ଏନକାଉଣ୍ଟରରେ କୁଖ୍ୟାତ ଚୋର ମହମ୍ମଦ ନାଫିସ ଆହତ
ଆନ୍ତଃରାଜ୍ୟ ଚୋର ନାଫିସ ଏନକାଉଣ୍ଟରରେ ଆହତ। ଖସି ପଳାଇବା ବେଳେ ଗୁଳି ଚଳାଇଲା ପୋଲିସ। ୩୦ରୁ ଅଧିକ ଚୋରି ମାମଲାରେ ଥିଲା ସମ୍ପୃକ୍ତ।

ଚମ୍ପୁଆ: କେନ୍ଦୁଝର ଚମ୍ପୁଆରେ ଏନକାଉଣ୍ଟର । କୁଖ୍ୟାତ ଆନ୍ତଃରାଜ୍ୟ ଚୋର ମହମ୍ମଦ ନାଫିସକୁ ଏନକାଉଣ୍ଟର କରିଛି ପୋଲିସ। ଅଭିଯୁକ୍ତ ପୋଲିସ ଉପରେ ଗୁଳି କରି ଖସିଯିବାକୁ ଉଦ୍ୟମ ବେଳେ ଏନକାଉଣ୍ଟର କରିଛି ଚମ୍ପୁଆ ପୋଲିସ। ସୂଚନା ଅନୁଯାୟୀ, କେଉଁଝର ଏବଂ ମୟୂରଭଞ୍ଜ ଅଞ୍ଚଳରେ ୩୦ରୁ ଅଧିକ ଚୋରି ମାମଲାରେ ଜଡିତ କୁଖ୍ୟାତ ଆନ୍ତଃରାଜ୍ୟ ଚୋର ମହମ୍ମଦ ନାଫିସକୁ ଏନକାଉଣ୍ଟର କରିଛି ଚମ୍ପୁଆ ପୋଲିସ। ବିଭିନ୍ନ ସ୍ଥାନରୁ ଚୋରୀ ପରେ ଚୋରୀ ସାମଗ୍ରୀ ଚମ୍ପୁଆ ନିକଟସ୍ଥ ପତଳା ଜଙ୍ଗଲରେ ଲୁଚାଇ ରଖିଥିଲା ନାଫିସ। ଗିରଫ ପରେ ଚୋରୀ ସାମଗ୍ରୀ ଜବତ ପାଇଁ ପୋଲିସ ତାକୁ ଆଜି ସକାଳ ପ୍ରାୟ ୫ଟା ସମୟରେ ପତଳା ଜଙ୍ଗଲକୁ ନେଇଥିଲେ। ସେଠାରେ ନାଫିସ ପୂର୍ବରୁ ଲୁଚାଇ ରଖିଥିବା ବନ୍ଧୁକରେ ପୋଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଫେରାର ହେବାକୁ ଉଦ୍ୟମ କଲା ବେଳେ ଆତ୍ମରକ୍ଷା ପାଇଁ ପୋଲିସ ଗୁଳି ଚଳାଇଥିଲା, ଯେଉଁଥିରେ ଅଭିଯୁକ୍ତର ଡାହାଣ ଗୋଡଆଣ୍ଠୁରେ ଗୁଳି ବାଜିଛି । ଆହତ ଅବସ୍ଥାରେ ପ୍ରଥମେ ଚମ୍ପୁଆ ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବା ପରେ କେଉଁଝର ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ଅଭିଯୁକ୍ତ ନିକଟରୁ ଏକ ଦେଶୀ ବନ୍ଧୁକ ଜବତ କରିବା ସହ ଅଭିଯୁକ୍ତଙ୍କ ସହଯୋଗୀ ଏବଂ ଅପରାଧିକ ନେଟୱାର୍କକୁ ଠାବ କରିବା ପାଇଁ ପୋଲିସ ଅଧିକ ତଦନ୍ତ ଜାରି କରିଛି।
