ରେଳ ଧାରଣାରୁ ଉଦ୍ଧାର ହେଲା ପୂର୍ବତନ ସଭାପତିଙ୍କ ମୃତଦେହ
ଝାରସୁଗୁଡ଼ା ଜିଲ୍ଲାର ପୂର୍ବତନ ସଭାପତି ତ୍ରିନାଥ ଗୁଆଲଙ୍କ ମୃତଦେହ ମଙ୍ଗଳବାର ବାଲିଜୁରୀ ରେଳ ଧାରଣା ନିକଟରୁ ମୃତଦେହ ଉଦ୍ଧାର ।

ଝାରସୁଗୁଡ଼ା: ପୂର୍ବତନ ସଭାପତିଙ୍କ ରେଳଧାରଣାରୁ ମିଳିଲା ମୃତଦେହ । ଝାରସୁଗୁଡ଼ା ଜିଲ୍ଲାର ପୂର୍ବତନ ସଭାପତି ତ୍ରିନାଥ ଗୁଆଲଙ୍କ ମୃତଦେହ ମଙ୍ଗଳବାର ବାଲିଜୁରୀ ରେଳ ଧାରଣା ନିକଟରୁ ମୃତଦେହ ଉଦ୍ଧାର । ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ମୃତ୍ୟୁର କାରଣକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି। ସୂଚନା ଅନୁସାରେ, ମୃତଦେହ ନିକଟରୁ ନଗଦ ୧ ହଜାର ଟଙ୍କା ଓ ଏକ ସରକାରୀ ପରିଚୟପତ୍ର ମିଳିଥିଲା। ତେବେ ମୃତଦେହରେ ପୋଷାକ ନଥିବା ଜଣାପଡ଼ିଛି, ଯାହା ଘଟଣାକୁ ଆହୁରି ରହସ୍ୟମୟ କରିଦେଇଛି। ପରିବାର ଲୋକଙ୍କ କହିବା ଅନୁଯାୟୀ, ତ୍ରିନାଥ ଗୁଆଲ ପ୍ରତିଦିନ ଭଳି ସକାଳୁ ମର୍ଣ୍ଣିଂ ୱାକ୍ ପାଇଁ ଘରୁ ବାହାରିଥିଲେ। କିନ୍ତୁ ତାଙ୍କ ମୋବାଇଲ ଫୋନ୍ ବନ୍ଦ ଥିବାରୁ ପରିବାର ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ବାରମ୍ବାର ଯୋଗାଯୋଗ କରିବା ସତ୍ତ୍ୱେ ତାଙ୍କ ସହ କୌଣସି ସମ୍ପର୍କ ସ୍ଥାପନ ହୋଇପାରିନଥିଲା। ପରେ ଜଣେ ସମ୍ପର୍କୀୟଙ୍କ ଫୋନ୍ କଲ୍ ମାଧ୍ୟମରେ ରେଳ ଧାରଣା ଉପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଏବଂ ସେ ତ୍ରିନାଥ ଗୁଆଲଙ୍କ ଭଳି ଦେଖାଯାଉଥିବା ସୂଚନା ମିଳିଥିଲା। ଏହାପରେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ। ପରିବାର ସଦସ୍ୟମାନଙ୍କ ଅଭିଯୋଗ ଯେ, ତ୍ରିନାଥ ଗୁଆଲ ଆତ୍ମହତ୍ୟା କରିବା ଭଳି ବ୍ୟକ୍ତି ନଥିଲେ। ସେମାନଙ୍କ ମତରେ ଘଟଣା ପଛରେ କୌଣସି ଷଡ଼ଯନ୍ତ୍ର କିମ୍ବା ଅନ୍ୟ କାରଣ ଥାଇପାରେ। ଏହି ମୃତ୍ୟୁକୁ କେବଳ ଆତ୍ମହତ୍ୟା ଭାବେ ଗ୍ରହଣ କରିବାକୁ ପରିବାର ରାଜି ନୁହେଁ ଏବଂ ଘଟଣାର ନିରପେକ୍ଷ ଓ ସଂପୂର୍ଣ୍ଣ ତଦନ୍ତ ଦାବି କରିଛନ୍ତି। ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ କରୁଛି ।

