୫ ବର୍ଷର ଦିବ୍ୟ ରଞ୍ଜନଙ୍କୁ ମିଠାରେ ବିଷ ଦେଇ ହତ୍ୟା କଲା ପଡ଼ୋଶୀ
କଟକ: ବ୍ୟକ୍ତିଗତ ଝଗଡ଼ା ହେଲା କାଳ, ବଳି ପଡ଼ିଲା ୫ ବର୍ଷର ନିଷ୍ପାପ ଶିଶୁ। ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ପୂର୍ବରୁ ଘର ଓ ଗୃହପାଳିତ ପଶୁ ପୋଡ଼ିଦେବା ଭଳି ଅଭିଯୋଗ ଥିବା ବେଳେ, ଏବେ ମିଠାରେ ବିଷ ଦେଇ ଶିଶୁକୁ ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

କଟକ: ବ୍ୟକ୍ତିଗତ ଝଗଡ଼ା ହେଲା କାଳ, ବଳି ପଡ଼ିଲା ୫ ବର୍ଷର ନିଷ୍ପାପ ଶିଶୁ। ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ପୂର୍ବରୁ ଘର ଓ ଗୃହପାଳିତ ପଶୁ ପୋଡ଼ିଦେବା ଭଳି ଅଭିଯୋଗ ଥିବା ବେଳେ, ଏବେ ମିଠାରେ ବିଷ ଦେଇ ଶିଶୁକୁ ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। କଟକ ଶିଶୁ ଭବନରେ କୋଡ଼ିଏ ଦିନରୁ ଅଧିକ ସମୟ ଧରି ଜୀବନ ସହ ସଂଘର୍ଷ କରି ଶେଷରେ ଜୀବନ ଯୁଦ୍ଧରେ ହାର ମାନି ଆଖି ବୁଜି ଦେଇଛି ୫ ବର୍ଷର ନିଷ୍ପାପ ଶିଶୁ। ଛାତି ଫଟେଇ କାନି ପତେଇ କାନ୍ଦି କାନ୍ଦି ହାତ ଯୋଡ଼ି ନେହୁରା ହୋଇ ନ୍ୟାୟ ଭିକ୍ଷା କରୁଛି ମାଆ । ଥରେ ନଜର ପକାନ୍ତୁ ଏହି ହୃଦୟ ବିଦାରକ ଘଟଣା ଉପରେ । କଟକ ଜିଲ୍ଲା ସାଲେପୁର ଥାନା ଅଧୀନ ବାହାବଳପୁର ଗାଁର ଅଜୟ ମଲ୍ଲିକ ଓ ତାଙ୍କ ସମ୍ପର୍କୀୟ ପ୍ରଶାନ୍ତ ଦାସ ଏବଂ ସରୋଜିନୀ ଦାସଙ୍କ ମଧ୍ୟରେ ସମ୍ପତ୍ତି ବିବାଦ ଦୀର୍ଘଦିନ ଧରି ଚାଲିଥିଲା। ଗତ ୨୨ ତାରିଖରେ ୫ ବର୍ଷର ଦିବ୍ୟ ରଞ୍ଜନଙ୍କୁ ମିଠାରେ ବିଷ ଖାଇବାକୁ ଦେଇଥିଲେ ପଡ଼ୋଶୀ। ପରିବାର ଲୋକେ ପ୍ରଥମେ ସାଲେପୁର ଏବଂ ପରେ କଟକ ଶିଶୁ ଭବନରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ପରେ ଶେଷରେ ଆଜି ଆଖି ବୁଜିଛି ଦିବ୍ୟ ରଞ୍ଜନ । ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ତାଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି ଦିବ୍ୟରଞ୍ଜନଙ୍କ ବାପା ଓ ମାଆ। ଅନ୍ୟପଟେ ସାଲେପୁର ଥାନାରେ ଉକ୍ତ ସମ୍ପର୍କୀୟ ପଡ଼ୋଶୀଙ୍କ ବିରୁଦ୍ଧରେ ଦିବ୍ୟ ରଞ୍ଜନଙ୍କ ବାପା ଅଭିଯୋଗ କରିବାର କୋଡ଼ିଏ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ହାତ ଖାଲି। ପୂର୍ବରୁ ଅନେକ ଥର ସମ୍ପତ୍ତି ପାଇଁ ଅଜୟ ମଲ୍ଲିକ ଏବଂ ତାଙ୍କ ପରିବାର ଉପରେ ଆକ୍ରମଣ ହୋଇଥିବା ବେଳେ ଏଥର ବିଷ ଦେଇଥିବା ଅଭିଯୋଗକୁ ବିତୁଛି ଦିନ ପରେ ଦିନ। ହେଲେ ପୋଲିସର ଉଦ୍ୟମ କେବଳ ତଦନ୍ତରେ ସୀମିତ ରହିଯାଇଛି। ସେପଟେ ତଦନ୍ତ ଅନୁସାରେ ତିନିରୁ ଚାରି ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ବିଷର ନମୁନାକୁ ଫରେନସିକ ଲ୍ୟାବକୁ ପଠାଯାଇଛି ଏବଂ ରିପୋର୍ଟ ଆସିଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ ସୂଚନା ଦେଇଛନ୍ତି । ସମ୍ପତ୍ତି ବିବାଦରୁ ଆରମ୍ଭ ହୋଇଥିବା ଶତ୍ରୁତା ଶେଷରେ ନେଇଛି ଏକ ନିଷ୍ପାପ ଶିଶୁର ଜୀବନ । ପାଞ୍ଚ ବର୍ଷର ଦିବ୍ୟ ରଞ୍ଜନଙ୍କ ମୃତ୍ୟୁ ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
