ଜଙ୍ଗଲରୁ ଅଜଣା ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର
କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ପଞ୍ଚାୟତର ଫୁଲୱାଡ଼ି ମୁଣ୍ଡାସାହି ଖେଳ ପଡ଼ିଆ ନିକଟସ୍ଥ ଜଙ୍ଗଲର ଏକ ଖାଲ ମଧ୍ୟରୁ ଜଣେ ଅଜଣା ଯୁବକଙ୍କ କ୍ଷତବିକ୍ଷତ ତଥା ରକ୍ତାକ୍ତ ମୃତଦେହ ଉଦ୍ଧାର
କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅଞ୍ଚଳରେ ହତ୍ୟାକାଣ୍ଡ ଅଭିଯୋଗକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ଖେଳିଯାଇଛି। ଭଦ୍ରାସାହି ପଞ୍ଚାୟତର ଫୁଲୱାଡ଼ି ମୁଣ୍ଡାସାହି ଖେଳ ପଡ଼ିଆ ନିକଟସ୍ଥ ଜଙ୍ଗଲର ଏକ ଖାଲ ମଧ୍ୟରୁ ଜଣେ ଅଜଣା ଯୁବକଙ୍କ କ୍ଷତବିକ୍ଷତ ତଥା ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କ ଶରୀରରେ ଏକାଧିକ ଗଭୀର ଆଘାତର ଚିହ୍ନ ରହିଥିବା ବେଳେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବଡ଼ବିଲ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ପ୍ରଥମେ ଖେଳ ପଡ଼ିଆ ନିକଟରେ ଯୁବକଙ୍କୁ ପଥରରେ ଛେଚି ନୃଶଂସ ଭାବେ ହତ୍ୟା କରାଯାଇଛି। ଏହାପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହକୁ ପ୍ରାୟ ୩୦ ମିଟର ପର୍ଯ୍ୟନ୍ତ ଘୋଷାରି ନେଇ ଜଙ୍ଗଲ ଭିତରେ ଥିବା ଏକ ଖାଲରେ ଫିଙ୍ଗି ଦିଆଯାଇଛି। ଘଟଣାସ୍ଥଳରୁ ଏକ ବିୟର କେନ୍ ଏବଂ କିଛି ଟଙ୍କା ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି, ଯାହାକୁ ପୋଲିସ ବର୍ତ୍ତମାନ ଜବତ କରିଛି। ମୃତ ଯୁବକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାସ୍ଥଳକୁ ସମ୍ପୂର୍ଣ୍ଣ କର୍ଡନ କରି ରଖିଛି ପୋଲିସ। ଖବର ପାଇ ଚମ୍ପୁଆ ଏସଡିପିଓ, ବଡ଼ବିଲ ଆଇଆଇସି ଏବଂ ଫରେନ୍ସିକ୍ ଟିମ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛନ୍ତି। ଯୁବକଜଣକ କିଏ ଏବଂ କେଉଁ ପରିସ୍ଥିତିରେ ତାଙ୍କୁ ହତ୍ୟା କରାଗଲା, ସେ ନେଇ ପୋଲିସ ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି। ତେବେ ପୋଷ୍ଟମର୍ଟମ ରିପୋର୍ଟ ଏବଂ ଫରେନ୍ସିକ୍ ଟିମର ଯାଞ୍ଚ ପରେ ହିଁ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
