ମଧ୍ୟାହ୍ନ ଭୋଜନ ଵଦଳରେ ପିଲାଙ୍କୁ ମିଳୁଛି ୫ ଟଙ୍କିଆ ଵିସ୍କୁଟ
ମଧ୍ୟାହ୍ନ ଭୋଜନ ନାଁରେ ମିଳୁଛି କେବଳ ଗୋଟିଏ ୫ ଟଙ୍କିଆ ବିସ୍କୁଟ। ରୋଷେୟା ଅଭାବରୁ ରନ୍ଧା ମଧ୍ୟାହ୍ନ ଭୋଜନ ବନ୍ଦ ହୋଇଥିଵା କହିଲେ ପ୍ରଧାନ ଶିକ୍ଷୟତ୍ରୀ। ଘଟଣାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଲେ ଵିଇଓ।
ବ୍ରହ୍ମଗିରି: ସକାଳ ୧୦ଟାରୁ ବିଦ୍ୟାଳୟକୁ ଆସୁଛନ୍ତି କୁନି କୁନି ପିଲା। ଦିନସାରା ପାଠ ପଢ଼ି ସନ୍ଧ୍ୟା ୪ଟାରେ ଘରକୁ ଫେରୁଛନ୍ତି। କିନ୍ତୁ ମଧ୍ୟାହ୍ନ ଭୋଜନ ନାଁରେ ମିଳୁଛି କେବଳ ଗୋଟିଏ ୫ ଟଙ୍କିଆ ବିସ୍କୁଟ। ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଖଜୁରିଆ ନିକଟସ୍ଥ ହୁବାସାହି ପ୍ରାଥମିକ ବିଦ୍ୟାଳୟରୁ। ଦିନେ ନୁହେଁ କି ଦୁଇଦିନ ନୁହେଁ ଦେଢମାସ ହେଲାଣି ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଯାଉଛି ବିସ୍କୁଟ । ସରକାରୀ ନିୟମ ଅନୁଯାୟୀ ସପ୍ତାହର ପ୍ରତ୍ୟେକ ଦିନରେ ଭାତ, ଡାଲି, ସୋୟାବିନ ତରକାରୀ, ଅଣ୍ଡା ସମେତ ପୁଷ୍ଟିକର ରନ୍ଧା ଖାଦ୍ୟ ଯୋଗାଇବାର ବ୍ୟବସ୍ଥା ରହିଛି। ଏଥିପାଇଁ ସରକାର ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରୁଛନ୍ତି। ତେବେ କେଉଁ ପରିସ୍ଥିତିରେ ମଧ୍ୟାହ୍ନ ଭୋଜନ ନିୟମର ବ୍ୟତିକ୍ରମ ହେଲା, ତାହାକୁ ନେଇ ପ୍ରଶ୍ନ ଉଠିଛି। କେବଳ ମଧ୍ୟାହ୍ନ ଭୋଜନ ନୁହେଁ, ବିଦ୍ୟାଳୟରେ ଶିକ୍ଷକ ଅଭାବ ମଧ୍ୟ ରହିଛି। ଏନେଇ ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ ଓ ଅବିଭାବକ, ସ୍କୁଲରେ ଛଅଟି ଶ୍ରେଣୀ ପାଇଁ ଅଛନ୍ତି ମାତ୍ର ଜଣେ ଶିକ୍ଷକ। ସମସ୍ତ କକ୍ଷରେ ତାଲା ପଡ଼ିଥିବା ବେଳେ ଗୋଟିଏ ଘର ଭିତରେ ଚାଲିଛି ପାଠପଢା।
ସେପଟେ ଅଭିଯୋଗକୁ ସ୍ୱୀକାର କରିଛନ୍ତି ବିଦ୍ୟାଳୟର ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିତା ଗଡୁ । ବିଦ୍ୟାଳୟରେ ରୋଷେୟା ନଥିବାରୁ ରନ୍ଧା ଖାଦ୍ୟ ପ୍ରସ୍ତୁତ ହୋଇପାରୁନାହିଁ। ଏନେଇ ସିଆରସିଙ୍କୁ ଅବଗତ କରିଥିଵା ଵେଳେ ସ୍କୁଲ ପରିଚାଳନା କମିଟି ମଧ୍ୟ କୌଣସି ନିଷ୍ପତ୍ତି ନେଇନଥିବା ସେ କହିଛନ୍ତି। ଅନ୍ଯପଟେ ବ୍ରହ୍ମଗିରିରେ ସ୍ଥାୟୀ ବ୍ଲକ ଶିକ୍ଷା ଅଧିକାରୀ ନାହାନ୍ତି। ସତ୍ୟବାଦୀ ବ୍ଲକର ବିଇଓ ଦାୟିତ୍ୱ ସମ୍ଭାଳୁଥିବା ବେଳେ ଏହି ଘଟଣା ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନଥିବା କହିଵା ସହ ତଦନ୍ତ ପରେ ରିପୋର୍ଟ ଦିଆଯିଵ ଵୋଲି କହିଛନ୍ତି । କୋମଳମତି ଶିଶୁମାନଙ୍କ ସହ ଏଭଳି ଅବହେଳା କାହିଁକି ହେଲା, ତାହାର ନିରପେକ୍ଷ ତଦନ୍ତ ସହ ବିଦ୍ୟାଳୟରେ ତୁରନ୍ତ ନିୟମ ଅନୁଯାୟୀ ରନ୍ଧା ମଧ୍ୟାହ୍ନ ଭୋଜନ ଯୋଗାଇବାକୁ ଅଭିଭାବକମାନେ ଦାବି କରିଛନ୍ତି।
