ଡକାୟତି ଯୋଜନା ପଣ୍ଡ କଲା ପୋଲିସ; ୩ ଗିରଫ
ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବସ୍ତା–ବାଲିଆପାଳ ମୁଖ୍ୟ ରାସ୍ତାର ପୁଟୁରା ଛକରେ ବିଳମ୍ବିତ ରାତିରେ ପୋଲିସର ଚଢ଼ାଉ, ୩ ଗିରଫ ।
ବାଲେଶ୍ୱର: ଡକାୟତି ଯୋଜନାକୁ ପଣ୍ଡ କରିଛି ପୋଲିସ, ୩ ଗିରଫ । ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବସ୍ତା–ବାଲିଆପାଳ ମୁଖ୍ୟ ରାସ୍ତାର ପୁଟୁରା ଛକରେ ବିଳମ୍ବିତ ରାତିରେ ଚଢ଼ାଉ କରି ପୋଲିସ ଦୁଇଟି ବନ୍ଧୁକ, ୧୦ଟି ଅଫୁଟା ଗୁଳି, ଗୋଟିଏ କାର ଏବଂ କଟୁରୀ, ଶାବଳ, ଛୁରୀ ଭଳି ବିଭିନ୍ନ ମାରଣାସ୍ତ୍ର ଜବତ କରିଛି। ସୂଚନା ଅନୁସାରେ, ଏକ କାରରେ ୫ ଜଣ ସନ୍ଦିଗ୍ଧ ବ୍ୟକ୍ତି ଯାଉଥିବା ବେଳେ ସିଂଲା ପୋଲିସ ସେମାନଙ୍କୁ ପିଛା କରି ଅଚାନକ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଘଟଣାସ୍ଥଳରୁ ୨ ଜଣ ଫେରାର ହୋଇଯାଇଥିବା ବେଳେ ଦୁଇ ନାବାଳକଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କ ଘର ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। କାର ଭିତରୁ ଗୁଳି ଭର୍ତ୍ତି ଦୁଇଟି ବନ୍ଧୁକ ସହ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଥିବା ନେଇ ବସ୍ତା ଏସଡିପିଓ ସମର୍ଥ ବେହେରା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପୂର୍ବରୁ ଅଭିଯୁକ୍ତମାନଙ୍କ ନାମରେ କୌଣସି ଆପରାଧିକ ମାମଲା ରହିଛି କି ନାହିଁ ଏବଂ ସେମାନେ ଅନ୍ୟ କୌଣସି ଡକାୟତି ଘଟଣାରେ ସମ୍ପୃକ୍ତ ଥିଲେ କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

