ଲାଞ୍ଚ ନେବାବେଳେ ପଶୁଧନ ନିରୀକ୍ଷକ ଗିରଫ, ଭିଜିଲାନ୍ସର ରେଡ୍
ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ପଶୁଧନ ନିରୀକ୍ଷକ (LI) ପ୍ରଫୁଲ୍ଲ ହାଲଦାର ୮୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଗିରଫ କରିଛି।
ନବରଙ୍ଗପୁର: ୮୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ପଞ୍ଝାରେ ପଡିଲେ ପଶୁଧନ ନିରୀକ୍ଷକ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ପଶୁଧନ ନିରୀକ୍ଷକ (LI) ପ୍ରଫୁଲ୍ଲ ହାଲଦାରଙ୍କୁ ଭିଜିଲାନ୍ସ ଗିରଫ କରିଛି। ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ ସବସିଡି ଟଙ୍କା ମୁକ୍ତ କରିବା ପାଇଁ ପଶୁଧନ ନିରୀକ୍ଷକ ପ୍ରଫୁଲ୍ଲ ହାଲଦାର ୮୦ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଲାଞ୍ଚ ନ ଦେଲେ ସବସିଡି ଟଙ୍କା ବନ୍ଦ କରିଦେବେ ବୋଲି ଧମକ ଦେଇଥିଲେ ଅଭିଯୋଗ ହୋଇଛି ଲାଞ୍ଚ କାରବାର ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଏହି ଯୋଜନାରେ ଦୁଗ୍ଧ ଚାଷୀମାନଙ୍କୁ ଗୋଟିଏରୁ ୫ଟି ଗାଈ ସହ ଦୁଗ୍ଧ ଉତ୍ପାଦନ ୟୁନିଟ୍ ସ୍ଥାପନ ପାଇଁ ସହାୟତା ଦିଆଯାଏ । ହିତାଧିକାରୀ ଜଣଙ୍କ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପରେ ପୂର୍ବ ଯୋଜନା ଅନୁସାରେ ଭିଜିଲାନ୍ସ ଟିମ୍ ପ୍ରଫୁଲ୍ଲ ହାଲଦାରଙ୍କୁ ଲାଞ୍ଚ ଟଙ୍କା ନେଉଥିବାବେଳେ ରେଡ୍ ହାଣ୍ଡେଡ୍ ଧରିଥିଲା ଏବଂ ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଏହା ସହ ଆୟବହିର୍ଭୂତ ସମ୍ପତ୍ତି ସନ୍ଦେହରେ ତାଙ୍କ ରାଇଘର DNK ସ୍ଥିତ ବାସଭବନ, ପାରୱେଲ ସ୍ଥିତ ବାସଭବନ ଓ ସରକାରୀ କାର୍ଯ୍ୟାଳୟରେ ଚଢ଼ାଉ ଚଢ଼ାଉ କରାଯାଇଛି। ସର୍ଚ୍ଚ ବେଳେ ତାଙ୍କ ଘରୁ ୮ଲକ୍ଷ ୨୪ ହଜାର ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ଭିଜିଲାନ୍ସ ଏହି ମାମଲାରେ ତଦନ୍ତ ଜାରି ରଖିଛି।

