ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନର କଲେ ଶୁଭାରମ୍ଭ ଉପରାଷ୍ଟ୍ରପତି
ଭୁବନେଶ୍ୱର ସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ୍ ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନର ଶୁଭାରମ୍ଭ କରିଛନ୍ତି।

ଭୁବନେଶ୍ୱର: ଓଡ଼ିଶା ମାଟିରୁ ଆରମ୍ଭ ହୋଇଛି ଦେଶର ନୂଆ ନୀଳ ବିପ୍ଳବ। ଭୁବନେଶ୍ୱର ସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT) ପରିସରରେ ଆୟୋଜିତ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ୍ ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନର ଶୁଭାରମ୍ଭ କରିଛନ୍ତି। ଏହା ସହିତ ମୁକ୍ତ ସାଗରରେ ଦୀର୍ଘସ୍ଥାୟୀ ମାଛ ଉତ୍ପାଦନ ପାଇଁ ‘ଲେଟର ଅଫ୍ ଅଥରାଇଜେସନ୍’ ବା LoA ପ୍ରଦାନ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ ହୋଇଛି। ଏହି ଅବସରରେ ଉପରାଷ୍ଟ୍ରପତି କହିଛନ୍ତି ଯେ, ଗଭୀର ସମୁଦ୍ରରେ ମାଛଧରା ପାଇଁ LoA ବାଧ୍ୟତାମୂଳକ ହେବ। ଏହା ଦ୍ୱାରା ମାଛଧରା କ୍ଷେତ୍ରରେ ସ୍ୱଚ୍ଛତା ଆସିବା ସହ ଭାରତୀୟ ସାମୁଦ୍ରିକ ଖାଦ୍ୟ ରପ୍ତାନି ନୂଆ ଉଚ୍ଚତା ଛୁଇଁବ। ଅନ୍ତର୍ଜାତୀୟ ଜଳସୀମାରେ ଉଚ୍ଚମୂଲ୍ୟର ମାଛ ଯେପରିକି ଟୁନା ଧରିବା ପାଇଁ ଏହା ମତ୍ସ୍ୟଜୀବୀଙ୍କୁ ବଡ଼ ସୁଯୋଗ ଦେବ। କାର୍ଯ୍ୟକ୍ରମରେ ‘ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ଡକୁମେଣ୍ଟ ୨୦୨୬-୨୦୩୬’ ମଧ୍ୟ ଉନ୍ମୋଚନ କରାଯାଇଛି। ଏହି ମିଶନ ମାଧ୍ୟମରେ ଓଡ଼ିଶାର ୫୭୫ କିଲୋମିଟର ଦୀର୍ଘ ଉପକୂଳର ସର୍ବୋତ୍ତମ ଉପଯୋଗ କରାଯିବ। ରାଜ୍ୟର ପାରାଦୀପ, ଧାମରା ଓ ଗୋପାଳପୁର ଭଳି ବନ୍ଦର ସହ ଫିସ୍ ଲ୍ୟାଣ୍ଡିଙ୍ଗ ସେଣ୍ଟର, ହୋଲସେଲ ମାର୍କେଟ ଓ ଆକ୍ୱା ପାର୍କ ଭଳି ଆଧୁନିକ ସୁବିଧା ବିକାଶ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଅନ୍ତର୍ଜାତୀୟ ଜଳସୀମାରେ ମାଛ ଧରିବା ପାଇଁ ଓଡ଼ିଶାର ମତ୍ସ୍ୟଜୀବୀଙ୍କୁ LoA ପ୍ରଦାନ ଏକ ଐତିହାସିକ ପଦକ୍ଷେପ। ଆଜି ପ୍ରାରମ୍ଭିକ ଭାବେ ଓଡ଼ିଶାର ୮ ଜଣ ମତ୍ସ୍ୟଜୀବୀଙ୍କୁ LoA ପ୍ରଦାନ କରାଯାଇଛି। ଏହା ସହ ଭାରତୀୟ EEZ ଅଞ୍ଚଳରେ ମାଛଧରା ପାଇଁ ୨ଟି ଗଭୀର ସମୁଦ୍ର ମାଛଧରା ଜାହାଜକୁ ଅନୁମତି ମିଳିଛି। ସେ ଆହୁରି କହିଛନ୍ତି ଯେ, ଆଗାମୀ ୧୦ ବର୍ଷରେ ୧୫୦ଟି ନୂତନ ଅତ୍ୟାଧୁନିକ ଗଭୀର ସମୁଦ୍ର ମାଛଧରା ଜାହାଜ ନିୟୋଜନ କରାଯିବ। ଏହା ସହ ପ୍ରଚଳିତ ୫୦୦ଟି ମାଛଧରା ଜାହାଜର ଆଧୁନିକୀକରଣ କରାଯିବ ବୋଲି ସେ କହିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି କହିଛନ୍ତି ଯେ, ଭାରତର ପ୍ରାୟ ୫୦ ନିୟୁତ ମତ୍ସ୍ୟଜୀବୀଙ୍କ ଜୀବିକା ସହ ସମୁଦ୍ର ଜଡ଼ିତ। ଏହି ପଦକ୍ଷେପ ମତ୍ସ୍ୟଜୀବୀ ପରିବାରଙ୍କ ଆୟ ଓ ଜୀବନମାନ ସୁଧାରିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଓଡ଼ିଶାରେ ମତ୍ସ୍ୟ ଉତ୍ପାଦନ ଓ ରପ୍ତାନିର ଅପାର ସମ୍ଭାବନା ରହିଛି। ଗଭୀର ସମୁଦ୍ର ମତ୍ସ୍ୟପାଳନ କାର୍ଯ୍ୟକ୍ରମ ରାଜ୍ୟର ମତ୍ସ୍ୟ କ୍ଷେତ୍ରକୁ ନୂଆ ଦିଗ ଦେବ। କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବହୁ ମନ୍ତ୍ରୀ, ଅଧିକାରୀ, ମତ୍ସ୍ୟ ସମବାୟ ସମିତିର ପ୍ରତିନିଧି ଓ ମତ୍ସ୍ୟଜୀବୀମାନେ ଉପସ୍ଥିତ ଥିଲେ। ଏହି ମିଶନ ଓଡ଼ିଶାକୁ ପୂର୍ବ ଭାରତର ଏକ ପ୍ରମୁଖ ମେରିନ୍ ହବ୍ ଭାବେ ପରିଣତ କରିବା ସହ ରାଜ୍ୟର ନୀଳ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବ ବୋଲି କୁହାଯାଇଛି।
