ମାଳଦା–ରହଣିଆ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା
ମାଳଦା ଠାରୁ ରହଣିଆ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ଏବେ ସାଧାରଣ ଲୋକଙ୍କ ପାଇଁ ପାଲଟିଛି ମରଣଯନ୍ତା ।
ଭଣ୍ଡାରିପୋଖରୀ : ମାଳଦା ଠାରୁ ରହଣିଆ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ଏବେ ସାଧାରଣ ଲୋକଙ୍କ ପାଇଁ ପାଲଟିଛି ମରଣଯନ୍ତା । ପ୍ରତିଦିନ ଏହି ରାସ୍ତାରେ ଏକାଧିକ ଲୋକ ପଡ଼ି ଆହତ ହେଉଥିବା ବେଳେ ସ୍କୁଲ ଓ କଲେଜ ଯାଉଥିବା ଛାତ୍ରଛାତ୍ରୀମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଜରୁରୀ ସେବା ଯଥା ଆମ୍ବୁଲାନ୍ସ ଓ ଦମକଳ ଗାଡ଼ି ମଧ୍ୟ ଏହି ରାସ୍ତା ଦେଇ ଯାତାୟାତ କରିପାରୁନାହିଁ। ଦିନକୁ ପ୍ରାୟ ୫ହଜାରରୁ ଅଧିକ ଲୋକ ଏହି ଏହି ରାସ୍ତା ବ୍ୟବହାର କରୁଥିବା ବେଳେ ଅଧୁରା ରହିଥିବା ନିର୍ମାଣ କାମ ଯାତାୟାତକୁ ଅଧିକ ବିପଜ୍ଜନକ କରିଛି। RD ବିଭାଗ ଅଧୀନରେ ଥିବା ଏକ ସେତୁ କାମ ଦୁଇ ମାସ ପୂର୍ବରୁ ସମାପ୍ତ ହେବାର ଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାସ୍ତା କାମ ସମ୍ପୂର୍ଣ୍ଣ ହୋଇନାହିଁ। ଫଳରେ ନୌରଙ୍ଗପୁର, ରହଣିଆ, ଦେଉଳପଦି, ରାଣୀଗଢ଼ିଆ ଓ ଧାମନଘର ଅଞ୍ଚଳର ଲୋକେ ସବୁଦିନ ହଇରାଣ ହେଉଛନ୍ତି। ଅଭିଯୋଗ ଅନୁଯାୟୀ, ଲୋକ ପ୍ରତିନିଧି ଓ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ତେବେ ଠିକାଦାର ମଧ୍ୟ କାମ ଅଧାରେ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି। ବର୍ଷା ଋତୁ ଆସିବା ପୂର୍ବରୁ ତୁରନ୍ତ ରାସ୍ତା କାମ ସମ୍ପୂର୍ଣ୍ଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
