ଆସନ୍ତାକାଲି ନିଟ୍-ୟୁଜି ପୁନଃ ପରୀକ୍ଷା ।
ଆସନ୍ତାକାଲି ନିଟ୍-ୟୁଜି ପୁନଃ ପରୀକ୍ଷା । ପରୀକ୍ଷାକୁ ସୁରୁଖୁରୁରେ ସହ ସମ୍ପାଦନ କରିବା ପାଇଁ NTA ପକ୍ଷରୁ ବ୍ୟାପକ ପ୍ରସ୍ତୁତି। ଆଜି ଦେଶବ୍ୟାପୀ ଜାତୀୟ ପରୀକ୍ଷା ଏଜେନ୍ସି ପକ୍ଷରୁ 'ମକ୍ ଡ୍ରିଲ୍' ଜାରି ।

ନୂଆଦିଲ୍ଲୀ: ଆସନ୍ତାକାଲି ଜୁନ୍ ୨୧ ତାରିଖରେ ହେବ ନିଟ୍-ୟୁଜି ପୁନଃ ପରୀକ୍ଷା। ଏହି ପରୀକ୍ଷାକୁ ସୁରୁଖୁରରେ ସମ୍ପାଦନ କରିବା ପାଇଁ ଜାତୀୟ ପରୀକ୍ଷା ଏଜେନ୍ସି ବା (NTA) ପକ୍ଷରୁ ଆଜି ଦେଶବ୍ୟାପୀ ଏକ ମକ୍ ଡ୍ରିଲ୍ ଆୟୋଜନ କରାଯାଇଛି। ଯାହାର ଉଦ୍ଦେଶ୍ୟ ହେଉଛି, ପରୀକ୍ଷାର ଦିନକ ପୂର୍ବରୁ ନିଟ୍ ଓ ୟୁଜି ୨୦୨୬ ପୁନଃ ପରୀକ୍ଷାକୁ ସଠିକ ଓ ସୁରକ୍ଷିତ ଭାବେ ପରିଚାଳନା କରିବା ପାଇଁ ପ୍ରସ୍ତୁତି ଯାଞ୍ଚ କରିବା। ଆଜି ଦେଶବ୍ୟାପି ଏହି ମକ୍ ଡ୍ରିଲ୍ ସକାଳ ୯ଟାରୁ ଆରମ୍ଭ ହୋଇଥିବା ବେଳେ ଏହା ରାତି ପର୍ଯ୍ୟନ୍ତ ଜାରି ରହିବ। ଦେଶର ବିଭିନ୍ନ ସ୍ଥାନରେ ୨.୫ ଲକ୍ଷରୁ ଅଧିକ ସୁରକ୍ଷାକର୍ମୀ ଏଥିରେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ଅନିୟମିତତା ରୋକିବା ପାଇଁ ତିନି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ। ଅଧିକାରୀମାନଙ୍କ ସୂଚନା ଅମନୁସାରେ, ପ୍ରଶ୍ନପତ୍ର ଓ ଉତ୍ତରପୁସ୍ତିକାର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ଅର୍ଦ୍ଧସାମରିକ ବଳ ନେବେ। ଦେଶର ୫,୦୦୦ରୁ ଅଧିକ ପରୀକ୍ଷା କେନ୍ଦ୍ର CCTV ନଜରରେ ରହିବା ସହ ସୁରକ୍ଷାକର୍ମୀମାନେ ମୁତୟନ ରହିବେ। ସୂଚନା ଅନୁସାରେ, ଚଳିତବର୍ଷ ନିଟ୍ ଓ ଯୁଜି ପୁନଃ ପରୀକ୍ଷା ପାଇଁ ଦେଶରେ ୫ ହଜାରରୁ ଅଧିକ ପରୀକ୍ଷା କେନ୍ଦ୍ର କରାଯାଇଛି, ତେବେ ଚଳିତବର୍ଷ ପରୀକ୍ଷା ଦେବେ ପ୍ରାୟ ୨୩ଲକ୍ଷ ପରୀକ୍ଷାର୍ଥୀ। ଯେପରି ପରୀକ୍ଷାରେ କୌଣସି ତ୍ରୁଟି ପରିଲକ୍ଷିତ ନହୁଏ ସେନେଇ NTAର ନଜର ରହିଛି।
