ବାଙ୍ଗିରିପୋଷି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ବିବାଦ: ମହିଳାଙ୍କ ମୃତ୍ୟୁ ପରେ ତଦନ୍ତ ଦାବି
ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିରେ ବୁଢ଼ୀଖମାରୀ ଗାଁର ପ୍ରତାପ ନାଏକଙ୍କ ସ୍ତ୍ରୀ ବାସନ୍ତୀ ନାଏକଙ୍କର ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ସମୟରେ ମୃତ୍ୟୁ । ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ । ପରେ ଦାୟିତ୍ୱରେ ଥିବା ଅଧିକାରୀ ଡାକ୍ତରଖାନା ଛାଡ଼ି ଚାଲିଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ।
ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିରେ ଚିକିତ୍ସା ଅବହେଳା ଅଭିଯୋଗକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି । ବୁଢ଼ୀଖମାରୀ ଗାଁର ପ୍ରତାପ ନାଏକଙ୍କ ସ୍ତ୍ରୀ ବାସନ୍ତୀ ନାଏକଙ୍କର ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ । ପରିବାରର ଅଭିଯୋଗ ଅନୁସାରେ, ବାସନ୍ତୀଙ୍କ ଶରୀର ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କ ସ୍ୱାମୀ ତାଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। କିନ୍ତୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପର୍ଯ୍ୟାପ୍ତ ଶଯ୍ୟା ନଥିବାରୁ ତାଙ୍କୁ ତଳେ ଶୁଆଇ ଚିକିତ୍ସା କରାଯାଉଥିବା କୁହାଯାଇଛି। ଅଭିଯୋଗ ଅନୁଯାୟୀ, ପରବର୍ତ୍ତୀ ସମୟରେ ବାସନ୍ତୀଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ବାହାରେ ଏକ ଗଛ ମୂଳରେ ମୃତ ଅବସ୍ଥାରେ ମିଳିଥିଲା । ଚିକିତ୍ସାଧୀନ ଥିବା ଜଣେ ରୋଗୀ କିପରି ସ୍ୱାସ୍ଥ୍ୟ କେନ୍ଦ୍ର ବାହାରକୁ ଗଲେ ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା, ତାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ପରିବାର ଲୋକେ ଏହି ଘଟଣା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର କର୍ତ୍ତୃପକ୍ଷଙ୍କୁ ଦାୟୀ କରି ନିଷ୍ପକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ନ୍ୟାୟ ଦାବି କରିଛନ୍ତି। ଅନ୍ୟପକ୍ଷରେ, ଘଟଣା ପରେ ସ୍ୱାସ୍ଥ୍ୟ କେନ୍ଦ୍ରର ଦାୟିତ୍ୱରେ ଥିବା ଅଧିକାରୀ ଡାକ୍ତରଖାନା ଛାଡ଼ି ଚାଲିଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଘଟଣାକୁ ନେଇ ପରିବାର ଲୋକେ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅନ୍ୟପକ୍ଷରେ, ଏହି ଅଭିଯୋଗ ସମ୍ପର୍କରେ ସମ୍ପୃକ୍ତ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ମିଳିନାହିଁ।
