ଶଙ୍ଖାମେଦିରେ ସୀମା ବିବାଦ
ଭୋଗରାଇ ସୀମାନ୍ତରେ ପୁଣି ଜଳିଲା ସୀମା ବିବାଦ ପ୍ରସଙ୍ଗ । SIR ପ୍ରକ୍ରିୟାରେ ଶଙ୍ଖାମେଦି ଗାଁର ୨୬୮ ଜଣଙ୍କ ନାମ ପଶ୍ଚିମବଙ୍ଗ ଭୋଟର ତାଲିକାରେ ସାମିଲ, ଗାଁରେ ତୀବ୍ର ପ୍ରତିକ୍ରିୟା ।
ଜଳେଶ୍ୱର: ଓଡ଼ିଶାର ସୀମାନ୍ତରେ ପୁଣି ଜଳୁଛି ସୀମା ବିବାଦର ପ୍ରସଙ୍ଗ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ସୀମାନ୍ତବର୍ତ୍ତୀ ଶଙ୍ଖାମେଦି ଗାଁର ୨୬୮ ଜଣ ମତଦାତାଙ୍କ ନାମ ପଶ୍ଚିମବଙ୍ଗ ଭୋଟର ତାଲିକାରେ ସାମିଲ ଥିବା ଜଣାପଡ଼ିବା ପରେ ଦେଖାଦେଇଛି ତୀବ୍ର ପ୍ରତିକ୍ରିୟା। ଘର ଓଡ଼ିଶାରେ, ଭାଷା ଓଡ଼ିଆ, ସ୍କୁଲ ଓଡ଼ିଶାର ଏବଂ ରାସନ ବି ଓଡ଼ିଶାରୁ ପାଉଛନ୍ତି କିନ୍ତୁ ଭୋଟର ପରିଚୟ ପଶ୍ଚିମବଙ୍ଗର। ଏହି ପ୍ରଶ୍ନ ଏବେ ଘେରିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ସୀମାନ୍ତବର୍ତ୍ତୀ ଶଙ୍ଖାମେଦି ଗାଁକୁ। ନିକଟରେ ହୋଇଥିବା SIR ପ୍ରକ୍ରିୟା ବେଳେ ୨୬୮ ଜଣଙ୍କ ନାମ ପଶ୍ଚିମବଙ୍ଗ ଭୋଟର ତାଲିକାରେ ଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦୀର୍ଘ ବର୍ଷ ଧରି ଏହି ଗାଁକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ସୀମା ବିବାଦ ଲାଗି ରହିଛି। ୧୯୨୨ ମସିହାର ବୃହତ ବନ୍ଦୋବସ୍ତ ରେକର୍ଡରେ ଗାଁଟି ଓଡ଼ିଶା ଅଧୀନରେ ଥିବାବେଳେ, ପରବର୍ତ୍ତୀ ସମୟ ଅର୍ଥାତ ୧୯୫୮ ମସିହାରେ ପଶ୍ଚିମବଙ୍ଗ ରାଜସ୍ୱ ବିଭାଗ ଏହାକୁ ଏକପକ୍ଷୀୟ ଭାବେ ନିଜ ଅଧୀନକୁ ନେଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ବର୍ତ୍ତମାନ ଭୋଟର ତାଲିକା ପ୍ରସଙ୍ଗ ପୁଣିଥରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଓ ଅନିଶ୍ଚିତତା ବଢ଼ାଇ ଦେଇଛି। ସେପଟେ, ଘଟଣା ସାମ୍ନାକୁ ଆସିବା ପରେ ତତ୍ପର ହୋଇଛନ୍ତି ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ। ଏପଟେ ଏହି ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ସତ୍ୟଶିବ ଦାସ, ପୂର୍ବ ଓ ବର୍ତ୍ତମାନ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଗାଁଟିକୁ ରାଜସ୍ୱ ଗ୍ରାମର ମାନ୍ୟତା ନମିଳିବାରୁ ଛାତ୍ରଛାତ୍ରୀମାନେ ଜାତି ଓ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ପାଇବାରେ ବର୍ଷ ବର୍ଷ ଧରି ସମସ୍ୟା ଭୋଗୁଛନ୍ତି।
ଅନ୍ୟପଟେ, ବିଧାୟକଙ୍କ ଅଭିଯୋଗ ଏବଂ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୋଡକୁ ଆସିଛି ଜିଲ୍ଲା ପ୍ରଶାସନ। ଭୋଗରାଇର ଅତିରିକ୍ତ ତହସିଲଦାର ଏବଂ ବାଲେଶ୍ୱରର ଅତିରିକ୍ତ ଉପଜିଲାପାଳ ଶଙ୍ଖାମେଦିରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ଅଭିଯୋଗ ଶୁଣିବା ସହ ନିୟମ ଅନୁସାରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ଆଶ୍ୱାସନା ଦିଆଯାଇଛି।
