ଭୁଷୁଡ଼ିଲା ଶହେବର୍ଷର କୋଠା- ଗୋଟିଏ ପରିବାରର ୬ ମୃତ
ରାତି ୨ଟାରେ ଯେବେ ପୁରା ପରିବାର ଗମ୍ଭୀର ନିଦରେ ଶୋଇଥିଲେ, ଅଚାନକ ଛାତ ଭୁଷୁଡ଼ିପଡ଼ିଲା। କାହାକୁ ସମ୍ଭାଳିବା ବା ଚିଲେଇବାକୁ ବି ମଉକା ଦେଲାନି ମୃତ୍ୟୁ। ପୁରା ପରିବାର ଅନେକ ଫୁଟ ତଳେ ଚାପିହୋଇଗଲେ। ଗୋଟିଏ ପୁଅ କୋଠରୀର କୋଣକୁ ଶୋଇଥିଲା। ସେ ଯେନତେନ ପ୍ରକାରେ ବାହାରି ପଡ଼ିଲା। ଆଉ ଚିଲେଇବା ପରେ ଆଖପାଖ ଲୋକ ଧାଇଁଆସିଥିଲେ।

ଶୋଇଥିବା ବେଳେ ମାଡ଼ିଆସିଲା ମୃତ୍ୟୁ। ପ୍ରତାପଗଡ଼ରେ ଗୋଟିଏ ପରିବାରର ୬ ଜଣଙ୍କ ଜୀବନ ନେଇଗଲା। ପ୍ରବଳବର୍ଷାରୁ ଶହେ ବର୍ଷର ପୁରୁଣା କୋଠା ଭୁଷୁଡ଼ିପଡ଼ିଲା। ଆଉ କୋଠାର ଏସି ରୁମରେ ଶୋଇଥିଲେ ପୁରା ପରିବାର। ରାତି ପ୍ରାୟ ୨ଟା ବେଳେ ଭୁଷୁଡ଼ିପଡ଼ିଲା କୋଠା। ଆଉ ଅନେକ ଫୁଟ ତଳେ ଚାପି ହୋଇ ୬ ଜଣଙ୍କ ଜୀବନ ଚାଲିଗଲା। ମୃତକଙ୍କ ଭିତରେ ବାପା, ମାଆ, ପୁଅ, ବଡ଼ ବୋହୂ ଓ ତାଙ୍କ ଦୁଇଟି ପିଲା। ୭ଜଣ ସଦସ୍ୟ ଥିବା ପରିବାରରେ କେବଳ ଜଣେ ପୁଅ ଜୀବିତ ରହିଯାଇଛି। ବୁଧବାର ରାତିରେ ଗରମ ଓ ଗୁଳୁଗୁଳିରୁ ପରିବାରର ସମସ୍ତେ ଏସି ରୁମରେ ଶୋଇଥିଲେ। ରାତି ୨ଟାରେ ଯେବେ ପୁରା ପରିବାର ଗମ୍ଭୀର ନିଦରେ ଶୋଇଥିଲେ, ଅଚାନକ ଛାତ ଭୁଷୁଡ଼ିପଡ଼ିଲା। କାହାକୁ ସମ୍ଭାଳିବା ବା ଚିଲେଇବାକୁ ବି ମଉକା ଦେଲାନି ମୃତ୍ୟୁ। ପୁରା ପରିବାର ଅନେକ ଫୁଟ ତଳେ ଚାପିହୋଇଗଲେ। ଗୋଟିଏ ପୁଅ କୋଠରୀର କୋଣକୁ ଶୋଇଥିଲା। ସେ ଯେନତେନ ପ୍ରକାରେ ବାହାରି ପଡ଼ିଲା। ଆଉ ଚିଲେଇବା ପରେ ଆଖପାଖ ଲୋକ ଧାଇଁଆସିଥିଲେ। ଦୁଇ ଘଣ୍ଟା ଧରି ପୁଲିସ ଓ ଦମକଳ ବିଭାଗ ରେସକ୍ୟୁ ଅପରେସନ କରି ପୁରା ପରିବାରକୁ ବାହାର କରିଥିଲେ। ହେଲେ ଡାକ୍ତର ସମସ୍ତଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଅବଶେଷ ଭିତରେ ଶ୍ୱାସରୁଦ୍ଧରୁ ୬ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇସାରିଥିଲା। ମୃତକ ହେଲେ ଘର ମାଲିକ ପ୍ରମୋଦ ଶ୍ରୀବାସ୍ତବ(୬୦), ତାଙ୍କ ପତ୍ନୀ ରିତା(୫୫), ସାନପୁଅ ନିତିନ(୨୫), ବଡ଼ ବୋହୂ ମାଧୁରୀ(୨୩), ମାଧୁରୀଙ୍କ ଦୁଇ ପୁଅ ୨ ବର୍ଷର ମାଧବ ଓ ୧୦ ମାସର ଅଦ୍ୱିକ। ବଡ଼ ପୁଅ ୨୮ ବର୍ଷୀୟ ଅମନ ଏ ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ। ଅମନଙ୍କ ଚିକିତ୍ସା ଜିଲ୍ଲା ହସ୍ପିଟାଲରେ ଚାଲିଛି। କୋତଓ୍ୱାଲି ଥାନା ଅନ୍ତର୍ଗତ ମହୁଲି ମହଲ୍ଲାରେ ଏ ଘଟଣା ଘଟିଛି। ପ୍ରମୋଦ ଶ୍ରୀବାସ୍ତବ ଦୁଇ ଭାଇରେ ବଡ଼ ଥିଲେ। ତାଙ୍କ ସାନ ଭାଇ ପଓ୍ୱନ ଅଲଗା ଘର କରିଛନ୍ତି। ସେ ପ୍ରତାପଗଡ଼ ତହସିଲ ପରିସରରେ ଚା ଦୋକାନ କରିଛନ୍ତି। ପ୍ରମୋଦ ପୂର୍ବପୁରୁଷ କରିଥିବା କୋଠରୀରେ ରହୁଥିଲେ ଓ ରିକ୍ସା ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ। କିଛି ଦିନ ପୂର୍ବେ ଦୁଇ ଭାଇ ନିଜ ପୈତୃକ ଜମିକୁ ପ୍ରାୟ ୭୫ଲକ୍ଷ ଟଙ୍କାରେ ବିକିଥିଲେ। ପ୍ରମୋଦ ୧୩ଶହ ବର୍ଗଫୁଟ ଜମିରେ ଘର କରିଥିଲେ। ଲଗାଣ ବର୍ଷାରୁ ପୁରୁଣା ବିଲଡିଂର କାନ୍ଥ ଦୁର୍ବଳ ହୋଇଯାଇଥିଲା। ଶବ ବ୍ୟବଛେଦ ଲାଗି ପଠାଇ ପୁରା ମାମଲାର ଯାଞ୍ଚ କରୁଛି ପୁଲିସ।
