୩ ଶହ ଟଙ୍କା ଦିଅ,ନହେଲେ ସାର୍ଟିଫିକେଟ ନାହିଁ ଅଭିଯୋଗ
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବାଗ ହାଇସ୍କୁଲରେ ଦଶମ ଶ୍ରେଣୀ ବୋର୍ଡ ସାର୍ଟିଫିକେଟ ବଣ୍ଟନକୁ ନେଇ ଛାତ୍ରଛାତ୍ରୀ ହଟହଟା । ସାର୍ଟିଫିକେଟ ପାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ୩ ଶହ ଟଙ୍କା ଦେବାକୁ କୁହାଯାଇଥିବା ଅଭିଯୋଗ ହୋଇଛି।
ଭୋଗରାଇ: ୩ ଶହ ଟଙ୍କା ନ ଦେଲେ ମିଳୁନାହିଁ ଦଶମ ଶ୍ରେଣୀ ବୋର୍ଡ ସାର୍ଟିଫିକେଟ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବାଗ ହାଇସ୍କୁଲରେ ଦଶମ ଶ୍ରେଣୀ ବୋର୍ଡ ସାର୍ଟିଫିକେଟ ବଣ୍ଟନକୁ ନେଇ ଛାତ୍ରଛାତ୍ରୀ ହଟହଟା । ସାର୍ଟିଫିକେଟ ପାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ୩ ଶହ ଟଙ୍କା ଦେବାକୁ କୁହାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଗୁରୁବାର ବାଗ ହାଇସ୍କୁଲର ଦଶମ ଶ୍ରେଣୀର ଅନେକ ଛାତ୍ରଛାତ୍ରୀ ନିଜ ବୋର୍ଡ ସାର୍ଟିଫିକେଟ ନେବା ପାଇଁ ବିଦ୍ୟାଳୟକୁ ଆସିଥିଲେ। କିନ୍ତୁ ବିଦ୍ୟାଳୟରେ ପହଞ୍ଚିବା ପରେ ସ୍କୁଲର କିରାଣୀ ସପନ କୁମାର ଦାସ ସେମାନଙ୍କୁ ୩ ଶହ ଟଙ୍କା ମାଗିଥିଲେ ନହଲେ ସାର୍ଟିଫିକେଟ ଦେବେ ନାହିଁ ବୋଲି ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଟଙ୍କା ଆଣିବାକୁ କେଉଁଠୁ କହିବାରୁ ସେ କହିଥିଲେ ସାର୍ଟିଫିକେଟ ଦିଆଯିବ ନାହିଁ । ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଘଟଣା ସମ୍ପର୍କରେ କିରାଣୀ ସପନ କୁମାର ଦାସଙ୍କୁ ପଚାରିବାରୁ ସେ ଟଙ୍କା ମଗାଯାଉନଥିବା କହିଥିଲେ। ସେହିପରି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଫୋନ ଯୋଗେ ପଚାରିବାରୁ, ବାଲେଶ୍ୱର ଯାଇ ସାର୍ଟିଫିକେଟ ଆଣିବାରେ ଖର୍ଚ୍ଚ ହେଉଥିବାରୁ ଛାତ୍ରଛାତ୍ରୀଙ୍କଠାରୁ ଟଙ୍କା ନିଆଯିବ ବୋଲି କହିଥିବା ସୂଚନା ମିଳିଛି। ଅନ୍ୟପଟେ, ସକାଳ ୮ଟା ୩୦ରୁ ବିଦ୍ୟାଳୟକୁ ଆସି ସାର୍ଟିଫିକେଟ ପାଇଁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀ ଦୀର୍ଘ ସମୟ ପରେ ମଧ୍ୟ ସାର୍ଟିଫିକେଟ ନମିଳିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ସମୟରେ ସାର୍ଟିଫିକେଟ ନମିଳିଲେ ଉଚ୍ଚଶିକ୍ଷା ପାଇଁ ଆଡମିସନରେ ସମସ୍ୟା ହେବ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତା ପ୍ରକାଶ କରି ତୁରନ୍ତ ସମାଧାନ ଦାବି କରିଛନ୍ତି।
