“ଗଜବେଶ”ରେ କୋଟି ବ୍ରହ୍ମାଣ୍ଡ ଠାକୁରଙ୍କ ଦିଵ୍ୟ ଦର୍ଶନ
ମନମୋହୁଛି ମହାପ୍ରଭୁଙ୍କ ଦୁର୍ଲଭ “ହାତୀ”ବେଶ । ଜନସମୁଦ୍ର ପୁରୀ ବଡାଦାଣ୍ଡ । ଭକ୍ତମାନଙ୍କ ମଧ୍ୟରେ ଅପାର ଉତ୍ସାହ ଓ ଭକ୍ତିଭାବ । ବର୍ଷକୁ ଥରେ ରତ୍ନବେଦୀ ଛାଡି ସ୍ନାନବେଦୀରେ ଦାରୁ ଦିଅଁ ।
ଆଜି ପବିତ୍ର ଜେଷ୍ଠ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା। ଏନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ବଡାଦାଣ୍ଡ । ଶ୍ରୀକ୍ଷେତ୍ରରେ ଏହି ପର୍ବକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଦେଖାଦେଇଛି ଅପାର ଉତ୍ସାହ ଓ ଭକ୍ତିଭାବ । ବର୍ଷକୁ ଥରେ ଆଜିର ଦିନରେ ରତ୍ନବେଦୀ ଛାଡି ସ୍ନାନବେଦୀକୁ ଆସନ୍ତି ଦାରୁ ଦିଅଁ। ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀସୁଦର୍ଶନଙ୍କୁ ସ୍ନାନବେଦୀରେ ବିରାଜମାନ କରାଯାଇ ୧୦୮ କଳସ ସୁବାସୀତ ଜଳରେ ମହାସ୍ନାନ କରାଯାଇଥାଏ । ବେଦମନ୍ତ୍ର, ଘଣ୍ଟ, ଘଣ୍ଟା ଓ ହରିବୋଲ ଧ୍ୱନି ମଧ୍ୟରେ ସମ୍ପନ୍ନ ହେଉଥିବା ଏହି ନୀତି ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ସ୍ନାନ ପରେ ମହାପ୍ରଭୁ ଗଜବେଶ ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି, ଯାହାକୁ “ହାତୀ ବେଶ” ବୋଲି ମଧ୍ୟ କୁହାଯାଏ ।
ତେବେ ମହାପ୍ରଭୁଙ୍କ ଗଜବେଶର ପଛରେ ରହିଛି ଏକ କିମ୍ବଦନ୍ତୀ। ମହାରାଷ୍ଟ୍ରର ଏକ ବ୍ରାହ୍ମଣ ଗଣପତି ଭଟ୍ଟ ଥରେ ଶ୍ରୀ କ୍ଷେତ୍ରର ମହିମା ବିଷୟରେ ଶୁଣି, ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିଲେ। ବ୍ରାହ୍ମଣ ଜଣକ ଭଗବାନ ଗଣେଶଙ୍କର ଭକ୍ତ ଥିଲେ । ତେଣୁ ଦାରୁ ବିଗ୍ରହଙ୍କ ଦର୍ଶନ କରି, ଗଜ ରୂପ ନଦେଖି ସେ ତାଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ୱୀକାର କଲେ ଏବଂ ନିରାଶ ହୋଇ ମନ୍ଦିର ତ୍ୟାଗ କରିଥିଲେ । ତେବେ ପରଦିନ ଥିଲା ଦେବସ୍ନାନ ପୂର୍ଣ୍ଣିମା । ମହାପ୍ରଭୁଙ୍କ ଆଦେଶରେ ବଡ଼ପଣ୍ଡା ବ୍ରାହ୍ମଣ ଗଣପତି ଭଟ୍ଟଙ୍କୁ ସ୍ନାନ ଯାତ୍ରା ଦେଖିବା ପାଇଁ ଆମନ୍ତ୍ରଣ କଲେ । ତେବେ ଗଣପତି ଭଟ୍ଟ ତାଙ୍କ ଆଖି ସମ୍ମୁଖରେ ଦାରୁ ବିଗ୍ରହ ଶ୍ରୀ ଜଗନ୍ନାଥଙ୍କ ରୂପ ପରିବର୍ତ୍ତନ ହୋଇ ଗଣେଶଙ୍କ ରୂପ ହୋଇଗଲା । ତେବେ ମହାପ୍ରଭୁଙ୍କ ଏ ଅଲୌକିକ ରୂପ ଦେଖି ତାଙ୍କର ଜ୍ଞାନୋଦୟ ହେବା ସହ ସେ ନିଜ ଭୁଲକୁ ବୁଝିପାରିଲେ । ତାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ତାଙ୍କୁ ବର ପ୍ରଦାନ କଲେ ଯେ, ପ୍ରତିବର୍ଷ ସ୍ନାନଯାତ୍ରା ଦିନରେ ସେ ଗଜବେଶ ଧାରଣ କରିବେ । ଏହି ଘଟଣା ପରଠାରୁ ପ୍ରତିବର୍ଷ ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ ପୂର୍ଣ୍ଣିମାରେ ଗଜବେଶ ଧାରଣ କରି ନିଜ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି।
