ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୮ତମ ଜନ୍ମଦିନ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
ରାଷ୍ଟ୍ରପତିଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କ ଆନ୍ତରିକ ଶୁଭେଚ୍ଛା। ୬୮ ବର୍ଷରେ ପଦାର୍ପଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦେଶବ୍ୟାପୀ ଛୁଟୁଛି ଶୁଭେଚ୍ଛାର ସୁଅ।

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୮ତମ ଜନ୍ମଦିନ ଅବସରରେ ଦେଶର ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଆନ୍ତରିକ ଅଭିନନ୍ଦନ ଜଣାଇ ତାଙ୍କ ଜୀବନ ସଂଘର୍ଷ, ନମ୍ରତା, ସରଳତା ଏବଂ ଜନସେବା ନେଇ ପ୍ରତିବଦ୍ଧତାର ଉଚ୍ଚ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦ୍ରୌପଦୀ ମୁର୍ମୁଙ୍କ ଜୀବନ ଯାତ୍ରା କେବଳ ଓଡ଼ିଶା କିମ୍ବା ଆଦିବାସୀ ସମାଜ ପାଇଁ ନୁହେଁ, ବରଂ ସମଗ୍ର ଦେଶର କୋଟି କୋଟି ଲୋକଙ୍କ ପାଇଁ ଏକ ବଡ଼ ପ୍ରେରଣା। ସୋସିଆଲ ମିଡିଆ ମାଧ୍ୟମ ‘ଏକ୍ସ’ରେ ଏକ ବାର୍ତ୍ତା ଜାରି କରି ପ୍ରଧାନମନ୍ତ୍ରୀ କହିଛନ୍ତି, ରାଷ୍ଟ୍ରପତି ମୁର୍ମୁଙ୍କ ଜୀବନ ସାହସ, ଆତ୍ମବିଶ୍ୱାସ, ସାଧୁତା ଓ ଜନକଲ୍ୟାଣ ପ୍ରତି ଅଟୁଟ ସମର୍ପଣର ଏକ ଅଦ୍ୱିତୀୟ ଉଦାହରଣ। ସେ ନିଜର ଦୀର୍ଘ ସାର୍ବଜନୀନ ଜୀବନରେ ଦେଶକୁ ଅସାଧାରଣ ସେବା ପ୍ରଦାନ କରିଛନ୍ତି ଏବଂ ବିଶେଷକରି ଗରିବ, ବଞ୍ଚିତ, ଆଦିବାସୀ ଓ ସମାଜର ପଛୁଆ ବର୍ଗଙ୍କ କଲ୍ୟାଣ ପାଇଁ ସଦା କାର୍ଯ୍ୟ କରିଆସିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ନେତୃତ୍ୱ ଓ ଭାରତର ବିକାଶ ପ୍ରତି ତାଙ୍କର ଅଟୁଟ ନିଷ୍ଠା ଦେଶବାସୀଙ୍କୁ ନୂତନ ଶକ୍ତି ଓ ପ୍ରେରଣା ଦେଉଛି। ସେ ରାଷ୍ଟ୍ରପତିଙ୍କ ସୁସ୍ୱାସ୍ଥ୍ୟ, ଦୀର୍ଘାୟୁ ଏବଂ ଦେଶସେବାରେ ଆହୁରି ସଫଳତା କାମନା କରିଛନ୍ତି। ଏଥି ସହ ଓଡ଼ିଶାରେ ଆୟୋଜିତ ଆଜି ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିବାକୁ ଅପେକ୍ଷା କରିଥିବା କଥା ମଧ୍ୟ ଉଲ୍ଲେଖ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନ କାହାଣୀ ଭାରତୀୟ ଗଣତନ୍ତ୍ରର ଏକ ପ୍ରେରଣାଦାୟକ ଅଧ୍ୟାୟ। ୧୯୫୮ ମସିହା ଜୁନ ୨୦ ତାରିଖରେ ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଉପବେଢା(Uparbeda) ଗ୍ରାମରେ ଏକ ସାନ୍ତାଳ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିବା ମୁର୍ମୁ ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ସଫଳତାର ଶିଖରରେ ପହଞ୍ଚିଛନ୍ତି। ଜୀବନରେ ବ୍ୟକ୍ତିଗତ ଭାବେ ଅନେକ ଦୁଃଖ ଓ କ୍ଷତି ସହିଥିଲେ ମଧ୍ୟ ସେ କେବେ ହାର ମାନିନଥିଲେ । ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟଜୀବନ ଆରମ୍ଭ କରି ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ। ଓଡ଼ିଶା ବିଧାନସଭାର ସଦସ୍ୟ, ରାଜ୍ୟ ସରକାରର ମନ୍ତ୍ରୀ ଏବଂ ପରବର୍ତ୍ତୀ ସମୟରେ ଝାରଖଣ୍ଡର ରାଜ୍ୟପାଳ ଭାବେ ସେ ଦାୟିତ୍ୱ ନିର୍ବାହ କରିଥିଲେ। ରାଜ୍ୟପାଳ ଭାବେ ତାଙ୍କ କାର୍ଯ୍ୟକାଳ ବେଶ୍ ପ୍ରଶଂସିତ ହୋଇଥିଲା। ପରେ ୨୦୨୨ ମସିହାରେ ଦ୍ରୌପଦୀ ମୁର୍ମୁ ଭାରତର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ ଇତିହାସ ସୃଷ୍ଟି କରିଥିଲେ। ସେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବା ସହ ସ୍ୱାଧୀନ ଭାରତର ସବୁଠାରୁ କମ୍ ବୟସର ରାଷ୍ଟ୍ରପତି ଭାବେ ପରିଚିତ। ୨୫ ଜୁଲାଇ ୨୦୨୨ରେ ସେ ରାଷ୍ଟ୍ରପତି ପଦରେ ଶପଥ ଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନ ଅବସରରେ ଦେଶର ବିଭିନ୍ନ ରାଜନୈତିକ ଦଳର ନେତା, ମନ୍ତ୍ରୀ, ଜନପ୍ରତିନିଧି ଓ ସାଧାରଣ ଲୋକମାନେ ଶୁଭେଚ୍ଛା ଜଣାଉଛନ୍ତି। ଓଡ଼ିଶାର ମାଟିରୁ ଉଠି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ପହଞ୍ଚିଥିବା ଦ୍ରୌପଦୀ ମୁର୍ମୁଙ୍କ ସଫଳତା ଆଜି ମଧ୍ୟ ନୂଆ ପିଢ଼ୀ ପାଇଁ ସଂଘର୍ଷ, ପରିଶ୍ରମ ଓ ଦୃଢ଼ ସଂକଳ୍ପର ଏକ ଜୀବନ୍ତ ଉଦାହରଣ ହୋଇ ରହିଛି।
ରିପୋର୍ଟ- ସମ୍ପଦା ମିଶ୍ର
