DANGEROUS CLASSROOM: ଖସିଲା ଛାତର ପ୍ଲାଷ୍ଟର, ଅଳ୍ପକେ ବର୍ତ୍ତିଲେ ପ୍ରଧାନ ଶିକ୍ଷକ
ବିପଦସଙ୍କୁଳ ସ୍କୁଲ କୋଠା ଭିତରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ଛାତରୁ ଖସୁଛି ପ୍ଲାଷ୍ଟର। ଆଶଙ୍କାରେ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ-ଶିକ୍ଷୟିତ୍ରୀ।
ପୁରୀ: ବିପଦସଙ୍କୁଳ ସ୍କୁଲ କୋଠା ଭିତରେ ଭୟ ଓ ଆଶଙ୍କା ମଧ୍ୟରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ଛାତରୁ ଖସୁଛି ପ୍ଲାଷ୍ଟର। ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ-ଶିକ୍ଷୟିତ୍ରୀମାନେ ମଧ୍ୟ ଆଶଙ୍କାରେ ରହୁଛନ୍ତି। ପୁରୀ ପୋଲିସ ହାଇସ୍କୁଲରୁ ସାମ୍ନାକୁ ଆସିଛି ଏଭଳି ଚିନ୍ତାଜନକ ଚିତ୍ର। ଦୀର୍ଘ ବର୍ଷ ଧରି ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିଥିବା ଏହି ଶିକ୍ଷାନୁଷ୍ଠାନର ଏବେ ନିଜ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। କ୍ଲାସରୁମ୍ ଛାତରୁ ନିୟମିତ ଭାବେ ପ୍ଲାଷ୍ଟର ଖସୁଥିବାରୁ ପାଠପଢ଼ା ସମୟରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଭୟରେ ରହୁଛନ୍ତି। ସବୁଠାରୁ ଚିନ୍ତାଜନକ ଘଟଣା ଘଟିଥିଲା ପ୍ରଧାନ ଶିକ୍ଷକ ଶିବରାମ ମିଶ୍ରଙ୍କ ରୁମ୍ରେ। ସେ ନିଜ ରୁମ୍ରେ ବସିଥିବା ସମୟରେ ହଠାତ୍ ଛାତରୁ ଏକ ବଡ଼ ପ୍ଲାଷ୍ଟର ଖସି ତାଙ୍କ ଟେବୁଲ୍ ଉପରେ ପଡ଼ିଥିଲା। ଅଳ୍ପକେ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଥିଲେ ପ୍ରଧାନ ଶିକ୍ଷକ।
ସୂଚନା ଅନୁସାରେ, ସ୍କୁଲରେ ମୋଟ ୨୨ଟି ରୁମ୍ ଥିବାବେଳେ ସେଥିମଧ୍ୟରୁ ୯ଟି ରୁମ୍ ବିପଦସଙ୍କୁଳ ଅବସ୍ଥାରେ ରହିଛି। ୪ଟି କ୍ଲାସରୁମ୍ ସହିତ କମନ୍ ରୁମ୍ ଏବଂ ପ୍ରଧାନ ଶିକ୍ଷକଙ୍କ ରୁମ୍ ମଧ୍ୟ ବିପଦପୂର୍ଣ୍ଣ ରହିଛି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ପାଠପଢ଼ା ହେଉଥିବାବେଳେ ମୋଟ ୬୧୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ୧୯୮୨ ମସିହାରେ ପ୍ରତିଷ୍ଠିତ ଏହି ସ୍କୁଲରୁ ଅନେକ ଛାତ୍ରଛାତ୍ରୀ ଶିକ୍ଷାଲାଭ କରି ନିଜର ଭବିଷ୍ୟତ ଗଢ଼ିଛନ୍ତି। ହେଲେ ଏବେ ସ୍କୁଲର ଦୟନୀୟ ଅବସ୍ଥାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ସ୍କୁଲ କୋଠାର ମରାମତି କିମ୍ବା ନୂତନ କୋଠା ନିର୍ମାଣ ପାଇଁ ଦାବି ହୋଇଛି। ଏପଟେ ବିପଦସଙ୍କୁଳ ସ୍କୁଲଗୁଡ଼ିକୁ ଚିହ୍ନଟ ପାଇଁ ଟିମ୍ ଗଠନ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ପୋଲିସ ହାଇସ୍କୁଲର ଅବସ୍ଥା ଖରାପ ଥିବାରୁ ଏହାକୁ ବିପଦସଙ୍କୁଳ ଘୋଷଣା କରାଯାଇଛି। ଆଗାମୀ ୧୫ ଦିନ ମଧ୍ୟରେ ନୂତନ ଗୃହ ନିର୍ମାଣ କାମ ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏବେ ଜିଲ୍ଲାପାଳଙ୍କ ଘୋଷଣା ଅନୁସାରେ ନୂତନ କୋଠା ନିର୍ମାଣ କାମ କେବେ ଆରମ୍ଭ ହେଉଛି, ତାହା ଉପରେ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ନଜର ରହିଛି।
