Justice Vikram Nath:ଜଷ୍ଟିସ୍ ବିକ୍ରମ ନାଥ ହେବେ ପରବର୍ତ୍ତୀ CJI, ୨୦୨୭ରେ ନେବେ ଦାୟିତ୍ୱ
ଆଲ୍ଲାହାବାଦ ହାଇକୋର୍ଟରେ ଓକିଲାତିରୁ ଆରମ୍ଭ ହୋଇଥିବା ଜଷ୍ଟିସ୍ ବିକ୍ରମ ନାଥଙ୍କ ଯାତ୍ରା ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଛି।ବର୍ତ୍ତମାନର CJI ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ୨୦୨୭ ଫେବ୍ରୁଆରୀରେ ନାଥ ଦାୟିତ୍ୱ ନେଇପାରନ୍ତି।
ଜଷ୍ଟିସ୍ ବିକ୍ରମ ନାଥଙ୍କ ନ୍ୟାୟିକ ଯାତ୍ରା ପ୍ରାୟ ଚାରି ଦଶନ୍ଧିର। ବର୍ତ୍ତମାନ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟରତ ଥିବାବେଳେ ଉପଲବ୍ଧ ତଥ୍ୟ ଅନୁସାରେ ୧୦ ଫେବ୍ରୁଆରୀ ୨୦୨୭ରୁ ସେ CJI ପଦରେ ଆସିପାରନ୍ତି | ୧୯୮୭ରେ ଆଇନଜୀବୀ ଭାବେ କ୍ୟାରିୟର ଆରମ୍ଭ କରି ସେ ଆଲ୍ଲାହାବାଦ ହାଇକୋର୍ଟରେ ୧୭ ବର୍ଷରୁ ଅଧିକ ସମୟ ପ୍ରାକ୍ଟିସ୍ କରିଥିଲେ। ୨୦୦୪ ସେପ୍ଟେମ୍ବର ୨୪ରେ ସେ ହାଇକୋର୍ଟର ଅତିରିକ୍ତ ବିଚାରପତି ହୋଇଥିଲେ ଏବଂ ୨୦୦୬ ଫେବ୍ରୁଆରୀ ୨୭ରେ ସ୍ଥାୟୀ ବିଚାରପତି ଭାବେ ଶପଥ ନେଇଥିଲେ | ୨୦୧୯ ସେପ୍ଟେମ୍ବରରେ ସେ ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ। ସେଠାରେ କୋର୍ଟ କାର୍ଯ୍ୟାନୁଷ୍ଠାନର ଲାଇଭ୍-ଷ୍ଟ୍ରିମିଂ ଆରମ୍ଭ କରିବା ତାଙ୍କ କାର୍ଯ୍ୟକାଳର ଏକ ଉଲ୍ଲେଖନୀୟ ପଦକ୍ଷେପ ଥିଲା। ୨୦୨୧ ଅଗଷ୍ଟ ୩୧ରେ ସେ ସୁପ୍ରିମକୋର୍ଟକୁ ପଦୋନ୍ନତି ପାଇଥିଲେ। ଆଉ ଏବେ,ତାଙ୍କ କାର୍ଯ୍ୟକାଳ ୨୩ ସେପ୍ଟେମ୍ବର ୨୦୨୭ରେ ଅବସର ସହ ଶେଷ ହେବାର ତାରିଖ ରହିଛି।
ବର୍ତ୍ତମାନ ସେ ନ୍ୟାୟିକ ପ୍ରଶାସନ ସହ ଜଡ଼ିତ ଅନେକ ଦାୟିତ୍ୱ ମଧ୍ୟ ସମ୍ଭାଳୁଛନ୍ତି। ସେ ସୁପ୍ରିମକୋର୍ଟର ଇ-କମିଟି ର ଅଧ୍ୟକ୍ଷ ଏବଂ ଜାତୀୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ଉପଲବ୍ଧ ବରିଷ୍ଠତା କ୍ରମ ଅନୁସାରେ, CJI ସୂର୍ଯ୍ୟକାନ୍ତଙ୍କ ପରେ ୨୦୨୭ ଫେବ୍ରୁଆରୀ ୧୦ରୁ ଜଷ୍ଟିସ୍ ବିକ୍ରମ ନାଥ CJI ଭାବେ କାର୍ଯ୍ୟଭାର ସମ୍ଭାଳିବା ର ସମ୍ଭାବ୍ୟ ତାରିଖ ରହିଛି |
