ବିଶ୍ୱର ସର୍ବବୃହତ ରଥରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା
ବିଶ୍ୱର ସର୍ବବୃହତ ରଥରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା। ଶ୍ରୀ ବଳଦେବଜୀଉ, ମା’ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଭକ୍ତି ଓ ଉତ୍ସାହର ସହ ହୋଇଛି ଅନୁଷ୍ଠିତ। ‘ଜୟ ଜଗନ୍ନାଥ’ ଧ୍ୱନିରେ ସମଗ୍ର ପରିବେଶ ଭକ୍ତିମୟ, କେନ୍ଦୁଝର ବଡ଼ଦାଣ୍ଡରେ ରଥ ଟାଣିଥିଲେ ହଜାର ହଜାର ଭକ୍ତ ।
କେନ୍ଦୁଝର: ବିଶ୍ୱର ସର୍ବବୃହତ ରଥରେ ଶ୍ରୀ ବଳଦେବଜୀଉ, ମା’ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଭକ୍ତି ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଛି। ମେଘୁଆ ପାଗ ଓ ଝିପିଝିପି ବର୍ଷା ସତ୍ତ୍ୱେ ହଜାର ହଜାର ଭକ୍ତ କେନ୍ଦୁଝର ବଡ଼ଦାଣ୍ଡରେ ସମବେତ ହୋଇ ରଥ ଟାଣିଥିଲେ। ‘ଜୟ ଜଗନ୍ନାଥ’ ଧ୍ୱନିରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା। ଗୁଣ୍ଡିଚା ମନ୍ଦିରରୁ ଗୋଟି ପହଣ୍ଡିରେ ତିନି ଠାକୁର ରଥ ନିକଟକୁ ଆସି ତିନିଥର ପରିକ୍ରମା କରିବା ପରେ ଅପରାହ୍ନ ପ୍ରାୟ ୩ଟା ୩୦ ମିନିଟରେ ରଥାରୂଢ଼ ହୋଇଥିଲେ। ପରମ୍ପରା ଅନୁଯାୟୀ ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ ଛେରା ପହଁରା କରିବା ପରେ ଅପରାହ୍ନ ୫ଟାରେ ରଥ ଟଣା ଆରମ୍ଭ ହୋଇଥିଲା।
କେନ୍ଦୁଝର ରଥଯାତ୍ରାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ବାହୁଡ଼ା ଯାତ୍ରା ପୂର୍ବରୁ ରଥକୁ ଦକ୍ଷିଣ ମୋଡ଼ କରାଯାଏ ନାହିଁ। ବରଂ ରଥ ଉପରେ ଥିବା ଠାକୁରଙ୍କ ଆସ୍ଥାନକୁ ଉତ୍ତର ଦିଗକୁ ମୋଡ଼ାଯାଏ। ଏହାପରେ ତିନି ଠାକୁର ରଥାରୂଢ଼ ହୋଇ ଉତ୍ତର ଦିଗରେ ଅବସ୍ଥିତ ଶ୍ରୀଶ୍ରୀ ବଳଦେବଜୀଉ ମନ୍ଦିର ଅଭିମୁଖେ ବାହୁଡ଼ା ଯାତ୍ରା କରନ୍ତି। ଏହି ଅନନ୍ୟ ପରମ୍ପରା କେନ୍ଦୁଝର ରଥଯାତ୍ରାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଭକ୍ତି, ଆସ୍ଥା ଓ ପରମ୍ପରାର ଅଦ୍ଭୁତ ସମନ୍ୱୟରେ ଉତ୍ସବମୁଖର ହୋଇଉଠିଥିଲା କେନ୍ଦୁଝରର ବଡ଼ଦାଣ୍ଡ।
