ଧାରଣାରୁ ଓହରିଲେ ଏମ୍ସର କାର୍ଯ୍ୟରତ ଆଉଟସୋର୍ସିଂ ସୁରକ୍ଷା କର୍ମଚାରୀ
ଭୁବନେଶ୍ୱର: ଏମ୍ସରେ କାର୍ଯ୍ୟରତ ଆଉଟସୋର୍ସିଂ ସୁରକ୍ଷା କର୍ମଚାରୀମାନେ ଡାଇରେକ୍ଟର ଆଶୁତୋଷ ବିଶ୍ୱାସଙ୍କ ପ୍ରତିଶ୍ରୁତି ପରେ ନିଜ ଆନ୍ଦୋଳନରୁ ଓହରି ଯାଇଛନ୍ତି।
ଭୁବନେଶ୍ୱର: ଧାରଣାରୁ ଓହରିଲେ ଏମ୍ସରେ କାର୍ଯ୍ୟରତ ଆଉଟସୋର୍ସିଂ ସୁରକ୍ଷା କର୍ମଚାରୀ । ଏମ୍ସ ଭୁବନେଶ୍ୱରରେ କାର୍ଯ୍ୟରତ ଆଉଟସୋର୍ସିଂ ସୁରକ୍ଷା କର୍ମଚାରୀମାନେ ଡାଇରେକ୍ଟର ଆଶୁତୋଷ ବିଶ୍ୱାସଙ୍କ ପ୍ରତିଶ୍ରୁତି ପରେ ନିଜ ଆନ୍ଦୋଳନରୁ ଓହରି ଯାଇଛନ୍ତି। ଦୁଇ ମାସର ବକେୟା ଦରମା ପ୍ରଦାନ, ଇପିଏଫ୍ ଜମା ଏବଂ ମନଇଚ୍ଛା ଦରମା କଟାଯାଉଥିବାର ବିରୋଧରେ ପ୍ରାୟ ୪୪୦ ଜଣ ସୁରକ୍ଷା କର୍ମଚାରୀ ଆନ୍ଦୋଳନରେ ବସିଥିଲେ। ଏହି ପ୍ରସଙ୍ଗରେ ଏମ୍ସ ଭୁବନେଶ୍ୱର ଡାଇରେକ୍ଟର ଆଶୁତୋଷ ବିଶ୍ୱାସ କର୍ମଚାରୀମାନଙ୍କ ସହ ଆଲୋଚନା କରି ସ୍ପଷ୍ଟ କରିଛନ୍ତି ଯେ ଦରମା ବନ୍ଦ ହେବାରେ ଏମ୍ସର କୌଣସି ଭୂମିକା ନାହିଁ। ଆଉଟସୋର୍ସିଂ ସଂସ୍ଥା MVSF ହିଁ କର୍ମଚାରୀମାନଙ୍କୁ ଦରମା ପ୍ରଦାନ କରିଥାଏ। ସଂସ୍ଥା ପକ୍ଷରୁ ବିଲ୍ ବିଳମ୍ବରେ ଦାଖଲ କରାଯାଇଥିବାରୁ ଏମ୍ସ ପକ୍ଷରୁ ସମୟରେ ପେମେଣ୍ଟ କରାଯାଇପାରି ନଥିଲା। ସୁରକ୍ଷା କର୍ମଚାରୀଙ୍କୁ ଦରମା ନ ଦେବା ଏବଂ ଏପରି ଆନ୍ଦୋଳନମୂଳକ ପରିସ୍ଥିତି ସୃଷ୍ଟି ହେବା ନେଇ MVSF ଆଉଟସୋର୍ସିଂ ସଂସ୍ଥା ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡାଇରେକ୍ଟର ସୂଚନା ଦେଇଛନ୍ତି। ଡାଇରେକ୍ଟରଙ୍କ ଆଶ୍ୱାସନ ପରେ ସୁରକ୍ଷା କର୍ମଚାରୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ତେବେ ପ୍ରତିଶ୍ରୁତି ଅନୁଯାୟୀ ଦାବିଗୁଡ଼ିକ ପୂରଣ ନ ହେଲେ ପୁଣିଥରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

