ଖାଲି ସିଟ୍, ମହଙ୍ଗା ଟିକଟ ଭିତରେ ଫିଫା ବିଶ୍ୱକପ୍!
ଷ୍ଟାଡିଅମ ଉଦଘୋଷକ ଦାବି କରିଥିଲେ, ୪୫ହଜାର୬୬୪ କ୍ଷମତା ବିଶିଷ୍ଟ ମୈଦାନରେ ୪୪ହଜାର୯୮୫ ଦର୍ଶକ ଉପସ୍ଥିତ ଥିଲେ। କିନ୍ତୁ ପ୍ରସାରଣର ଚିତ୍ର ଅଲଗା କାହାଣୀ କହୁଥିଲା। ଫିଫା କହିଛି, ମାତ୍ର ୭ଶହ ସିଟ୍ ଖାଲି ଥିଲା।

ଖାଲି ସିଟ୍, ମହଙ୍ଗା ଟିକଟ ଓ ରାସ୍ତାରେ ହଙ୍ଗାମାକୁ ନେଇ ପ୍ରଥମ ଦିନରୁ ପ୍ରଶ୍ନବାଚୀରେ ଫିଫା ବିଶ୍ୱକପ୍। ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସାଉଥ କୋରିଆ ଓ ଚେକିୟା ମ୍ୟାଚରେ ବଡ଼ ସଂଖ୍ୟାରେ ସିଟ୍ ଖାଲି ଦେଖିବାକୁ ମିଳିଥିଲା। ଅନେକ ଭିଆଇପି ସିଟ୍ ଖାଲି ପଡ଼ିଲା। ଯେବେକି ରେକର୍ଡ ଟିକଟ ବିକ୍ରିର ଦାବି କରିଥିଲା ଫିଫା। ମେକ୍ସିକୋ ସିଟିରେ ଉଦଘାଟନ ମ୍ୟାଚ୍ ବେଳେ ବିରୋଧ ପ୍ରଦର୍ଶନ ଓ ହିଂସା ବି ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ବିବାଦ ଛିଡ଼ା କରିଛି। ଗୋଟିଏ ପଟେ ମେକ୍ସିକୋ ସିଟିର ଐତିହାସିକ ଏଜେଟକା ଷ୍ଟାଡିଅମରେ ରଙ୍ଗାରଙ୍ଗ ଉଦଘାଟନ ସମାରୋହରେ ଜିତର ଉତ୍ସବ ଦେଖିବାକୁ ମିଳିଥିଲା ବେଳେ ଟିକଟର ଦର ଓ ହିଂସ୍ରିକ ପ୍ରଦର୍ଶନ ଫିଫାର ମୁସ୍କିଲ ବଢ଼ାଇଦେଇଛି। ଷ୍ଟାଡିଅମ ଉଦଘୋଷକ ଦାବି କରିଥିଲେ, ୪୫ହଜାର୬୬୪ କ୍ଷମତା ବିଶିଷ୍ଟ ମୈଦାନରେ ୪୪ହଜାର୯୮୫ ଦର୍ଶକ ଉପସ୍ଥିତ ଥିଲେ। କିନ୍ତୁ ପ୍ରସାରଣର ଚିତ୍ର ଅଲଗା କାହାଣୀ କହୁଥିଲା। ଫିଫା କହିଛି, ମାତ୍ର ୭ଶହ ସିଟ୍ ଖାଲି ଥିଲା। ମ୍ୟାଚରେ ଚେକିଆକୁ ୨-୧ରେ ହରାଇ ଦମଦାର କମବ୍ୟାକ୍ କରିଥିଲା। ହେଲେ ମୁକାବିଲା ବଦଳରେ ଅଧିକ ସିଟ୍ ଖାଲି ରହିବା ଚର୍ଚ୍ଚା ବଢ଼ିଗଲା। ଫିଫା ଅଧ୍ୟକ୍ଷ ଜିୟାନୀ ଇନଫେଣ୍ଟିନୋ ଏପ୍ରିଲରେ ଦାବି କରିଥିଲେ, ଟୁର୍ଣ୍ଣାମେଣ୍ଟ ପାଇଁ ୫ଶହ ମିଲିୟନ (୫୦ କୋଟି) ଟିକଟର ଅନୁରୋଧ ମିଳିଛି। ଆଉ ଏହି ସଂଖ୍ୟା ଗଲା ଦୁଇଟି ବିଶ୍ୱକପରେ ମିଳିଥିବା ମୋଟ୍ ୫୦ ମିଲିୟନ ଟିକଟ ଅନୁରୋଧର ୧୦ଗୁଣା ଥିଲା। ତେବେ ସିଟ୍ ଯେମିତି ଖାଲି ନରହୁ, ସେଥିଲାଗି କୁଆଡ଼େ ଫିଫା ଟିକଟର ଦର ହ୍ରାସ କରିଛି। ଫଳରେ ଆମେରିକା, କାନାଡ଼ା ଓ ମେକ୍ସିକୋରୁ ଅଧିକରୁ ଅଧିକ ଦର୍ଶକ ଷ୍ଟାଡିଅମ ଆସିପାରିବେ। ଫୁଟବଲ ଫ୍ୟାନ୍ସ ଲଗାତାର ଆରୋପ ଲଦୁଛନ୍ତି ଯେ, କମ୍ ଲୋକପ୍ରିୟ ଗ୍ରୁପ ମ୍ୟାଚର ଟିକଟ ବି ୩ଶହ ଡଲାରରୁ ଅଧିକ ଦାମରେ ବିକ୍ରି ହେଉଛି। ଏପରିକି ଫିଫାର ଅଧିକାରିକ ରିସେଲ ପୋର୍ଟାଲରେ ବି ହଜାର ହଜାର ଟିକଟ ଉପଲବ୍ଧ ଅଛି। ଏପରିକି ଆମେରିକା ଓ ପରାଙ୍ଗଓ୍ୱେ ଭିତରେ ଲସ ଆଞ୍ଜେଲ୍ସରେ ହେବାକୁ ଥିବା ମୁକାବିଲାର ଟିକଟ ବି ପୁରା ବିକ୍ରି ହୋଇପାରିନି। ତେବେ ଉଦଘାଟନୀ ମ୍ୟାଚରେ ପୁରା ଷ୍ଟାଡିଅମ ଫୁଲ ହାଉସ ଥିଲା। ୮୩ହଜାର୨୬୪ କ୍ଷମତା ବିଶିଷ୍ଟ ଏଜେଟକା ଷ୍ଟାଡ଼ିୟମରେ ଦର୍ଶକ ଖଚାଖଚ ଭର୍ତ୍ତି ଥିଲେ। ଉଦଘାଟନୀ ମ୍ୟାଚରେ ସାଉଥ ଆଫ୍ରିକାକୁ ୨-୦ରେ ହରାଇଥିଲା ମେକ୍ସିକୋ। ଏହି ମୁକାବିଲା ୨୦୧୦ ବିଶ୍ୱକପର ଉଦଘାଟନୀ ମ୍ୟାଚକୁ ମନେ ପକାଇଥିଲା।
