ଟିଟିଲାଗଡ଼ ଅଙ୍ଗନବାଡ଼ି ନିଯୁକ୍ତିରେ ଜାଲ୍ ସାର୍ଟିଫିକେଟ୍ ସ୍କାମ୍: ତଦନ୍ତ ନିର୍ଦ୍ଦେଶ ଦେଲା ପୁଲିସ
ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ୍ର ଅଙ୍ଗନବାଡ଼ି ନିଯୁକ୍ତି ପ୍ରକ୍ରିୟାରେ ଜାଲ୍ ମାର୍କସିଟ୍ ଓ ସାର୍ଟିଫିକେଟ୍ ବ୍ୟବହାର କରାଯାଇଥିବା ନେଇ ଗମ୍ଭୀର ଅଭିଯୋଗ ସାମ୍ନାକୁ ଆସିଛି।

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ୍ର ଅଙ୍ଗନବାଡ଼ି ନିଯୁକ୍ତି ପ୍ରକ୍ରିୟାରେ ଜାଲ୍ ମାର୍କସିଟ୍ ଓ ସାର୍ଟିଫିକେଟ୍ ବ୍ୟବହାର କରାଯାଇଥିବା ନେଇ ଗମ୍ଭୀର ଅଭିଯୋଗ ସାମ୍ନାକୁ ଆସିଛି। ଘଣ୍ଟାବାହାଲି ଗ୍ରାମର ଏକ ଅଙ୍ଗନବାଡ଼ି କର୍ମୀ ପଦବୀ ପାଇଁ ଆବେଦନ କରିଥିବା ବର୍ଷା ନାଗ ନାମ୍ନୀ ଜଣେ ପ୍ରାର୍ଥୀ ଯୁକ୍ତ ଦୁଇ ପରୀକ୍ଷାରେ ୪୪୨ ମାର୍କ ରଖିଥିବା ଦର୍ଶାଇ ଚୟନ ହୋଇଥିଲେ। ତେବେ ଅନ୍ୟ ପ୍ରାର୍ଥୀଙ୍କ ସନ୍ଦେହ ହେବାରୁ ସିଡିପିଓ (CDPO) ସୁଷମା ପାଢ଼ୀ ସାର୍ଟିଫିକେଟ୍ ଯାଞ୍ଚ କରିଥିଲେ, ଯେଉଁଥିରୁ ଜଣାପଡ଼ିଥିଲା ଯେ ବର୍ଷାଙ୍କ ପ୍ରକୃତ ନମ୍ବର ୪୪୨ ନୁହେଁ, ବରଂ ମାତ୍ର ୨୭୯। ଏହାପରେ ସିଡିପିଓ ଥାନାରେ ଏତଲା ଦେଇଛନ୍ତି। ସେହିପରି ସାଇଁନ୍ତଲା ବ୍ଲକ୍ କୁଆଁରଗାଁରେ ଅନ୍ୟ ଜଣେ ପ୍ରାର୍ଥୀ ରୋଜାଲିନ୍ ପ୍ରଧାନ ୪୨୨ ମାର୍କର ଜାଲ୍ ସାର୍ଟିଫିକେଟ୍ ଦେଇ ନିଯୁକ୍ତି ପାଇଥିବା ସନ୍ଦେହ ହେବାରୁ ସେ ନିଜ ପଦବୀରୁ ଇସ୍ତଫା ଦେଇ ଫରାର୍ ହୋଇଯାଇଛନ୍ତି। ଏହି ଦୁଇଟି ଘଟଣା ନିଯୁକ୍ତି ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଏହି ଜାଲ୍ ସାର୍ଟିଫିକେଟ୍ କେଉଁଠାରୁ ଓ କିପରି ପ୍ରସ୍ତୁତ କରାଯାଉଥିଲା, ସେ ନେଇ ପୁଲିସ ଛାନ୍ଭିନ୍ ଆରମ୍ଭ କରିଛି।
