ହରିଆଣା ଡ୍ୟାନ୍ସର ଡିମ୍ପଲଙ୍କ ରାଗ ଓ ଚାପୁଡ଼ା
ଅଣ୍ଟାରେ ହାତ ଲଗାଉଛୁ। ଗୋଟିଏ ମିନିଟରେ ତୋର ଗରମ ଉତାରିଦେବି। ଷ୍ଟେଜରେ ଲାଇଭ ପରଫରମାନ୍ସ ବେଳେ ଡ୍ୟାନ୍ସର ଡିମ୍ପଲ ଚୌଧୁରୀଙ୍କ ରାଗ ଓ ଯୁବକଙ୍କୁ ଚାପୁଡ଼ା ଏବେ ଚର୍ଚ୍ଚାର ବିଷୟ

ହରିଆଣା ଡ୍ୟାନ୍ସର ଡିମ୍ପଲଙ୍କୁ ଅସଦାଚରଣ- ଜାବୁଡ଼ା ମାରି ମଞ୍ଚ ଛାଡ଼ି ଛାଲିଗଲେ
ଅଣ୍ଟାରେ ହାତ ଲଗାଉଛୁ। ଗୋଟିଏ ମିନିଟରେ ତୋର ଗରମ ଉତାରିଦେବି। ଷ୍ଟେଜରେ ଲାଇଭ ପରଫରମାନ୍ସ ବେଳେ ଡ୍ୟାନ୍ସର ଡିମ୍ପଲ ଚୌଧୁରୀଙ୍କ ରାଗ ଓ ଯୁବକଙ୍କୁ ଚାପୁଡ଼ା ଏବେ ଚର୍ଚ୍ଚାର ବିଷୟ ସାଜିଛି। ଜନ୍ମଦିନ ପାର୍ଟିରେ ହରିଆଣାର ଷ୍ଟେଜ୍ ଡ୍ୟାନ୍ସର ଡିମ୍ପଲ ଚୌଧୁରୀଙ୍କ ସହ ଜଣେ ଯୁବକ ଅସଦାଚରଣ ମାମଲା ସାମ୍ନାକୁ ଆସିଛି। ଡିମ୍ପଲ ପରଫରମାନ୍ସ କରୁଥିଲା ବେଳେ ଜଣେ ଯୁବକ ଡିମ୍ପଲଙ୍କ ଅଣ୍ଟା ଛୁଇଁଥିଲା। ଏଥିରେ ରାଗି ଡିମ୍ପଲ ସଂପୃକ୍ତ ଯୁବକକୁ ଚାପୁଡ଼ା ମାରିଥିଲେ। ଏତିକିରେ ରାଗ ଶାନ୍ତ ହୋଇନଥିଲା। ମାଇକ ଧରି ଗାଳିଗୁଲଜ କରିଥିଲେ। ଏହାର ଭିଡ଼ିଓ ଏବେ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଏ ଘଟଣା ଜୁନ୍ ୩ ତାରିଖର। ସାରନିର ନଗଲା ନାଇ ଗାଁକୁ ପ୍ରୋଗ୍ରାମ କରିବାକୁ ଯାଇଥିଲେ ଡିମ୍ପଲ। ଏହାର ଆୟୋଜକ ଥିଲା ରାଗନୀ ମହାଶୟ ଉଦଲ ଆଣ୍ଡ ପାର୍ଟି। ଡିମ୍ପଲଙ୍କ ଏକ ଝଲକ ଦେଖିବାକୁ କାର୍ଯ୍ୟକ୍ରମରେ ପ୍ରବଳ ଭିଡ଼ ହୋଇଥିଲା। ଡିମ୍ପଲଙ୍କ ପରଫରମାନ୍ସ ଚାଲିବା ବେଳେ ନାଲି ଟୋପି ପିନ୍ଧିଥିବା ଜଣେ ଯୁବକ ଲଗାତାର ମଞ୍ଚ ପାଖରେ ଏପଟସେପଟ ହେଉଥିଲା। ଆଉ ପରଫରମାନ୍ସ ମଝିରେ ଯୁବକ ସୀମା ଲଂଘି ମଞ୍ଚ ଉପରକୁ ଉଠି ଡିମ୍ପଲଙ୍କ ସହ ଅଶୋଭନୀୟ ଆଚରଣ କରିଥିଲା। ପଛପଟୁ ଡିମ୍ପଲଙ୍କ ଅଣ୍ଟାକୁ ଛୁଇଁଦେଇଥିଲା। ଆଉ ଏହି ହରକତରେ ଡିମ୍ପଲ ପୁରା ବିଗିଡ଼ି ରାଗିପାଚି ନିଆଁ ହୋଇଯାଇଥିଲେ। ତୁରନ୍ତ ପଛକୁ ବୁଲି ଯୁବକକୁ ଶକ୍ତ ଚାପୁଡ଼ା ସେକିଥିଲେ। ଚାପୁଡ଼ା ମାରିବା ପରେ କାର୍ଯ୍ୟକ୍ରମର ସଞ୍ଚାଳକଙ୍କ ହାତରୁ ମାଇକ ଛଡ଼ାଇନେଇ ସାର୍ବଜନୀନ ଭାବେ ନିଜର ଅସନ୍ତୋଷକୁ ଜାହିର କରିଥିଲେ। ସଂପୃକ୍ତ ଯୁବକକୁ ଚେତବନୀ ଦେଇଥିଲେ, ଗୋଟିଏ ମିନିଟରେ ତୋତେ ଧୋଇଦେବି। ମଞ୍ଚରେ ନାଚୁଛି ବୋଲି ଭାବେନା, ଯେଉଁଠି ପାରିଲେ ସେଇଠି ହାତ ଲଗେଇଦେବୁ। ଏହା ପରେ ଆଗକୁ ଆଉ ଡ୍ୟାନ୍ସ କରିବେନି କହି କାର୍ଯ୍ୟକ୍ରମ ଅଧାରୁ ହିଁ ମଞ୍ଚ ଛାଡ଼ି ଚାଲିଗଲେ। ତାଙ୍କ ସହ ହୋଇଥିବା ଏଭଳି ଅଶୋଭନୀୟ ଆଚରଣ ବାବଦରେ ସେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ନିଜର ତ୍ୱରିତ ପ୍ରତିକ୍ରିୟା ବି ଇନଷ୍ଟା ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏ ମାମଲାରୁ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଏହା ସହ ବିନା ଅନୁମତିରେ ଏଭଳି କାର୍ଯ୍ୟକ୍ରମ କରିଥିବାରୁ ଆୟୋଜକଙ୍କ ବିରୁଦ୍ଧରେ ବି ମାମଲା ରୁଜୁ ହୋଇଛି। ଏ ଘଟଣା ଭାଇରାଲ ପରେ ଡିମ୍ପଲଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି ଲୋକେ। କଳାକାରଙ୍କ ସମ୍ମାନ ଓ ସୁରକ୍ଷା ଭଳି ଏ ମାମଲା ଗମ୍ଭୀର ମୁଦ୍ଦା ଭାବେ ଉଭା ହୋଇଛି।
