ପ୍ରେମିକ ସହ ମିଶି ସ୍ୱାମୀକୁ ୩ ଗଡ଼ କଲା- ୧୧ ମାସ ପରେ ପର୍ଦ୍ଦାଫାସ
ଜଙ୍ଗଲର ତିନୋଟି ଅଲଗା ଅଲଗା ସ୍ଥାନରେ ଶବ ଖଣ୍ଡକୁ ଫୋପାଡ଼ିଦେଲେ। ଘଟଣା ପରେ ସୁନୀତା ନିଜ ପିଲାଙ୍କୁ ନେଇ ଘସୋଁଲି ଚାଲିଯାଇଥିଲେ ଓ ସେଠାରେ ରାହୁଲଙ୍କ ସହ ରହିବାକୁ ଲାଗିଲେ। ଆଉ ଲୋକଙ୍କୁ କହିଥିଲେ, ବଳିରାମ ଘର ଛାଡ଼ି କୁଆଡେ ଚାଲିଯାଇଛି।

ପ୍ରେମିକ ସହ ମିଶି ସ୍ୱାମୀକୁ ମର୍ଡର। ତା ପରେ ଶବକୁ ୩ ଗଡ଼ କଲା। ଆଉ ଖଣ୍ଡ ଖଣ୍ଡ କରି ଜଙ୍ଗଲରେ ଫିଙ୍ଗିଦେଲା। ୧୧ ମାସ ପରେ ଖୋଲିଲା ରହସ୍ୟ। ମହାରାଷ୍ଟ୍ର ନଭିମୁମ୍ୱାଇରୁ ଆସିଛି ଏଭଳି ଅଭାବନୀୟ ଘଟଣା। ଏରୋଲିର ଯାଦବନଗରରେ ଏଭଳି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୁଲିସ। ମୃତକଙ୍କ ପତ୍ନୀ ଓ ତାଙ୍କ ତଥାକଥିତ ପ୍ରେମିକକୁ ଗିରଫ କରିଛି। ଅଗଷ୍ଟ ୯,୨୦୨୫। ରାତିରେ ଦୁଇ ପିଲାଙ୍କୁ ସେମାନଙ୍କ ମାଉସୀ ଘରକୁ ପଠାଇଦେଇଥିଲା ସୁନୀତା। ଏହା ପରେ ୫୦ ବର୍ଷୀୟ ସ୍ୱାମୀ ବଳିରାମ ସୂର୍ଯ୍ୟନାଥ ଶୋଇବା ବେଳେ ତାଙ୍କ ଗଳା ଚିପି ହତ୍ୟା କରାଗଲା। ଧାରୁଆ ଅସ୍ତ୍ରରେ ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲେ। ପ୍ରମାଣ ନଷ୍ଟ କରିବାକୁ ଶବକୁ ୩ଖଣ୍ଡ କରାଗଲା। ଅଲଗା ଅଳଗା ଅଖାରେ ଭର୍ତ୍ତି କରି ଚାଦରରେ ଘୋଡ଼ାଇ ଦିଆଗଲା। ପ୍ରେମିକ ରାହୁଲର ଅଟୋରେ ଗାଓ୍ୱଲି ଦେବ ପାହାଡ଼ରେ ଥିବା ଜଙ୍ଗଲର ତିନୋଟି ଅଲଗା ଅଲଗା ସ୍ଥାନରେ ଶବ ଖଣ୍ଡକୁ ଫୋପାଡ଼ିଦେଲେ। ଘଟଣା ପରେ ସୁନୀତା ନିଜ ପିଲାଙ୍କୁ ନେଇ ଘସୋଁଲି ଚାଲିଯାଇଥିଲେ ଓ ସେଠାରେ ରାହୁଲଙ୍କ ସହ ରହିବାକୁ ଲାଗିଲେ। ଆଉ ଲୋକଙ୍କୁ କହିଥିଲେ, ବଳିରାମ ଘର ଛାଡ଼ି କୁଆଡେ ଚାଲିଯାଇଛି। ପୁଲିସ ଅଭିଯୁକ୍ତ ୪୦ ବର୍ଷୀୟା ସୁନୀତା କୁଶଓ୍ୱାହା ଓ ତାଙ୍କ ପ୍ରେମିକ ୩୦ ବର୍ଷର ରାହୁଲ ଦଶରଥ ପ୍ରଜାପତିଙ୍କୁ ଗିରଫ କରିଛି। ତେବେ ଏ ମାମଲା ଖୁଲାସା କରିବାକୁ ଏତେ ଦିନ କାହିଁକି ଲାଗିଲା। ବଳିରାମଙ୍କ ଖୋଜଖବର ନେଇ ତାଙ୍କ ଭାଇ ଖୋଜୁଥିଲେ। ଏପ୍ରିଲ ୨୦୨୬ରେ ରାବଲେ ଏମଆଇଡିସି ଥାନାରେ ନିଖୋଜ ଏତଲା ଦାଏର କରିଥିଲେ। ତଦନ୍ତରେ କଲ ଡିଟେଲ୍ସ, ମୋବାଇଲ ନମ୍ୱର ଅଦଳବଦଳ ଓ ଦୁଇ ଅଭିଯୁକ୍ତଙ୍କ ବୟାନରେ ପରସ୍ପର ବିରୋଧାଭାସ ଦେଖି ପୁଲିସର ସନ୍ଦେହ ବଢ଼ିଥିଲା। ସ୍ଥାନୀୟ ଅଦାଲତ ଦୁଇ ଅଭିଯୁକ୍ତଙ୍କୁ ୭ ଦିନ ଯାଏ ପୁଲିସ ହେପାଜତକୁ ପଠାଇଦେଇଛନ୍ତି। ପୁଲିସ ଅନୁସାରେ ପତ୍ନୀ ଓ ରାହୁଲଙ୍କ ପ୍ରେମସମ୍ପର୍କକୁ ବିରୋଧ କରୁଥିଲେ ବଳିରାମ। ବଲିରାମଙ୍କୁ ରାସ୍ତାର କଣ୍ଟା ଭାବି ଦୁହେଁ ତାଙ୍କୁ ହଟାଇବାକୁ ହତ୍ୟା ଯୋଜନା କରିଥିଲେ। ପୁଲିସ ଗାଓ୍ୱଲି ଦେବ ଜଙ୍ଗଲରେ ମୃତକର କଙ୍କାଳ ଓ ଅନ୍ୟ ଅବଶେଷକୁ ଠାବ ଲାଗି ତଲାସି ଅଭିଯାନ ଜାରି ରଖିଛି।
