MLA Send Inappropriate Msg To Collector:ମହିଳା କଲେକ୍ଟରଙ୍କୁ ବିଧାୟକଙ୍କ ଅଶ୍ଳୀଳ ମେସେଜ୍!
ବିଧାୟକ ଜଣକ ଜିଲ୍ଲାପାଳଙ୍କୁ WhatsAppରେ ଆପତ୍ତିଜନକ ମେସେଜ୍ ପଠାଇଥିବା ଅଭିଯୋଗ ହୋଇଛି। ମଦ୍ୟପ ଅବସ୍ଥାରେ ରାତିରେ ଜିଲ୍ଲାପାଳଙ୍କ ସରକାରୀ ବାସଭବନକୁ ଯାଇଥିବା ଅଭିଯୋଗ ମଧ୍ୟ ଆସିଛି। ବିଧାୟକ କହିଲେ ମିଛ ଓ ଗୁଜବ। ବିରୋଧୀଙ୍କ ଡାର୍ଟି ପଲିଟିକ୍ସ।

ତାମିଲନାଡୁରେ ଶାସକ ଦଳ TVK ପୁଣି ଏକ ବଡ଼ ବିବାଦରେ ଫସିଛି। ଦଳର କଲ୍ଲାକୁରିଚି ବିଧାୟକ C. ଅରୁଲ ବିଗ୍ନେଶଙ୍କ ବିରୋଧରେ ଜଣେ ମହିଳା ଜିଲ୍ଲାପାଳଙ୍କୁ ଅଶ୍ଳୀଳ ମେସେଜ୍ ପଠାଇବା ଏବଂ ମଦ୍ୟପ ଅବସ୍ଥାରେ ତାଙ୍କ ସରକାରୀ ବାସଭବନରେ ପହଞ୍ଚି ହଇରାଣ କରିବା ଭଳି ଗୁରୁତର ଅଭିଯୋଗ ଆସିଛି। ଏହି ଘଟଣାକୁ ନେଇ DMK ନେତ୍ରୀ କନିମୋଝି ଶାସକ TVK ସରକାରକୁ ଘେରିଛନ୍ତି। ଅନ୍ୟପଟେ ବିଧାୟକ ନିଜ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ପୁରା ଘଟଣା କ'ଣ?
ଏହି ବିବାଦର କେନ୍ଦ୍ରରେ ଅଛନ୍ତି କଲ୍ଲାକୁରିଚି ଜିଲ୍ଲାର ମହିଳା ଜିଲ୍ଲାପାଳ ପଦ୍ମଜା ଏବଂ TVK ବିଧାୟକ C. ଅରୁଳ ବିଗ୍ନେଶ। ଗଣମାଧ୍ୟମ ଓ ସୋସିଆଲ୍ ମିଡିଆରେ ପ୍ରସାରିତ ଖବର ଅନୁସାରେ: ବିଧାୟକ ଜଣକ ଜିଲ୍ଲାପାଳଙ୍କୁ WhatsAppରେ ଆପତ୍ତିଜନକ ମେସେଜ୍ ପଠାଇଥିବା ଅଭିଯୋଗ ହୋଇଛି। ମଦ୍ୟପ ଅବସ୍ଥାରେ ରାତିରେ ଜିଲ୍ଲାପାଳଙ୍କ ସରକାରୀ ବାସଭବନକୁ ଯାଇଥିବା ଅଭିଯୋଗ ମଧ୍ୟ ଆସିଛି। ଏହି ଘଟଣା ଏବେକାର ନୁହେଁ, ପ୍ରାୟ ଦୁଇ ମାସ ତଳର ବୋଲି କୁହାଯାଉଛି। ଜିଲ୍ଲାପାଳଙ୍କ ପରିବାର ପକ୍ଷରୁ TVKର ବରିଷ୍ଠ ନେତା ଓ ମନ୍ତ୍ରୀ ବୁସି ଆନନ୍ଦଙ୍କୁ ଅଭିଯୋଗ କରାଯାଇଥିଲା।
ଜିଲ୍ଲାପାଳଙ୍କୁ ଦିଆଗଲା ସ୍ୱତନ୍ତ୍ର ସୁରକ୍ଷା
ଏହି ଘଟଣା ପରେ ଜିଲ୍ଲାପାଳଙ୍କୁ Personal Security Officer (PSO) ଯୋଗାଇ ଦିଆଯାଇଥିବା ଖବର ସାମ୍ନାକୁ ଆସିଛି। ଜଣେ ଜନପ୍ରତିନିଧିଙ୍କ ବିରୋଧରେ ଜଣେ ବରିଷ୍ଠ ମହିଳା IAS ଅଧିକାରୀଙ୍କୁ ହଇରାଣ କରିବା ଅଭିଯୋଗ ଆସିବା ଘଟଣା ପ୍ରଶାସନିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି। ଏହା କେବଳ ଜଣେ ମହିଳା ଅଧିକାରୀଙ୍କ ସୁରକ୍ଷା ନୁହେଁ, ବରଂ ଜଣେ ନିର୍ବାଚିତ ବିଧାୟକ ଓ ଜଣେ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଥିବା ମର୍ଯ୍ୟାଦା ଓ ସମ୍ପର୍କକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି।
