ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋଙ୍କ ଦେହାନ୍ତ
ରାୟଗଡା ଜିଲ୍ଲା ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋଙ୍କ ଦେହାନ୍ତ। ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ୩ ଟାରେ କଟକ ଏସସିବିରେ ଦେହାନ୍ତ।

ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋଙ୍କ ଦେହାନ୍ତ। ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ୩ ଟାରେ କଟକ ଏସସିବିରେ ଦେହାନ୍ତ। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ ରାମମୂର୍ତ୍ତି ଗମାଙ୍ଗୋ ବହୁବିଧ ରୋଗରେ ପୀଡ଼ିତ ଥିଲେ। ସେ ଉଚ୍ଚ ରକ୍ତଚାପ ଓ ମଧୁମେହ ରେ ପୀଡିତ ଥିଲେ | ଦେହ ଅସୁସ୍ଥ ଥିବାରୁ ଦୁଇ ଦିନ ହେବ ଭୁବନେଶ୍ୱର ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା | ପରେ ଅଧିକ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା | ସେଠାରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ଦେହାନ୍ତ ଘଟିଛି। ଦିବଂଗତ ବିଧାୟକ ୧୯୯୦ ରୁ ୧୯୯୫ ମସିହା ପର୍ଯ୍ୟନ୍ତ ଜନତା ଦଳରୁ ଥରେ ଓ ୨୦୦୦ ରୁ ୨୦୦୫ ମସିହା ପର୍ଯ୍ୟନ୍ତ ବିଜେଡି - ବିଜେପି ମେଣ୍ଟ ସମୟରେ ବିଜେପିରୁ ଥରେ ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭା ଆସିଥିଲେ । ରାମମୂର୍ତ୍ତି ଗମାଙ୍ଗ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ଗଡ଼ ଭାଙ୍ଗି ୧୯୯୦ ମସିହାରୁ ୧୯୯୫ ମସିହା ପର୍ଯ୍ୟନ୍ତ ଜନତା ଦଳରୁ ଟିକଟରୁ ଗୁଣପୁର ନିର୍ବାଚନମଣ୍ଡଳରୁ ବିଧାୟକ ନିର୍ବାଚିତ ହୋଇଥିଲେ l ପରେ ୨୦୦୦ ମସିହାରେ ବିଜେପିରେ ଯୋଗଦେଇ ବିଜେଡି- ବିଜେପି ମେଣ୍ଟ ସମୟରେ ବିଜେପିରୁ ପ୍ରାର୍ଥୀ ହୋଇ ବିଧାୟକ ହୋଇଥିଲେ । ରାୟଗଡା ଜିଲ୍ଲା ରାଜନୈତିକ ଇତିହାସରେ ରାମମୂର୍ତ୍ତି ଗମାଙ୍ଗ ପ୍ରଥମ ଓ ବର୍ତ୍ତମାନ ଯାଏଁ ଶେଷ ବିଜେପି ବିଧାୟକ ଭାବେ ବିଜୟୀ ହୋଇଥିଲେ ।ରାମମୂର୍ତ୍ତି ବ୍ୟାଙ୍କ ଚାକିରୀ ଛାଡ଼ି ବିଜୁ ପଟ୍ଟନାୟକଙ୍କ ବିଚାରଧାରାରେ ପ୍ରଭାବିତ ହୋଇ ରାଜନୀତିକୁ ଆସିଥିଲେI ସେ ବିଧାୟକ ଥିବା ସମୟରେ ଗୁଣପୁର ବ୍ରିଜ ନିର୍ମାଣ କାର୍ଯ୍ୟ ସରିଥିଲା ଯାହାକୁ ବିଜୁ ପଟ୍ଟନାୟକ ଉଦ୍ଘାଟନ କରିଥିଲେI ତାଙ୍କ ସମୟରେ ଗୁର୍ଣ୍ଣପୁର ନିର୍ବାଚନ ମଣ୍ଡଳୀର ବହୁ ଉନ୍ନୟନ କାର୍ଯ୍ୟ ସମାପ୍ତ ହୋଇଥିଲା I ନିଜ ରାଜନୈତିକ ଜୀବନରେ ଜଣେ ସଫଳ ରାଜନେତା ସହ ବିଧାୟକ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ରାମମୂର୍ତ୍ତିଙ୍କ ବିରୋଧରେ ପତ୍ନୀ ହତ୍ୟା ଅଭିଯୋଗ ଆସିବା ପରେ ସେ ବିବାଦୀୟ ହୋଇଥିଲେ I ଏହାପରେ ରାଜନୈତିକ ଜୀବନ ହୋଇଯାଏ ଅସ୍ତ। ପତ୍ନୀ ହତ୍ୟା ମାମଲାରେ ଭୁବନେଶ୍ବର ସ୍ଵତନ୍ତ୍ର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ।
