ ହଜିବାକୁ ବସିଲାଣି। ଗାଁକୁ ଛାଡିଲେ ଆଜିକାଲି ସହର ମନଙ୍କରେ ରଜପର୍ବରେ ନୀତିନିୟମ ସବୁ ହଜିବାକୁ ବସିଲାଣି।
