ଭୂକମ୍ପରେ ଥରିଲା ଭେନେଜୁଏଲା, ପ୍ରାୟ ୧୦ହଜାର ଲୋକଙ୍କ ମୃତ୍ୟୁ!
ଭେନେଜୁଏଲାରେ ଶକ୍ତିଶାଳୀ ଭୂକମ୍ପ। ୪୫ ସେକେଣ୍ଡ ମଧ୍ୟରେ ଦୁଇ ଦୁଇ ଥର ଭୂ-କମ୍ପ। ରାଜଧାନୀ କାରାକାସରେ ଆତଙ୍କ। ଥରିଲା ମାଟି, ଭୁଶୁଡିଲା କୋଠା, ଜୀବନ ବଞ୍ଚାଇବାକୁ ରାସ୍ତାକୁ ଦୌଡିଲେ ଲୋକେ।
କାରାକାସ: ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲାରେ ଭୂକମ୍ପର ଝଟକା। ଦେଶର କେନ୍ଦ୍ର ଓ ମଧ୍ୟ ଭେନେଜୁଏଲାରେ ବଡ଼ ଧରଣର ଭୂକମ୍ପ ଯୋଗୁ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ମାତ୍ର ୪୫ ସେକେଣ୍ଡ ମଧ୍ୟରେ ଦୁଇ ଦୁଇ ଥର ଭୂ-କମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ସର୍ବାଧିକ ୭.୫ ଓ ୭.୧ ରେକର୍ଡ ହୋଇଥିବା ବେଳେ, ଦୋହଲିଯାଇଛି ରାଜଧାନୀ କାରାକାସର ଭୂମି।ଏହି ଶକ୍ତିଶାଳୀ ଭୂକମ୍ପରେ କାରାକାସରେ ଅନେକ ଘର କ୍ଷତିଗ୍ରସ୍ତ ହେବା ସହ ଭୁଶୁଡି ଯାଇଛି ଅନେକ କୋଠା। ବହୁ ଦୋକାନ ବଜାର ସବୁ ଧ୍ବଂସ ସ୍ତୁପ ପାଲଟି ଯାଇଛି। ତୀବ୍ର କମ୍ପନ ଯୋଗୁଁ ଭୟଭୀତ ହୋଇପଡିଥିଲେ ଲୋକେ। ଆତଙ୍କିତ ହୋଇ ଘରୁ ବାହାକୁ ଦୌଡିଆସିଥିଲେ। ଅନ୍ୟପଟେ ଏହି ଭୂକମ୍ପରେ ପ୍ରାୟ ୧୦ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିବାବେଳେ ବହୁ ଲୋକ ଆହତ ହୋଇଥିବା ସୂଚନା ରହିଛି। ତେବେ ଏଯାଏ ସ୍ପଷ୍ଟ ରିପୋର୍ଟ ନଥିଲେ ମଧ୍ୟ ଏହି ଭୂକମ୍ପରେ ଭାରୀ ମୃତ୍ୟୁ ସଂଖ୍ୟାର ମଧ୍ୟ ଆଶଙ୍କା କରାଯାଉଛି। ସେପଟେ ଭେନେଜୁଏଲାର ଉପରାଷ୍ଟ୍ରପତି ଡେଲସି ରୋଡ୍ରିଗେଜ୍ ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି। ଦେଶଟି ଦୁଇଟି ଶକ୍ତିଶାଳୀ ଭୂମିକମ୍ପରେ କମ୍ପି ଉଠିଥିବା ବେଳେ ରାଜଧାନୀ କାରାକାସ ଓ ଏହାର ଆଖପାଖ ଅଞ୍ଚଳରେ ଅନେକ ଭବନ ଧ୍ୱଂସ ହୋଇ ବ୍ୟାପକ କ୍ଷତି ଘଟିଛି। ଭେନେଜୁଏଲାର ଇତିହାସରେ ସବୁଠାରୁ ବଡ଼ ଭୂମିକମ୍ପମାନଙ୍କ ମଧ୍ୟରୁ ଏହି ଦୁଇଟି ଭୂମିକମ୍ପ ଅତ୍ୟନ୍ତ କମ୍ ସମୟ ବ୍ୟବଧାନରେ ଘଟିଥିଲା ଏବଂ ଦେଶର ଅନେକ ଅଞ୍ଚଳରେ ଏହାର ଝଟକା ଅନୁଭୂତ ହୋଇଥିଲା। କିନ୍ତୁ ସବୁଠାରୁ ଅଧିକ କ୍ଷୟକ୍ଷତି କାରାକାସ ଏବଂ ତାହାର ଆଖପାଖ ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ, ପ୍ରଥମ ଭୂମିକମ୍ପର କେନ୍ଦ୍ରସ୍ଥଳ ଭେନେଜୁଏଲାର ଉପକୂଳବର୍ତ୍ତୀ ସହର ମୋରୋନ ନିକଟରେ ଭୂପୃଷ୍ଠର ୧୩ କିଲୋମିଟର ଗଭୀରତାରେ ଥିଲା। ସେହିପରି ଦ୍ୱିତୀୟ ଭୂମିକମ୍ପର କେନ୍ଦ୍ରସ୍ଥଳ ମୋରୋନଠାରୁ ୧୬ କିଲୋମିଟର ଦୂରରେ ଭୂପୃଷ୍ଠର ୧୦ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଥିଲା। ରାଜଧାନୀ କାରାକାସର ଅନେକ ଅଞ୍ଚଳରେ ଆକାଶରେ ଧୂଳିର ଆଚ୍ଛାଦିତ ହୋଇପଡ଼ିଥିଲା। ଭୂମିକମ୍ପର ସବୁଠାରୁ ଭୟଙ୍କର ଦୃଶ୍ୟ କାରାକାସର ଆଲଟାମିରା ଅଞ୍ଚଳରେ ଦେଖିବାକୁ ମିଳିଥିଲା, ଯେଉଁଠାରେ ଏକ ବିଶାଳ ୨୨ ମହଲା କୋଠା ତାସ ଘର ପରି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା। ଭଗ୍ନାବଶେଷ ତଳେ ଅନେକ ଲୋକମାନେ ପୋତି ହୋଇଯାଇଥିବା ବେଳେ ସେମାନଙ୍କ ପ୍ରିୟଜନ ତାଙ୍କୁ ଖୋଜି ଡାକିବା ମଧ୍ୟ ଦେଖାଯାଇଥିଲା । ଅନ୍ୟପଟେ ସ୍ଵେଚ୍ଛାସେବୀ ଏବଂ ଉଦ୍ଧାର କର୍ମୀମାନେ ଭଗ୍ନାବଶେଷ ତଳୁ ଜୀବନ ଖୋଜା ଜାରି ରଖିଛନ୍ତି ।
