ସୁପାରି କିଲର ଡାକି ପତ୍ନୀକୁ ହତ୍ୟା
ଅନୀଲ ଗଲା ୩ ବର୍ଷ ହେଲା ପତ୍ନୀଙ୍କ ସହ ଅସୁଖୀ ଥିଲେ। ମୀନା ନିଜ ବାପା ମାଆଙ୍କୁ ଟଙ୍କା ପଠାଉଥିଲେ। ଏହା ସହ ଅନୀଲ ଶାରୀରିକସ୍ତରରେ ଦୁର୍ବଳରୁ ଦାମ୍ପତ୍ୟ ଜୀବନ ବି ଖରାପ ହୋଇଥିଲା। ଅନୀଲର ଏହି ଅସନ୍ତୋଷ ମୀନାଙ୍କୁ ମାରିବାକୁ ଷଡ଼ଯନ୍ତ୍ରର ରୂପ ନେଇଥିଲା।

ହାଇଦ୍ରାବାଦରେ ଚର୍ଚ୍ଚିତ ମୀନା ଦେବୀ ହତ୍ୟାକାଣ୍ଡରେ ଚକିତ କଲା ଭଳି ଖୁଲାସା ସାମ୍ନାକୁ ଆସିଛି। ବିହାର ସୁଟର ଡାକି ପତ୍ନୀକୁ ହତ୍ୟା କରିଥିଲା ସ୍ୱାମୀ ଅନୀଲ କୁମାର ଶାହ। ଆଉ ମର୍ଡରକୁ ରାସ୍ତା କଡ଼ରେ ଆକ୍ରମଣଜନିତ ଘଟଣା ବୋଲି ଦର୍ଶାଇବାକୁ କରିଥିଲା ଫନ୍ଦି। ପୁରା ହତ୍ୟାର ଷଡ଼ଯନ୍ତ୍ର କରିଥିଲା ଅନୀଲ। ବିହାରରୁ ଡାକିଥିଲା ସୁପାରୀ କିଲର। ମେ ୩୦ ରାତିରେ ୩୬ ବର୍ଷୀୟା ମୀନା ଦେବୀଙ୍କ ମୃତଦେହ ଗାଣ୍ଡିଗୁଡ଼େମ ଗାଁ ବାହାରେ ପଡ଼ିଥିଲା। ତାଙ୍କ ଗଳା କଟାଯାଇଥିଲା। ଆରମ୍ଭରୁ କୌଣସି ଅଜ୍ଞାତ ଆକ୍ରମଣକାରୀ ଘଟାଇଥିବା ଜଣାପଡ଼ୁଥିଲା। ସେତେବେଳେ ପୁଲିସକୁ ଅନୀଲ କହିଥିଲା କି, ସେ ଦୁହେଁ ବାଇକରେ ଘରକୁ ଫେରୁଥିଲେ। ରାସ୍ତାକଡ଼ରେ ବୁଦା ମୂଳେ ଲୁଚିଥିବା ୩ ଜଣ ଅଚାନକ ବାହାରିଥିଲେ ଓ ତାଙ୍କ ପତ୍ନୀକୁ ଅପହରଣ କରିନେଲେ। ବିରୋଧ କରିବାରୁ ବଦମାସ ତାଙ୍କ ପତ୍ନୀକୁ ମାରିଦେଲେ। ଆକ୍ରମଣକାରୀ ତାଙ୍କୁ ବି ଆକ୍ରମଣ କଲେ ଓ ବାଇକ ନେଇ ଫେରାର୍ ହୋଇଗଲେ। ଅନୀଲର କାହାଣୀରୁ ଏହା ଡକାୟତି ମାମଲା ନଚେତ ଯୌନ ଅପରାଧ ବୋଲି ପୁଲିସର ପ୍ରତୀୟମାନ ହେଲା। କିନ୍ତୁ ଘଟଣାସ୍ଥଳରୁ ମିଳିଥିବା ସାକ୍ଷୀ ଓ ଅନୀଲ ବୟାନରେ ବିରୋଧାଭାସ ପାଇଥିଲା ପୁଲିସ। ଫଳରେ ତଦନ୍ତର ମୋଡ଼ ବଦଳିଥିଲା। ମାମଲାର ଯାଞ୍ଚ ଲାଗି ୮ଟି ଟିମ୍ ଗଠନ ହୋଇଥିଲା। ଏହା ପରେ ପୁଲିସ ଟେକନିକ୍ ସାକ୍ଷୀ, ମୋବାଇଲ ଲୋକେସନ, ସାକ୍ଷୀଙ୍କ ବୟାନକୁ ଯୋଡ଼ି ଦେଖିଲା ଯେ, ଏହା ପୁରା ସୁଚିନ୍ତିତ ଷଡ଼ଯନ୍ତ୍ର। ଅନୀଲ ଗଲା ୩ ବର୍ଷ ହେଲା ପତ୍ନୀଙ୍କ ସହ ଅସୁଖୀ ଥିଲେ। ମୀନା ନିଜ ବାପା ମାଆଙ୍କୁ ଟଙ୍କା ପଠାଉଥିଲେ। ଏହା ସହ ଅନୀଲ ଶାରୀରିକସ୍ତରରେ ଦୁର୍ବଳରୁ ଦାମ୍ପତ୍ୟ ଜୀବନ ବି ଖରାପ ହୋଇଥିଲା। ଅନୀଲର ଏହି ଅସନ୍ତୋଷ ମୀନାଙ୍କୁ ମାରିବାକୁ ଷଡ଼ଯନ୍ତ୍ରର ରୂପ ନେଇଥିଲା। ବିହାରରେ ରହୁଥିବା ନିଜର ପରିଚିତ ରିଙ୍କୁ କୁମାର ସହ ସମ୍ପର୍କ କରିଥିଲା। ମୀନାଙ୍କୁ ମାରିବାକୁ ୨ଲକ୍ଷ ଟଙ୍କା ଦେବାକୁ କହିଥିଲା। ରିଙ୍କୁ ଏହି ଡିଲ୍ ସ୍ୱୀକାର କରିବା ସହ ରଞ୍ଜନ ଓ ନୀରଜ ନାଁରେ ଦୁଇ ସୁପାରୀ କିଲରଙ୍କୁ ସାମିଲ୍ କରିଥିଲା। ରିଙ୍କୁ, ରଞ୍ଜନ ଓ ନୀରଜ ମେ ୨୯ରେ ବିହାରରୁ ହାଇଦ୍ରାବାଦରେ ପହଞ୍ଚିଥିଲେ। ଅନୀଲକୁ ଭେଟି ପୁରା ମର୍ଡରର ପ୍ଲାନ୍ କରିଥିଲେ। ଅଭିଯୁକ୍ତମାନେ ମୀନାଙ୍କୁ ମାରି ଅନୀଲ ବାଇକକୁ ନେଇ ସହର ବାହାରେ ଛାଡ଼ିଦେଇଥିଲେ। ଏହା ପରେ ବସରେ ବିହାର ପଳାଇଥିଲେ। ରିଙ୍କୁର ଅପରାଧିକ ଇତିହାସ ରହିଛି। ଚୋରା ଗଞ୍ଜେଇ, ମଦ ବେପାର ସହ ଅପହରଣ ଭଳି ଅନେକ ମାମଲା ବିହାର, ପଞ୍ଜାବ ଓ ହରିଆଣାରେ ରହିଛି।

