ରାସନକାର୍ଡ କେଳେଙ୍କାରୀ: ଦୁଇ ଜଣଙ୍କ ନାଁରେ ମାମଲା
ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ନକଲି ରାସନକାର୍ଡକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ। ନକଲି କାର୍ଡ ଯୋଗୁଁ ମିଳୁନି ରାସନ। ସମ୍ପୃକ୍ତ ଡାଟା ଏଣ୍ଟ୍ରି ଅପରେଟରଙ୍କ ପତ୍ତା ବିରୋଧରେ ମାମଲା ରୁଜୁ।
କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ପଙ୍କପାଳ ପଞ୍ଚାୟତର ଜନାପାଳ ଗାଁରେ ନକଲି ରାସନକାର୍ଡକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ରାସନକାର୍ଡ ଧରି ହିତାଧିକାରୀମାନେ ବ୍ଲକ ଓ ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡ଼ୁଥିଲେ ମଧ୍ୟ କୌଣସି ସମାଧାନ ମିଳୁନାହିଁ। କାରଣ ସେମାନଙ୍କ ହାତରେ ଥିବା ରାସନକାର୍ଡ ସମ୍ପୂର୍ଣ୍ଣ ନକଲି ବୋଲି ଜଣାପଡ଼ିଛି। ସ୍ଥାନୀୟ ଜନସେବା କେନ୍ଦ୍ର ମାଧ୍ୟମରେ ଏହି କାର୍ଡ ପାଇଥିବା ହିତାଧିକାରୀମାନଙ୍କୁ ଏବେ ଡିଲର ଚାଉଳ ଦେବାକୁ ମନା ନେଇ ଅଭିଯୋଗ ଆଣିଛନ୍ତି ରାସନକାର୍ଡ ହିତାଧିକାରୀ । ଯୋଗାଣ ବିଭାଗ ମଧ୍ୟ କାର୍ଡଗୁଡ଼ିକୁ ଜାଲ୍ ବୋଲି ସ୍ପଷ୍ଟ କରିଛି। ଅଭିଯୋଗ ଅନୁଯାୟୀ, ରାସନକାର୍ଡ ଶୀଘ୍ର କରାଇଦେବା ନାଁରେ ପଙ୍କପାଳ ଜନସେବା କେନ୍ଦ୍ରର ପ୍ରତିନିଧି ମିଥୁନ ଜେନା ଏବଂ ବ୍ଲକର ଡାଟା ଏଣ୍ଟ୍ରି ଅପରେଟର ଆଲୋକ ମହାନ୍ତି ପ୍ରତ୍ୟେକଙ୍କଠାରୁ ୨ ହଜାର ଟଙ୍କା ଲେଖାଏଁ ଆଦାୟ କରିଥିଲେ। କେବଳ ଜନାପାଳ ନୁହେଁ, କୁଜଙ୍ଗ ବ୍ଲକର ମୋଟ ୯୪ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇ ୯୪ଟି ନକଲି ରାସନକାର୍ଡ ବଣ୍ଟନ କରାଯାଇଥିବା ଅଭିଯୋଗ ହୋଇଛି। ଏବେ ଠକେଇର ଶିକାର ହୋଇଥିବା ଲୋକମାନେ ନିଜ ଟଙ୍କା ଫେରସ୍ତ ଦାବି କରୁଥିବା ବେଳେ ସମ୍ପୃକ୍ତ ଡାଟା ଏଣ୍ଟ୍ରି ଅପରେଟରଙ୍କ ପତ୍ତା ମିଳୁନାହିଁ।
ଅନ୍ଯପଟେ, ଘଟଣାର ତଦନ୍ତ କରି ଜଗତସିଂହପୁର ଉପଜିଲ୍ଲାପାଳ ପ୍ରଶାନ୍ତ ତରାଇ ଅଭିଯୁକ୍ତଙ୍କ ବିରୋଧରେ କୁଜଙ୍ଗ ଥାନାରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବ୍ଲକ ଯୋଗାଣ ନିରୀକ୍ଷକଙ୍କ ଲିଖିତ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ରାକେଟରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ। ନକଲି ରାସନକାର୍ଡ ଜରିଆରେ ଲୋକଙ୍କୁ ଠକିବା ଘଟଣା ଏବେ ସାଧାରଣରେ ଚିନ୍ତାର ବିଷୟ ପାଲଟିଛି। ଏହି ରାକେଟରେ ସମ୍ପୃକ୍ତ ସମସ୍ତଙ୍କୁ ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ନେଵାକୁ ସାଧାରଣରେ ଦାବି ହୋଇଛି।
