ସେଲଫି ଉଠାଇବା ବେଳେ କାବେରୀ ନଦୀରେ ଭାସିଗଲେ ଗୋଟିଏ ପରିବାରର ୫ ଜଣ
କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାର ମୁଥାଠୀ ପର୍ଯ୍ୟଟନ ସ୍ଥଳୀରେ ବୁଧବାର ସନ୍ଧ୍ୟାରେ କାବେରୀ ନଦୀ କୂଳରେ ସେଲଫି ଉଠାଇବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ।

କର୍ଣ୍ଣାଟକ: ସେଲଫି ନେବା ବେଳେ କାବେରୀ ନଦୀରେ ଭାସିଗଲେ ଗୋଟିଏ ପରିବାରର ୫ ଜଣ । କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାର ମୁଥାଠୀ ପର୍ଯ୍ୟଟନ ସ୍ଥଳୀରେ ବୁଧବାର ସନ୍ଧ୍ୟାରେ ଏକ ହୃଦୟବିଦାରକ ଘଟଣା ଘଟିଛି। କାବେରୀ ନଦୀ କୂଳରେ ଫଟୋ ଓ ସେଲଫି ଉଠାଇବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ ୪ ଜଣ ମହିଳା ରହିଛନ୍ତି। ମୃତକମାନେ ବେଙ୍ଗାଲୁରୁ ଦକ୍ଷିଣ ଜିଲ୍ଲାର ଚନ୍ନପଟ୍ଟଣ ଅଞ୍ଚଳର ବୋଲି ଜଣାପଡ଼ିଛି। ପୋଲିସ ସୂଚନା ଅନୁଯାୟୀ, ଅସାବଧାନତା ଯୋଗୁଁ ଏହି ଦୁଃଖଦ ଘଟଣା ଘଟିଛି। ପରିବାରଟି ବେଙ୍ଗାଲୁରୁରୁ ଏକ କାର୍ ଭଡ଼ାରେ ନେଇ ମାଣ୍ଡ୍ୟା ଜିଲ୍ଲାର ପ୍ରସିଦ୍ଧ ଅଞ୍ଜନେୟସ୍ୱାମୀ ମନ୍ଦିରକୁ ପୂଜା କରିବାକୁ ଆସିଥିଲେ। ମନ୍ଦିରରେ ଦର୍ଶନ ସାରିବା ପରେ ସେମାନେ କାବେରୀ ନଦୀ କୂଳକୁ ବୁଲିବାକୁ ଯାଇଥିଲେ। ସେଲଫି ନେବା ସମୟରେ ୫୦ ବର୍ଷୀୟା ବିଜୟମ୍ମା ନଦୀର ଗଭୀରତା ଠିକ୍ ଭାବେ ଅନୁମାନ କରିପାରିନଥିବାରୁ ସନ୍ତୁଳନ ହରାଇ ପାଣିରେ ବୁଡ଼ିଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ନଦୀର ପ୍ରବଳ ସ୍ରୋତରେ ଫସିଯାଇଥିଲେ। ଚିତ୍କାର ଶୁଣି ଆଉ ଜଣେ ସଦସ୍ୟ ଉଦ୍ଧାର ପାଇଁ ନଦୀକୁ ଡେଇଁଥିଲେ, କିନ୍ତୁ ସ୍ଥାନୀୟ ଲୋକେ ଜଣକୁ ଉଦ୍ଧାର କରିପାରିଥିଲେ। ଏହି ଦୁର୍ଘଟଣାରେ ବିଜୟମ୍ମା (୫୦), ଶ୍ୱେତା (୩୮), ଚୈତ୍ରା (୨୦), ପ୍ରିୟଙ୍କା (୨୮) ଏବଂ ଗାଡ଼ି ଚାଳକ ମହେଶଙ୍କ ମୃତ୍ୟୁ ଘଟିଛି। ଖବର ପାଇ ତୁରନ୍ତ ପୋଲିସ, ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ସମୟର ତଲାସି ପରେ ସମସ୍ତ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସ୍ଥାନୀୟ ହୋମଗାର୍ଡ ନଦୀ ଭିତରକୁ ନ ଯିବାକୁ ସତର୍କ କରିଥିଲେ ମଧ୍ୟ ପରିବାର ସଦସ୍ୟମାନେ ଏହାକୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପୁଣିଥରେ ପର୍ଯ୍ୟଟନ ସ୍ଥଳୀ ଓ ଜଳାଶୟ ନିକଟରେ ସେଲଫି ଓ ଫଟୋ ଉଠାଇବା ବେଳେ ସତର୍କତା ଅବଲମ୍ବନର ଆବଶ୍ୟକତାକୁ ସାମ୍ନାକୁ ଆଣିଛି।
