Jhamu Jatra: ଭୈରବ ଦେବଙ୍କ ପ୍ରସିଦ୍ଧ ଝାମୁଯାତ୍ରା ଅନୁଷ୍ଠିତ
ଥୁଆମୂଳ ରାମପୁରରେ ଭୈରବ ଦେବଙ୍କ ପ୍ରସିଦ୍ଧ ଝାମୁଯାତ୍ରା ଅନୁଷ୍ଠିତ । ହଜାର ହଜାର ଭକ୍ତଙ୍କ ସମାଗମ, ଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା ଅଗ୍ନିକୁଣ୍ଡ ଅତିକ୍ରମ କରିବାର ପାରମ୍ପରିକ ରୀତି।
ଜୟପାଟଣା: କଳାହାଣ୍ଡି ଥୁଆମୂଳ ରାମପୁରରେ ଧୁମଧାମରେ ପାଳିତ ହୋଇଛି ଭୈରବ ଦେବଙ୍କ ପ୍ରସିଦ୍ଧ ଝାମୁଯାତ୍ରା। ଦୂରଦୂରାନ୍ତରୁ ହଜାର ହଜାର ଭକ୍ତ ଆସି ଦେବଙ୍କ ଦର୍ଶନ କରିଥିଲେ। ଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା ଅଗ୍ନିକୁଣ୍ଡ ଅତିକ୍ରମ କରିବାର ପାରମ୍ପରିକ ରୀତି। ପାରମ୍ପରିକ ରୀତିନୀତି ଅନୁଯାୟୀ ଅଗ୍ନିକୁଣ୍ଡ ପ୍ରସ୍ତୁତ କରାଯାଇଥିଲା। ପୂଜାର୍ଚ୍ଚନା ଓ ଧାର୍ମିକ ବିଧି ସମ୍ପନ୍ନ ହେବା ପରେ ଭୈରବ ଦେବଙ୍କ ପ୍ରତୀକାତ୍ମକ ଯାତ୍ରା ଅଗ୍ନିକୁଣ୍ଡ ଆଡ଼କୁ ଅତିକ୍ରମ କରିଥିଲା। ଏହି ଦୃଶ୍ୟ ଦେଖିବାକୁ ଯାତ୍ରାସ୍ଥଳରେ ଭକ୍ତଙ୍କ ଭିଡ଼ ଜମିଥିଲା।
ଭଜନ, କୀର୍ତ୍ତନ ଓ ପାରମ୍ପରିକ ବାଦ୍ୟ ଘୁମୁରାର ତାଳରେ ମୁଖରିତ ହୋଇଥିଲା ପୂରା ପରିବେଶ। ଭକ୍ତମାନେ ଭୈରବ ଦେବଙ୍କ ଦର୍ଶନ କରି ପରିବାରର ସୁଖ, ଶାନ୍ତି ଓ ମଙ୍ଗଳ କାମନା କରିଥିଲେ। ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ଯାତ୍ରାସ୍ଥଳରେ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗରେ ଯାତ୍ରା ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିଲା। ଭୈରବ ଦେବଙ୍କ ଏହି ଝାମୁଯାତ୍ରା ପାରମ୍ପରିକ ଲୋକସଂସ୍କୃତି, ଆସ୍ଥା ଓ ଧାର୍ମିକ ପରମ୍ପରାର ଏକ ନିଆରା ପରିଚୟ ବହନ କରୁଛି।

