“ଜୟ ଜଗନ୍ନାଥ” ଧ୍ବନିରେ କମ୍ପୁଛି ବଡଦାଣ୍ଡ
ଶ୍ରୀକ୍ଷେତ୍ରରେ ଭକ୍ତ ଓ ଭଗବାନଙ୍କ ଅଦ୍ଭୁତ ସଙ୍ଗମ। ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯାତ୍ରା କରିବେ ତିନିଠାକୁର। ଘଣ୍ଟଘଣ୍ଟା, ହୁଳହୁଳି, ଓ ହରିବୋଲ ନାଦରେ ପ୍ରକମ୍ପିତ ପୂରା ବଡଦାଣ୍ଡ। ଚାଲିଛି ଗୋଟି ପହଣ୍ଡି।

ଭକ୍ତି, ଆଧ୍ୟାତ୍ମିକ ଓ ପରମ୍ପରାର ଅଦ୍ଭୁତ ସଙ୍ଗମ। ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ମହାପ୍ରଭୁଙ୍କ ରଥଯାତ୍ରା। ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ଶ୍ରୀକ୍ଷେତ୍ର। ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଜନସମୁଦ୍ର ପାଲଟିଛି ପୁରୀ ବଡଦାଣ୍ଡ। ବର୍ଷସାରା ଅପେକ୍ଷା ପରେ ଆଜି ଭକ୍ତ ନିଜ ଚର୍ମଚକ୍ଷୁରେ ରଥରେ ଦେଖିବେ ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଏବଂ ମା' ସୁଭଦ୍ରାଙ୍କୁ । ଆଜି ରତ୍ନବେଦୀକୁ ଛାଡି ଜନ୍ମବେଦୀକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି। ଘଣ୍ଟଘଣ୍ଟା, ହୁଳହୁଳି, ଓ ହରିବୋଲ ନାଦରେ ପ୍ରକମ୍ପିତ ହୋଇଉଠୁଛି ସମଗ୍ର ପୁରୀ। ଆଜି ସକାଳ ୬ଟାରେ ପ୍ରଥମେ ମଙ୍ଗଳ ଆଳତି ସହ ଆରମ୍ଭ ହୋଇଥିଲା ରଥଯାତ୍ରାର ନୀତିକାନ୍ତି। ପରେ ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ଗୋପାଳବଲ୍ଲଭ ନୀତି ସମ୍ପନ୍ନ ହୋଇଥିଲା। ସକାଳ ୯ଟାରେ ରଥ ପ୍ରତିଷ୍ଠା ଓ ମଙ୍ଗଳାର୍ପଣ ପରେ ଆରମ୍ଭ ହୋଇଥିଲା ବହୁ ପ୍ରତୀକ୍ଷିତ ପହଣ୍ଡି ବିଜେ। ପ୍ରଥମେ ପହଣ୍ଡିରେ ଆସୁଥିଲେ ଚକ୍ରରାଜ ସୁଦର୍ଶନ। ପରେ ପାରମ୍ପରିକ ଗୋଟି ପହଣ୍ଡିରେ ସେବାୟତମାନଙ୍କ କାନ୍ଧରେ ଝୁଲି ଝୁଲି ପ୍ରଥମେ ବଡଭାଇ ବଳଭଦ୍ର ଧୀରେ ଧୀରେ ରଥ ଆଡ଼କୁ ଅଗ୍ରସର ହୋଇଥିଲେ । "ଜୟ ବଳଭଦ୍ର", "ଜୟ ଜଗନ୍ନାଥ" ଧ୍ୱନିରେ କମ୍ପି ଉଠୁଛି ସମଗ୍ର ଶ୍ରୀକ୍ଷେତ୍ର । ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୋଇଛି ଏବଂ ଶେଷରେ ବିଶ୍ବନିୟନ୍ତା କାଳିଆ ସାଆନ୍ତ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଅନୁଷ୍ଠିତ ହେବ ।
ପହଣ୍ଡି ପରେ ମଦନମୋହନ ବିଜେ, ଚିତାଲାଗି ଓ ବେଶ ନୀତି ସମ୍ପନ୍ନ ହେବ। ଅପରାହ୍ଣରେ ଗଜପତି ମହାରାଜା ପାରମ୍ପରିକ 'ଛେରା ପହଁରା' ନୀତି ସମ୍ପାଦନ କରିବେ। ଏହାପରେ ଚାରମାଳା ଫିଟା ଓ ଘୋଡ଼ା-ସାରଥୀ ଲାଗିବା ନୀତି ସରିବା ପରେ ଅପରାହ୍ଣ ୪ଟାରୁ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ରଥଟଣା।
ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ପାଳିତ ଏହି ନଅ ଦିନିଆ ମହୋତ୍ସବକୁ ଘୋଷଯାତ୍ରା, ପତିତପାବନ ଯାତ୍ରା, ବା ଗୁଣ୍ଡିଚା ଯାତ୍ରା କୁହାଯାଏ। ସେପଟେ ରଥଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସମସ୍ତ ପ୍ରସ୍ତୁତି କରାଯାଇଛି।