କାନିମୋଝିଙ୍କ ଟାର୍ଗେଟ୍ରେ ମୁଖ୍ୟମନ୍ତ୍ରୀ ବିଜୟ
DMKର ସାଂସଦ କନିମୋଝି ଏହି ଘଟଣାକୁ ନେଇ TVK ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ତାମିଲନାଡୁରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଖରାପ ହେଉଛି। ଯଦି ଜଣେ ଜିଲ୍ଲାପାଳ ନିଜ ଜିଲ୍ଲାର ଶାସକ ଦଳର ବିଧାୟକଙ୍କଠାରୁ ସୁରକ୍ଷିତ ନୁହନ୍ତି, ତେବେ ସାଧାରଣ ଲୋକଙ୍କ ସୁରକ୍ଷା କିଏ ଦେବ? କେବଳ ଜଣେ PSO ନିଯୁକ୍ତ କରିଦେଲେ ଜିଲ୍ଲାପାଳଙ୍କ ସୁରକ୍ଷା ନିଶ୍ଚିତ ହୋଇଯିବ କି? ମୁଖ୍ୟମନ୍ତ୍ରୀ C. Joseph Vijay ଏହି ଅଭିଯୋଗ ଉପରେ କ'ଣ ଉତ୍ତର ଦେବେ?
ବିଧାୟକ ଅରୁଳ ବିଗ୍ନେଶଙ୍କ ପ୍ରତିକ୍ରିୟା
ଅରୁଳ ବିଗ୍ନେଶ ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି। ତାଙ୍କର କହିବା କଥା, ସେ ଜିଲ୍ଲାପାଳଙ୍କୁ କୌଣସି ଅଶ୍ଳୀଳ କିମ୍ବା ଆପତ୍ତିଜନକ ମେସେଜ୍ ପଠାଇନାହାନ୍ତି।ଜିଲ୍ଲାପାଳଙ୍କ ଘରକୁ ଯାଇ ହଇରାଣ କରିଥିବା ଖବର ମଧ୍ୟ ମିଥ୍ୟା।DMKର IT Wing ତାଙ୍କ ବିରୋଧରେ ମିଥ୍ୟା ପ୍ରଚାର କରୁଛି। କଲ୍ଲାକୁରିଚି ବସ୍ ଷ୍ଟାଣ୍ଡ ସମ୍ପର୍କିତ କାର୍ଯ୍ୟରେ ସେ ସକ୍ରିୟ ଥିବାରୁ ତାଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର ହେଉଛି।
TVK ମୁଖ୍ୟ ବିଜୟଙ୍କ ପାଇଁ ବଢ଼ିଲା ଅଡ଼ୁଆ!
ଏହି ବିବାଦ ମଧ୍ୟରେ TVK ନେତୃତ୍ୱ ବିଧାୟକଙ୍କ ଆଚରଣକୁ ନେଇ ଅସନ୍ତୁଷ୍ଟ ଥିବା ଖବର ପ୍ରକାଶ ପାଇଛି। ଦଳର ଶୃଙ୍ଖଳା କମିଟି ଅରୁଳ ବିଗ୍ନେଶଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରିପାରେ। ଏହି ବିବାଦ ସହ ଦଳର ଉପବାଚସ୍ପତି M. Ravisankarଙ୍କ ବିରୋଧରେ ମଧ୍ୟ ଅନ୍ୟ ଏକ ବିବାଦ ଉଠିଛି। ଫଳରେ ଶାସକ ଦଳ ଭାବରେ TVK ନିଜ ବିଧାୟକଙ୍କ ଆଚରଣ ଓ ଦଳୀୟ ଶୃଙ୍ଖଳାକୁ ନେଇ ଚାପରେ ରହିଛି।
